ଜିଲା ପର୍ଯ୍ୟବେକ୍ଷକଙ୍କ ଗୋପବନ୍ଧୁ କୋଭିଡ ହସ୍ପିଟାଲ ପରିଦର୍ଶନ

ଗୁରୁଡିଝାଟିଆ: କରୋନା ପାଇଁ କଟକ ଜିଲା ପର୍ଯ୍ୟବେକ୍ଷକ ଭା​‌ବେ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସକ ସୁଶାନ୍ତ କୁମାର ମହାପାତ୍ର ମାଧବପୁରସ୍ଥିତ ଗୋପବନ୍ଧୁ କୋଭିଡ୍‌ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଶ୍ରୀ ମହାପାତ୍ର ଜିଲାପାଳ ଭବାନୀ ଶଙ୍କର ଚୟନିଙ୍କ ଉପସ୍ଥିତିରେ ଆଇସୋଲେଶନ ପ୍ରକୋଷ୍ଠ, କ୍ୱାରେନଟାଇନ ପ୍ରକୋଷ୍ଠ ଓ ଆଇସିୟୁ ପ୍ରକୋଷ୍ଠଗୁଡିକ ବୁଲି ଦେଖି ସନ୍ତୋଷ ପ୍ରକଟ କରିଥିଲେ। କିଭଳି, କେଉଁ ଧରଣର ରୋଗୀଙ୍କୁ ଚିକିତ୍ସା ଯୋଗାଇଦିଆଯିବ ଏବଂ କେଉଁ ବ୍ଲକରେ କିଏ ରହିଲେ ବିଶଦ ଭାବେ ଶ୍ରୀ ମହାପାତ୍ରଙ୍କୁ ଉପସ୍ଥିତ ଚିକିତ୍ସକମାନେ ବୁଝାଇଥିଲେ। ଚିକିତ୍ସାଳୟର ସମସ୍ତ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରୋଗୀଙ୍କ ପାଇଁ ଶଯ୍ୟା, ଆଇସିୟୁ ଓ ଅନ୍ୟ ବ୍ୟବସ୍ଥା ସମ୍ପନ୍ନ ହୋଇଛି।

ଜିଲାପାଳ ଶ୍ରୀ ଚୟନି ପ୍ରକୋଷ୍ଠଗୁଡିକ ବୁଲି ଦେଖିବା ସହ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ପର୍ୟ୍ୟବେକ୍ଷକ ଶ୍ରୀ ମହାପାତ୍ରଙ୍କ ପରିଦର୍ଶନ ସମୟରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଗୋପବନ୍ଧୁ ଚିକିତ୍ସାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର, ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ବିଜୟକୁମାର ମିଶ୍ର, ଆଠଗଡ ତହସିଲଦାର ତପନକୁମାର ଖୁଣ୍ଟିଆ ଓ ଡାକ୍ତର ଉମେଶ ରାୟଙ୍କ ସହିତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

Comments are closed.