MEllora 950×100

ଯୁବ ରେଡକ୍ରସର ଜିଲା କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର : ଓଡିଶା ରାଜ୍ୟ ରେଡ଼କ୍ରସର ନିର୍ଦେଶ  ଅନୁସାରେ ନବରଙ୍ଗପୁର ଜିଲାର ବିଭିନ୍ନ ଯୁକ୍ତଦୁଇ ବିଦ୍ୟାଳୟ ଓ ଯୁକ୍ତ ତିନି ମହାବିଦ୍ୟାଳୟରେ ଥିବା ଯୁବ ରେଡ଼କ୍ରସର ଜିଲା କାର୍ଯ୍ୟକାରିଣୀ ବୈଠକ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ସ୍କୁଲ ଓ କଲେଜର ଅଧ୍ୟକ୍ଷ ଓ ରେଡ଼କ୍ରସ କାଉନସିଲର ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା କମିଟି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଉଦଘାଟନ କରି ବିଭିନ୍ନ ଜନ ହିତକର କାର୍ଯ୍ୟ ହାତକୁ ନେଇ ଜିଲାର ରେଡ଼କ୍ରସକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲା କମିଟି ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଅନ୍ୟତମ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସର ଜିଲା ସ୍ଥିତିକୁ ନେଇ ଆଲୋଚନା କରିବା ସହ ଆଗାମୀ ଦିନରେ ଅନେକ ଗୁଡିଏ କାର୍ଯ୍ୟକ୍ରମକୁ ହାତକୁ ନେବାପାଇଁ ପ୍ରସ୍ତାବ ଦେଇଥିଲେ। ଜିଲା ସଂଯୋଜକ  ଅଧ୍ୟାପକ ଅଖିଳ କୁମାର ଭଟ୍ଟ  ଯୋଗ ଦେଇ ଜିଲାରେ ରେଡ଼କ୍ରସ ନଥିବା ବିଭିନ୍ନ ସ୍କୁଲ ଓ କଲେଜରେ ୟୁନିଟ ଖୋଲିବା ସହ ଅଭିଯାନକୁ ବ୍ୟାପକ କରିବା ନେଇ ପ୍ରସ୍ତାବ ଦେଇଥିଲେ। ବୈଠକରେ ସମ୍ମାନିତ  ଅତିଥି ଭାବରେ ଜାତୀୟ ଫାଷ୍ଟ ଏଡ଼ ସମ୍ବଳ ପ୍ରଶିକ୍ଷକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଯୋଗ ଦେଇ ସମସ୍ତ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ଦେବା ଉପରେ ପ୍ରସ୍ତାବ ଦେଇଥିଲେ। ନବରଙ୍ଗପୁର ମହାବିଦ୍ୟାଳୟ ରେଡ଼କ୍ରସ କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟତମ କାଉନସିଲର ଅଧ୍ୟାପିକା ନିର୍ମଳା ହିକ୍କା ବିବରଣୀ ପାଠ କରିଥିଲେ। ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଅଧ୍ୟକ୍ଷ ଓ କାଉନସିଲରମାନେ ନିଜ ନିଜ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ସର୍ବସମ୍ମତିକ୍ରମେ ଜିଲାସ୍ତରୀୟ ତାଲିମ ଶିବିର ଭୈରବ ଡିଗ୍ରୀ ମହାବିଦ୍ୟାଳୟ, ଡାବୁଗାଁରେ ଜାନୁୟାରୀ ମାସରେ କରିବା ପାଇଁ ସ୍ଥିରୀକୃତ ହେବାସହ ପ୍ରଥମ ଥର ପାଇଁ ରେଡ଼କ୍ରସର ଜୋନ ସ୍ତରୀୟ ଆନ୍ତଃ ଜିଲା ତାଲିମ ଶିବିର ନବରଙ୍ଗପୁର ମହାବିଦ୍ୟାଳୟ ଠାରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏତତ୍ ସହିତ ସ୍ଥାନୀୟ ଆବାସିକ ଅନୁଷ୍ଠାନ ବିଦ୍ୟ।ର୍ଥୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ  ସତ୍ୟ ନାରାୟଣ ନାୟକ ଆଗାମୀ ଦିନରେ ଜିଲା ସ୍ତରୀୟ କାଉନସିଲରମାନଙ୍କୁ ନେଇ ଏକ ତାଲିମ ଶିବିର କରିବା ସହ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାର ପ୍ରମୂଖ ଭୂମିକାରେ ଥିଲେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା, ଅଧ୍ୟାପକ ଜିତେନ୍ଦ୍ର କୁମାର ରଥ, କାଉନସିଲର  ଅଶ୍ୱିନୀ ବେହେରା, ଅଶୋକ ପାତ୍ର, ପ୍ରଶାନ୍ତ ମିଶ୍ର, ରାଜନ ତ୍ରିପାଠୀ ଓ  ବନମାଳୀ ବେହେରା। ଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି, ଝରିଗାଁ, ରାଇଘର,ଉମରକୋଟ, ହାଟଭରଣ୍ଡି, ଡାବୁଗାଁ, ପ।ପଡାହାଣ୍ଡି, ମୈଦଲପୁର, ଇନ୍ଦ୍ରାବତୀ, କୋଡ଼ିଗାଁ, ନବରଙ୍ଗପୁର ଆଦିରେ ଥିବା ଅନୁଷ୍ଠାନ ଗୁଡିକରୁ ରେଡ଼କ୍ରସ କାଉନସିଲର ଓ ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ।

Comments are closed.