ଆସନ୍ତା ସପ୍ତାହରେ ବଣ୍ଟା ହେବ ‘କାଳିଆ’ ସହାୟତା

ଭୁବନେଶ୍ବର : ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ । ଚାଷୀ ହସିଲେ ଓଡ଼ିଶା ହସିବ । ଏହି ନ୍ୟାୟରେ ରାଜ୍ୟ ସରକାର ଏବେ କରୋନା ମୁକାବିଲା ସହିତ ଗ୍ରାମୀଣ କୃଷି ଭିତ୍ତିଭୂମି ଓ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ ପାଇଁ ମାସାଧିକ କାଳ ଲକ୍ ଡାଉନ ଯୋଗୁଁ କୃଷକ ଓ କୃଷିକ୍ଷେତ୍ର ପ୍ରଭାବିତ ହୋଇ ପଡିଥିବାରୁ ଏହି ସମୟରେ ଚାଷୀଙ୍କୁ ସହାୟତା ଦେବାପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହାକୁ ନେଇ ଶନିବାର କୃଷିଭବନରେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସପ୍ତାହରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଯୋଜନା ‘କାଳିଆ’ରେ ପ୍ରାୟ ୨୮ଲକ୍ଷ ଚାଷୀଙ୍କୁ ସହାୟତା ରାଶି ବଣ୍ଟନ କରାଯିବ ବୋଲି ଜଣାଯାଇଛି।
କୃଷିବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ଥିବା ପ୍ରାୟ ୫୧ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୮ଲକ୍ଷ ଚାଷୀଙ୍କୁ ସହାୟତା ରାଶି ବାବଦକୁ ୫ହଜାର ଟଙ୍କା ଲେଖାଏଁ ବଣ୍ଟନ କରାଯିବ। ଏହି ଅର୍ଥରେ ଚାଷୀମାନେ ବିହନ, ସାର ଓ କୀଟନାଶକ କିଣି କୃଷିକ୍ଷେତ୍ରକୁ ଅଧିକ ମଝବୁତ୍ କରିବେ ବୋଲି ସରକାର ଆଶା ରଖିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଯେଉଁ ଚାଷୀମାନଙ୍କର ଆଧାରକାର୍ଡ, ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ବିବରଣୀ ଠିକ୍ ରହିଛି ତାଙ୍କୁ ହିଁ ଅର୍ଥ ଦେବାପାଇଁ ସରକାର ଚିନ୍ତା କରିଛନ୍ତି।
ସରକାଙ୍କ ୨୦୧୯ ଜୁଲାଇର ସୂଚନା ଅନୁଯାୟୀ ରାଜ୍ୟରେ ୫୧ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ରାଜ୍ୟରେ ୪୩ଲକ୍ଷ ଚାଷୀ କାଳିଆ ଯୋଜନାରେ ସହାୟତା ପାଇଛନ୍ତି ଏବଂ ୩ଲକ୍ଷ ୪୧ହଜାର ଅଯୋଗ୍ୟ ଚାଷୀଙ୍କୁ ବାଦ୍ ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ବିଧାନସଭା ଅଧିବେଶନ କାଳରେ କୁହାଯାଇଥିଲା। ଆଜିର ବୈଠକରେ ଅର୍ଥବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Comments
Loading...