ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ଥିବା ସୁରଜ୍ ମଲ୍ କଳେଜ ପରିସର ଗୁରୁବାର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ନନ୍ଦ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। କଳେଜ ର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ବଲପୁର ସ୍ଥିତ କର୍ମ ନିୟୋଜନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ଶଙ୍କର ଚରଣ ମୁର୍ମୁ ସ୍ୱାଗତ ଭାଷଣ ଦେଇ ନିଯୁକ୍ତି ମେଳାର ଉଦ୍ଦେଶ୍ୟ ଏବଂ କର୍ମ ନିଯୁକ୍ତି ସଂକ୍ରାନ୍ତରେ ସୂଚନା ଦେଇଥିଲେ। ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ, ଓରମାସର କାର୍ଯ୍ୟ ନିର୍ବାହୀ ଶ୍ରୀମନ୍ତ ହୋତା ପ୍ରମୁଖ ମଧ୍ୟ କର୍ମ ନିଯୁକ୍ତି କ୍ଷେତ୍ରରେ ଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ନିୟୋଜନ ଅଧିକାରୀ ବିଦ୍ୟୁତ ପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ନିଯୁକ୍ତି ମେଳାରେ ୧୦୩୮ ଜଣ ଯୁବକ-ଯୁବତୀ ନିଯୁକ୍ତି ପାଇଁ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୫୮ ଜଣଙ୍କୁ ନିଯୁକ୍ତି ସମ୍ବନ୍ଧିତ ତାଳିମ ପାଇଁ ଚୟନ କରାଯାଇଥିବା ବେଳେ ୭୮୦ ଜଣଙ୍କୁ ସିଧା ସଳଖ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା । ଏହି ନିଯୁକ୍ତି ମେଳାରେ ୧୨ ଟି ନିଯୁକ୍ତିଦାତା ସଂସ୍ଥା ଏବଂ ୬ଟି ତାଳିମ ପ୍ରଦାନକାରୀ ସଂସ୍ଥାର ପଦାଧିକାରୀ ଯୋଗ ଦେଇଥିଲେ।

Comments are closed.