ସଙ୍ଗରୋଧ ଗୃହରେ ବିଶୃଙ୍ଖଳା – ଡଷ୍ଟବିନ୍‌ରେ ଖାଦ୍ୟ ଫିଙ୍ଗିଲେ ପ୍ରବାସୀ

କଟକ: କଟକ ମହାନଗର ନିଗମ (ସିଏମସି) ଅନ୍ତର୍ଗତ ୫୭ ନମ୍ବର ୱାର୍ଡର ଗୋପାଳପୁର ବିଜୁ କଲ୍ୟାଣ ମଣ୍ଡପ କ୍ୱାରେଣ୍ଟାଇନ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀମାନେ ବିଶୃଙ୍ଖଳା କରିବା ସହିତ ନିମ୍ନମାନର ଖାଦ୍ୟ ଅଭିଯୋଗ କରି ଡଷ୍ଟବିନ୍‍ରେ ଖାଦ୍ୟ ଫିଙ୍ଗିଛନ୍ତି। ଖାଦ୍ୟକୁ ନେଇ ସେଠାରେ ଥିବା ପ୍ରବାସୀମାନେ ବିଶୃଙ୍ଖଳା କରିବା ପରେ ସେଠାରେ ସ୍ଥାନୀୟ ପୁଲିସ ପହଞ୍ଚିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିଲା। ସହରକୁ କେତେକ ପ୍ରବାସୀ ଆସିଥିବା ଖବର ମିଳିବା ପରେ ସୋମବାର ନିଗମ ପକ୍ଷରୁ ପ୍ରାୟ ୨୦ ଜଣଙ୍କୁ ଗୋପାଳପୁର ବିଜୁ କଲ୍ୟାଣ ମଣ୍ଡପ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା। କେନ୍ଦ୍ରରେ ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବା ସହିତ ରାଜ୍ୟ ସରକାରଙ୍କ ଗାଇଡ୍‍ ଲାଇନ ମୁତାବକ ଖାଦ୍ୟ ଦିଆଯାଇଥିଲା। ତେବେ ସେମାନେ ଘରକୁ ଯିବା ପାଇଁ ବ୍ୟସ୍ତ ହେବା ସହ କେନ୍ଦ୍ରରେ ରହିବେନି ବୋଲି ଜିଦି କରିଥିଲେ। ବୁଝାସୁଝା କରି ରଖିବା ପରେ ସକାଳୁ ଖାଦ୍ୟକୁ ନେଇ ନାନା ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳେ ସେମାନଙ୍କୁ ଉପମା ଓ ସମ୍ବର ଦିଆଯାଇଥିଲା। ତେବେ ଏଥିରେ ଲୁଣ ହୋଇ ନ ଥିବା ସେମାନେ ଅଭିଯୋଗ କରିଥିଲେ। ଖାଦ୍ୟ ରୁଚୁ ନ ଥିବାରୁ ତାକୁ ଡଷ୍ଟବିନରେ ପକାଇ ଦେଇଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ନିଗମ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ଏ ସଂକ୍ରାନ୍ତରେ ନିଗମ ସଚିବ ଲତାଶ୍ରୀ ବାଗ୍‍ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନିୟମ ଅନୁଯାୟୀ ଖାଦ୍ୟ ଦିଆଯାଉଛି; ତେବେ ଏହାକୁ ଫିଙ୍ଗିବା ଗ୍ରହଣଯୋଗ୍ୟ ନୁହେଁ। ସୂଚନାଯୋଗ୍ୟ ଯେ, ଲକ୍‍ଡାଉନ ଯୋଗୁ ରାଜ୍ୟରେ ଅସହାୟମାନେ ଖାଦ୍ୟ ପାଉ ନ ଥିବା ବେଳେ ପ୍ରବାସୀମାନେ ବିଭିନ୍ନ ସ୍ଥାନରେ ଖାଦ୍ୟ ଫିଙ୍ଗିବା ଘଟଣା ସାଧାରଣରେ ସହଜରେ ଗ୍ରହଣୀୟ ହୋଇପାରି ନାହିଁ।

Comments are closed.