ଫିକା ପଡିଛି ମାଟି ଦୀପର ଚାହିଦା, ଚିନ୍ତାରେ କୁମ୍ଭକାର ପରିବାର  

ବାଙ୍କୀ/ଡମପଡ଼ା : ଓଡ଼ିଶାର ସଂସ୍କୃତି ପରିମ୍ପରା ନିଆରା ହୋଇଥିବା ବେଳେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ପବିତ୍ର କାର୍ତ୍ତିକମାସରେ ଆଲୋକର ପର୍ବ ଦେବ ଦୀପାବଳି ଓଡ଼ିଆ ଘରର ପୂର୍ବପୁରୁଷଙ୍କୁ ବଡବଡୁଆ ଡାକି ପାଳନ କରାଯାଉଥିବା ବେଳେ ଦୀପର ଆଲୋକରେ ଆଲୋକିତ ହୋଇଥାଏ ସମଗ୍ର ଅଞ୍ଚଳ । କିନ୍ତୁ ସମୟର ଗତି ସହିତ ତାଳଦେଇ ସଂସ୍କୃତି ପରମ୍ପରା ପରିବର୍ତ୍ତନ ହେଉଥିବା ଦେଖାଯାଉଥିବା ବେଳେ ଧିରେ ଧିରେ ମାଟି ଦୀପର ଚାହିଦା ଫିକା ପଡୁଥିବା ଦେଖାଯାଉଛି । ପୂର୍ବରୁ ଯେତେବେଳେ ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା ନଥିଲା ସେହି ସମୟରୁ ମାଟି ଦୀପରେ ତେଲ ପକାଇ ଅଲୋକ ବର୍ତ୍ତିକା ସାଜୁଥିଲା ଦୀପ । ପୌରାଣିକ କଥା ଅନୁସାରେ ରାମଚନ୍ଦ୍ର ବନବାସ ଶେଷ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମୟରେ ସମ୍ପୂର୍ଣ୍ଣ ଅଯୋଧ୍ୟା ଦୀପର ଆଲୋକରେ ଝଲସି ଉଠିଥିଲା । କିନ୍ତୁ ସେ ଦୀପର ଚାହିଦା ଆଉ ଦେଖିବାକୁ ମଳିନୁ । ରଙ୍ଗିନ୍ ଝିଲିମିଲି ଆଲୋକର ଚକ୍ରବ୍ୟୁହରେ ହଜିଯାଇଛି ମାଟିଦୀପ । ବର୍ତ୍ତମାନ ସମୟରେ ଜନସାଧାରଣ ମାଟି ଦୀପର ଚାହିଦାକୁ ଗୁରୁତ୍ୱ ଦେଉନଥିବା ବେଳେ ଅତ୍ୟାଧୁନିକ ରଙ୍ଗିନ୍ ଆଲୋକକୁ ଦୀପାବଳିରେ ଅଧିକ ସଂଖ୍ୟାରେ ବ୍ୟବହାର କରିବାକୁ ପସନ୍ଦ କରୁଥିବା ଦେଖାଯାଉଛି । ଯାହାର ପ୍ରଭାବ କୁମ୍ଭକାର ଉପରେ ପଡୁଛି । କୁମ୍ଭକାର ବର୍ଷତମାମ୍ ମାଟି ସଂଗ୍ରହ କରି ବିଭିନ୍ନ ମାଟି ପ୍ରସ୍ତୁତ ଜିନିଷ ତିଆରି କରୁଥିବା ବେଳେ ଦୀପାବଳିକୁ ଆଖିଆଗରେ ରଖି ମାଟିଦୀପକୁ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରିବାର ଆଶା ରଖିଥାଏ । କିନ୍ତୁ ଯୁବ ସମାଜ ମାଟିଦୀପର ଆବଶ୍ୟକତାକୁ ଉପଲବ୍ଧୀ କରିପାରୁନଥିବା ବେଳେ କୁମ୍ଭକାରଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡୁଥିବା ଦେଖାଯାଉଛି । ବିଭିନ୍ନ ରକମର ମାଟିଦୀପ ବଜାରରେ ଉପଲବ୍ଧ ହେଉଥିବା ବେଳେ ଅନେକ ଦୋକନୀ ମଧ୍ୟ ଚିନାମାଟିରେ ପ୍ରସ୍ତୁତ ଦୀପ ଦୋକାନରେ ମହଜୁଦ୍ କରି ରଖିଥିବାର ଦେଖିବାକୁ ମିଳୁଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଦୀପାବଳୀରେ ବାଣବିକ୍ରୀକୁ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ବେଳେ କରୋନା ମହାମାରୀ ଯୋଗୁ ଜନସାଧାରଣମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଦୀପାବଳି ଅବସରରେ ଦୋକାନୀମାନେ ଦୀପ ବିକ୍ରୀ କରି ଭଲ ଦି ପଇସା ରୋଜଗାର କରିବା ପାଇଁ ଆଶା ରଖିଥିବା ବେଳେ ଜନସାଧାରଣମାନେ ମଧ୍ୟ ଦୀପ କ୍ରୟ କରୁନଥିବା ଦେଖାଯାଉଛି । ଓଡ଼ିଆ ସଂସ୍କୃତି ପରମ୍ପରାକୁ ଗୁରୁତ୍ୱ ଦେଇ ଯୁବସମାଜ ଅତ୍ୟାଧୁନିକ ରଂଗୀନ୍ ଝିଲିମିଲି ଆଲୋକ ପଛରେ ନପଡି ସ୍ୱଦେଶୀ ମାଟିଦୀପକୁ  ଆପଣାଇନେଲେ ବିଦ୍ୟୁତ୍ ଖର୍ଚ୍ଚରୁ ମୁକ୍ତି ମିଳିବା ସହିତ କୁମ୍ଭକାର ପରିବାରର କୌଳିକ ବୃତ୍ତି ଏବଂ ଦୋକାନୀ ମାନେ ଭଲ ବ୍ୟବସାୟ କରି ରୋଜଗାର କ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Comments are closed.