ମାଟ୍ରିକ ପରୀକ୍ଷା କେନ୍ଦ୍ର ବାଛିବ ଜିଲା ସ୍ତରୀୟ କମିଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମେ ମାସରେ ହେବାକୁ ଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବାକୁ ପ୍ରୟାସ ଆରମ୍ଭ କରିଛି। ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ରଖିବାକୁ ନୋଡାଲ କେନ୍ଦ୍ର ମନୋନୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା କେନ୍ଦ୍ର ମନୋନୟନ ନିୟମାବଳୀ ଓ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସମ୍ପର୍କିତ ତଥ୍ୟ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟକୁ ବୋର୍ଡ ପକ୍ଷରୁ ପ୍ରେରଣ କରାଯାଇଥିବା ଜଣାଯାଇଛି।

ସୂଚନାନୁସାରେ, ମେ ୩ରୁ ଏକସଙ୍ଗେ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ୬ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ନିମନ୍ତେ ପ୍ରାୟ ୩,୩୦୦ରୁ ଊର୍ଦ୍ଧ୍ବ ପରୀକ୍ଷା କେନ୍ଦ୍ର କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗତବର୍ଷଠାରୁ ଚଳିତବର୍ଷ ୨୦% ଅଧିକ କେନ୍ଦ୍ର କରାଯିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ର ଚିହ୍ନଟ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଏକ ଜିଲାସ୍ତରୀୟ କମିଟି ଗଠନ କରିବେ। ଏହି କମିଟି ହିଁ ପରୀକ୍ଷା କେନ୍ଦ୍ର ମନୋନୟନ କରିବ। ମଧ୍ୟମା ପରୀକ୍ଷା କେବଳ ନୋଡାଲ କେନ୍ଦ୍ରରେ କରାଯିବ। ନୋଡାଲ କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ଗଚ୍ଛିତ ରଖାଯିବ। ନୋଡାଲ କେନ୍ଦ୍ରରେ ସର୍ବନିମ୍ନ ୧୫୦ ଓ ସର୍ବାଧିକ ଯେତେ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବାକୁ ନିର୍ଦେଶ ରହିଛି।

ଏଥିସହ ନୋଡାଲ କେନ୍ଦ୍ରଗୁଡ଼ିକ ସନ୍ନିକଟରେ ଥିବା ଅନ୍ୟ ବିଦ୍ୟାଳୟକୁ ଏକ ଉପକେନ୍ଦ୍ର ଭାବେ କାର୍ୟ୍ୟ କରିବାର ବ୍ୟବସ୍ଥା କରିବେ ଏବଂ ଉକ୍ତ ଉପକେନ୍ଦ୍ରରେ ଜଣେ ଡେପୁଟି ସୁପରିନ୍‍ଟେଣ୍ଡେଣ୍ଟ ରହିବା ସହ ନୋଡାଲ କେନ୍ଦ୍ରର ସୁପରିନ୍‍ଟେଣ୍ଡେଣ୍ଟଙ୍କ ଅଧୀନରେ ଉପକେନ୍ଦ୍ର ପରିଚାଳିତ ହେବ। କୌଣସି କେନ୍ଦ୍ର ୧୫୦ରୁ କମ୍‍ ପରୀକ୍ଷାର୍ଥୀଙ୍କୁ ନେଇ କରାଯାଇପାରିବ ନାହିଁ। ପରୀକ୍ଷା କେନ୍ଦ୍ରରେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା ରହିବ। ୫୦% ନିରୀକ୍ଷକ ବାହାର ବିଦ୍ୟାଳୟରୁ ଉକ୍ତ କେନ୍ଦ୍ରରେ ପରୀକ୍ଷା ପରିଚାଳନା କରିବେ। ଏଥିସହ ନୋଡାଲ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବା ନିମନ୍ତେ ଡେସପାଚ୍‍ ଟିମ୍‍ ମଧ୍ୟ ମନୋନୟନ କରାଯିବ। ପରୀକ୍ଷାରେ କୋଭିଡ୍‍ କଟକଣାକୁ କଡ଼ାକଡ଼ି ପାଳନ ପାଇଁ ସରକାରଙ୍କ ନିର୍ଦେଶ ରହିଛି।

ମାଟ୍ରିକର ରେଗୁଲାର ଓ ଏକ୍ସରେଗୁଲାର ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଫ୍ରେସ୍‍ ଓ ବ୍ୟାକ୍‍ ପରୀକ୍ଷାର୍ଥୀ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟରେ ଦୁଇଟି ଲେଖାଏଁ ଅଲଗା ପ୍ରଶ୍ନପତ୍ର ରହିବ। ମଧ୍ୟମା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏଥିସହ ପ୍ରଥମ ଭାଷା ଓଡ଼ିଆ, ଦ୍ୱିତୀୟ ଭାଷା ଇଂରାଜୀ, ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନରେ ୪ଟି ସେଟ୍‍ ଲେଖାଏଁ ପ୍ରଶ୍ନପତ୍ର କରାଯିବ। ଅନୁରୂପ ବିଷୟଗୁଡ଼ିକରେ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିବା ବୋର୍ଡ ଉପସଭାପତି ତଥା ଇନ୍‍ଚାର୍ଜ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

‘ପରୀକ୍ଷା ଦର୍ପଣ’ରେ ପ୍ରକାଶିତ ପ୍ରଶ୍ନାବଳୀକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମନରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱଗୁଡ଼ିକ ସମ୍ପର୍କରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କୁ ପଚାରିବାରୁ ସେ କହିଲେ, ପରୀକ୍ଷା ଦର୍ପଣ ଏକ ସହାୟକ ପୁସ୍ତିକା। ପରୀକ୍ଷା ଦର୍ପଣରେ ପ୍ରତି ବିଷୟରେ ଯେତେ ବେଶି ପ୍ରଶ୍ନପତ୍ର ସମ୍ଭବ ଦିଆଯାଇଛି। ପ୍ରତି ବିଷୟରେ ବୋର୍ଡ ଦ୍ୱାରା ପ୍ରକାଶିତ ସିଲାବସ୍‍ ଓ ପରୀକ୍ଷା ପଦ୍ଧତି, ପ୍ରଶ୍ନପତ୍ର ଢାଞ୍ଚା ଏବଂ ପ୍ରଶ୍ନର ମୂଲ୍ୟ ଆଦି ଅନୁସାରେ ଯେଉଁ ବିଷୟରୁ ଯେଭଳି ପ୍ରଶ୍ନ ପରୀକ୍ଷାରେ ଆସିବା କଥା ସେହିଭଳି ପଡ଼ିବ। ପରୀକ୍ଷାରେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତି ବିଷୟର ଅବ୍‍ଜେକ୍ଟିଭ ଓ ସବ୍‍ଜେକ୍ଟିଭ ପ୍ରଶ୍ନୋତ୍ତର ଦିଆଯାଇଛି। ପରୀକ୍ଷା ଦର୍ପଣରେ ରହିଥିବା ପ୍ରଶ୍ନଗୁଡ଼ିକୁ ନେଇ କୌଣସି ଦ୍ୱନ୍ଦ୍ୱ ନରଖି କେବଳ ହ୍ରାସ କରାଯାଇଥିବା ନୂତନ ସିଲାବସ୍‍ ଅନୁସାରେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ। ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପିତାମାତା ଏବଂ ଅଭିଭାବକଙ୍କର ପରୀକ୍ଷା ସମ୍ବନ୍ଧରେ କୌଣସି ଦ୍ୱନ୍ଦ୍ୱ ଥିଲେ ଜିଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ବୋର୍ଡକୁ ଅବଗତ କରାଇବାକୁ ସଭାପତି ଶ୍ରୀ ହାଜରା କହିଛନ୍ତି।

Comments are closed.