ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କର ଜିଲାସ୍ତରୀୟ ସମୀକ୍ଷା ବୈଠକ

୨୪ଘଣ୍ଟା ମଧ୍ୟରେ ସମସ୍ତ ମଣ୍ଡିରୁ ଧାନ ଉଠାଇବାକୁ କଡା ନିର୍ଦ୍ଦେଶ

ନବରଙ୍ଗପୁର : ରାଜ୍ୟଯୋଜନା ବୋର୍ଡର  ଉପାକ୍ଷ୍ୟକ୍ଷ ସଞ୍ଜୟ ଦାଶବର୍ମା ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ଆସି ବୁଧବାର ଦିନ ମିଶନଶକ୍ତି ହଲ୍ ଠାରେ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ବୋର୍ଡ ଉପାଧ୍ୟକ୍ଷ ଶ୍ରୀଦାଶବର୍ମା ଜିଲାରେ ପାନୀୟ ଜଳ ଯୋଗାଣର ସମୀକ୍ଷା କରି ଜିଲାରେ ୮୦୦କୋଟି ଟଙ୍କାରେ ନିର୍ମାଣାଧିନ ପ୍ରକଳ୍ପର କାର୍ଯ୍ୟ ତ୍ୱାରନ୍ୱିତ କରିବାକୁ ଗୁରୁତ୍ୱ ଦେଇଥିଲେ। ବଳକା ୪ଟି ବ୍ଳକର ୨୫୪ଟି ଗ୍ରାମରେ କିପରି ଜଳଯୋଗାଣ କରାଯାଇ ପାରିବ ତାର ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ଏମଜିଏନଆରଇଜିଏଏସ କାର୍ଯ୍ୟର ସମୀକ୍ଷା କରିବା ସହ ମାର୍ଚ୍ଚ ସୁଦ୍ଧା ୩୦୦ କୋଟି ଖର୍ଚ୍ଚ କରାଯିବାର ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୩୭କୋଟି ଟଙ୍କା ଖର୍ଚ୍ଚ ହୋଇଥିବାରୁ ଲକ୍ଷ୍ୟଧାର୍ଯ୍ୟ ପୂରଣ ପାଇଁ ସମନ୍ୱୟ ରଖି କାମ  କରିବାକୁ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହିଥିଲେ। ଜିଲାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ସରକାରୀ ଟଙ୍କା ଖର୍ଚ୍ଚ କରିବାକୁ କହିବା ସହ ଟଙ୍କା ଟିଏ ଯେପରି ଫେରିନଯାଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ। ଯଦି କୌଣସି ବିଭାଗରୁ ଟଙ୍କା ଫେରିଯାଏ ତାହା ହେଲେ ସେହି ବିଭାଗର ଅଫିସର ଉପରେ ଦୃଢପଦକ୍ଷେପ ନିଆଯିବବୋଲି ଚେତାବନୀ ଦେଇଥିଲେ। ଝରିଗାଁବ୍ଳକ ଅଞ୍ଚଳରେ ଜଙ୍ଗଲ ରାସ୍ତା କାମ ପାଇଁ ଡିଏଫଓ ରାଜି ହେଉନଥିବାରୁ ସେ ବିରକ୍ତି ପ୍ରକାଶ କରିବା ସହ ଚନ୍ଦନଧାରା ପାଇଁ  ଖର୍ଚ୍ଚ ହେବାକୁ ଥିବା ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉନଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଓ ଡିଏଫଓଙ୍କୁ ତାଗିଦ କରିଥିଲେ।  ଜିଲାରେ ସମସ୍ତ ମଣ୍ଡିରେ ପଡି ରହିଥିବା ସମସ୍ତ ଧାନକୁ ୨୪ଘଣ୍ଟା ମଧ୍ୟରେ ଉଠାଇବାକୁ କହିବା ସହ ଏହାର ଅବହେଳା କରାଗଲେ ମିଲ ଗୁଡିକରେ ଚଢଉ କରାଯିବବୋଲି କହିଥିଲେ। ଜିଲାରେ ଅଧିକ ଏକ ଲକ୍ଷ କ୍ୟୁଣ୍ଟାଲ ଧାନ ମଣ୍ଡିରୁ କିଣିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପଞ୍ଜିକୃତ ଚାଷୀଙ୍କର ଠାରୁ ଧାନ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ନବରଙ୍ଗପୁର ଜିଲା କରୋନା ମୁକ୍ତ ଜିଲା ଭାବେ ରାଜ୍ୟରେ ପ୍ରଥମ ବୋଲି  କହିବା ପରେ ଉପଧ୍ୟକ୍ଷ ଶ୍ରୀ ଦାଶବର୍ମା ଖୁସି ପ୍ରକାଶ କରିବା ସହ ଏହା ରାଜ୍ୟର ବଡ ଉପଲବ୍ଧି ବୋଲି କହିଥିଲେ। ଜିଲାରେ ଏମଏଫଏସଏ ଯୋଜନାର ଶତପ୍ରତିଶତ ସଫଳତା ପାଇଁ କହିଥିଲେ। ଜିଲାପାଳ ଡଃ.ମିଶ୍ର ଜଳସେଚନ ପାଇଁ ତୁରୀ- ଗୁଣିଥାଟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜୟପୁର-ନବରଙ୍ଗପୁର ରେଳପଥର ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ। ତେବେ ଶ୍ରୀଦାଶ ବର୍ମା  ଏସଂପର୍କରେ ମୁଖ୍ୟଶାସନସଚିବ ଙ୍କର ସହିତ  କେରାପୁଟ , ନବରଙ୍ଗପୁର ଓ ମାଲିକାନଗରିର ତିନୋଟି ଜିଲାପାଳଙ୍କର ସହ   ରେଳବିଭାଗ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି କହିଥିଲେ। ଜିଲାପାଳ ଡଃ.ମିଶ୍ର ନବରଙ୍ଗପୁର ସର୍କିଟ ହାଉସ ଠାରେ ଭିଜିଲାନ୍ସ ଅଫିସ ପର୍ଯ୍ୟନ୍ତ ରାସ୍ତା, ଆରଟିଓ ଅଫସି ଠାରୁ ରିଜର୍ଭ ଅଫିସ ରାସ୍ତା  ଓ ପାପଡାହାଣ୍ଡି ବାଇପାସ ରାସ୍ତାର ଜରୁରୀ ଆବଶ୍ୟକତା ସଂପର୍କରେ କହିବା ପରେ ଶ୍ରୀଦାଶବର୍ମା ତୁରନ୍ତ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କର ସହ ଆଲୋଚନା କରି ଏହା ମଞ୍ଜୁର କରିବାକୁ କହିବା ସହ ତୁରନ୍ତ ଟେଣ୍ଡର ଡାକିବାକୁ କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲା ପରିଷଦ ଅଧ୍ୟକ୍ଷା  ଭଗବତୀ ଭତରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତି , ପ୍ରକଳ୍ପ ନିର୍ଦ୍ଦେଶକ  ରମାକାନ୍ତ ନାୟକ, ଡିଏଓଫ ଙ୍କର ସମେତ ସମସ୍ତ ଜିଲାସ୍ତରୀୟ ଅ୍ରଧିକରୀ ମାନେ ଯୋଗଦେଇଥିଲେ।  ବୈଠକ ପୂର୍ବରୁ ସେ ମିଶନଶକ୍ତିର ଉପର ମହଲା ୧୦ ଲକ୍ଷ ବ୍ୟୟରେ ନିର୍ମିତ ବହୁମୁଖୀ ଗୃହକୁ ଉଦ୍‍ଘାଟନ କରିଥିଲେ। ଜିଲା ଡାକ୍ତରଖାନା ସମ୍ମୁଖରେ  ୫୫ ଲକ୍ଷ ଟଙ୍କର ବ୍ୟୟରେ ନିର୍ମିତ ନୂତନ ମାର୍କେଟ କଂପଲେକ୍ସକୁ ଉଦଘାଟନ କରିଥିଲେ।

Comments are closed.