ସାଇବାବାଙ୍କ ଜନ୍ମସ୍ଥଳୀ ବିବାଦ: ପାଥରୀ ଦେଲା ୨୯ ପ୍ରମାଣ, ଶିରିଡ଼ିବାସୀ ଚିନ୍ତିତ

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାରେ ଶିରିଡ଼ି ସାଇବାବାଙ୍କ ଭକ୍ତଙ୍କ ସଂଖ୍ୟା ବହୁ ଅଧିକ। ଶିରିଡ଼ି ଦେଶରେ ବିଶ୍ଵାସର ୧୦ଟି ପ୍ରମୁଖ କେନ୍ଦ୍ର ମଧ୍ୟରୁ ଗୋଟିଏ। ଘରେ ଘରେ ଭଗବାନ ଜଗନ୍ନାଥଙ୍କ ଯେତିକି ପୂଜା କରାଯାଇଥାଏ ସାଇବାବାଙ୍କ ପୂଜା ତା’ଠାରୁ କିଛି କମ୍‌ ହୋଇ ନ ଥାଏ। ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଶିରିଡ଼ି ଯାଇ ସାଇବାବାଙ୍କ ଦର୍ଶନ କରନ୍ତି। ତେବେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବର୍ତ୍ତମାନ ଉପୁଜିଥିବା ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ପରଭଣୀ ନିକଟରେ ଥିବା ପାଥରୀ ଗାଁକୁ ସାଇବାବାଙ୍କ ପ୍ରକୃତ ଜନ୍ମସ୍ଥଳୀ ବୋଲି କହିଛନ୍ତି। ଏହାକୁ ନେଇ ଶିରିଡ଼ିର ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ସରକାର ପାଥରୀର ବିକାଶ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିବା ଲାଗି ଘୋଷଣା କରିଛନ୍ତି। ଠାକରେଙ୍କ ଏହି ଘୋଷଣା ପରେ ପାଥରୀ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ସେମାନେ ଉତ୍ସବ ମନାଉଛନ୍ତି। ଅନ୍ୟପଟେ ଶିରିଡ଼ିର ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି। ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟର ଜଣେ ସଦସ୍ୟ ନାମ ଗୋପନ ରଖି କହିଛନ୍ତି, ଶିରିଡ଼ି ହେଉଛି ସାଇବାବାଙ୍କ କର୍ମସ୍ଥଳୀ। ତାଙ୍କ ଜନ୍ମସ୍ଥଳୀକୁ ନେଇ କୌଣସି ଠୋସ୍‌ ପ୍ରମାଣ ମିଳିନାହିଁ।

‘ଶ୍ରଦ୍ଧା ସବୁରୀ, ସବ୍‌କା ମାଲିକ ଏକ ହୈ’ ଶିକ୍ଷା ଦେଉଥିବା ସାଇବାବାଙ୍କ ସମାଧିସ୍ଥଳକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସରକାରଙ୍କ ଘୋଷଣା ପରେ ପାଥରୀ ଏବଂ ଶିରିଡ଼ିର ଲୋକମାନେ ପରସ୍ପରକୁ ବିରୋଧ କରିବାରେ ଲାଗିଛନ୍ତି। ତେବେ ପାଥରୀ ଗ୍ରାମବାସୀଙ୍କ ଦାବି ହେଉଛି ସାଇ ବାବାଙ୍କ ଜନ୍ମସ୍ଥଳୀ ପାଥରୀ। ଏହାକୁ ପ୍ରମାଣିତ କରିବା ଲାଗି ସେମାନଙ୍କ ନିକଟରେ ୨୯ଟି ପ୍ରମାଣ ରହିଥିବା କହିଛନ୍ତି। ଏହାକୁ ନେଇ ଶିରିଡ଼ି ଲୋକମାନେ ଚିନ୍ତିତ ହୋଇପଡ଼ିଥିବାବେଳେ କିଛି ଠୋସ୍‌ ପ୍ରମାଣ ଦେଖାଇବାକୁ କହିଛନ୍ତି।

ସାଇବାବା ଜନ୍ମସ୍ଥଳ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଅତୁଲ ଚୌଧୁରୀ କୁହନ୍ତି, ସାଇବାବାଙ୍କ ଜନ୍ମ ପାଥରୀ ଗାଁରେ ୧୮୩୮ରେ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବାଲା ସାହେବ ଖେର୍‌ଙ୍କ ପୁଅ ବିଶ୍ଵାସ ଖେର୍‌ ୩୦ ବର୍ଷ ଗବେଷଣା କରିବା ପରେ କହିଥିଲେ ଯେ ପାଥରୀ ହେଉଛି ସାଇବାବାଙ୍କ ଜନ୍ମଭୂମି। ପାଥରୀ ନିକଟ ସେଲୁ ଗାଁରେ ସାଇବାବାଙ୍କ ଗୁରୁ କେଶବରାଜ ମହାରାଜଙ୍କ ମନ୍ଦିର ରହିଛି। କେବଳ ଏତିକି ନୁହେଁ, ଚୌଧୁରୀ କହିଛନ୍ତି, ଗୋବିନ୍ଦ ଦାଭୋଲକରଙ୍କ ପୁସ୍ତକ ଏବଂ ୧୯୭୪ରେ ସାଇ ସଂସ୍ଥାନ ପକ୍ଷରୁ ଛପା ଯାଇଥିବା ସାଇ-ଚରିତ୍ରର ୮ମ ସଂସ୍କରଣରେ ସାଇବାବା ପାଥରୀରେ ଜନ୍ମ ହୋଇଥିବା ଉଲ୍ଲେଖ ରହିଛି। ସାଇବାବା ନିଜର ଜଣେ ଶିଷ୍ୟ ମହାଲସାପତୀଙ୍କୁ କହିଥିଲେ ଯେ, ତାଙ୍କ ମାତାପିତା ତାଙ୍କୁ ଜଣେ ଫକୀରଙ୍କ ଥଳିରେ ପକାଇ ଦେଇଥିଲେ।

ସାଇବାବାଙ୍କ ମୂଳ ନାମ ହରିଭାଉ ଭୁସାରୀ ଥିଲା। ତାଙ୍କ ବଡ଼ ଭାଇ ବି ଫକୀର ଥିଲେ। ପାଥରୀ ଗାଁରେ ମୁସଲମାନ ଲୋକଙ୍କ ସଂଖ୍ୟା ଯଥେଷ୍ଟ ରହିଛି। ଏହି ଗାଁରୁ ଅନେକ ବଡ଼ ଫକୀର ଥିଲେ। କିନ୍ତୁ ଏମାନଙ୍କ କାହାଣୀ ଲୋକଲୋଚନକୁ ଆସିପାରି ନ ଥିଲା, ଯେଉଁଥିପାଇଁ ପାଥରୀ ଗାଁର ନାମ ପ୍ରସିଦ୍ଧ ହୋଇପାରି ନାହିଁ। ଏହାବ୍ୟତୀତ ସନ୍ଥ ଦାସଗଣୁଙ୍କ ଆତ୍ମକଥାରେ ସାଇବାବାଙ୍କ ଜନ୍ମସ୍ଥଳ ପାଥରୀ ବୋଲି ଦର୍ଶାଯାଇଥିବା ଅତୁଲ ଚୌଧୁରୀ କହିଛନ୍ତି।

ତେବେ ପାଥରୀ ଗାଁର ଲୋକମାନେ ସାଇ-ଚରିତ୍ରର ୮ମ ସଂସ୍କରଣରେ ଉଲ୍ଲିଖିତ ତଥ୍ୟ ଆଧାରରେ ସାଇବାବାଙ୍କ ଜନ୍ମସ୍ଥାନ ପାଥରୀ ବୋଲି ଦାବି କରୁଛନ୍ତି। କିନ୍ତୁ ଶିରିଡ଼ି ସାଇ ସଂସ୍ଥାନର ସୁରେଶ ହାୱରେ କୁହନ୍ତି, ଅଭିଲେଖାଗାରରେ ଏହି ପୁସ୍ତିକାର କୌଣସି ୮ମ ସଂସ୍କରଣ ନାହିଁ। ପାଥରୀ ଲୋକମାନେ ଯେଉଁ ପୁସ୍ତକ ଆଧାରରେ ଏହା ଦାବି କରୁଛନ୍ତି, ସେହି ସଂସ୍କରଣ ବିଶ୍ଵାସ ଖେରଙ୍କ ସମୟର। ବର୍ତ୍ତମାନ ଆମ ପାଖରେ ୩୬ତମ ସଂସ୍କରଣ ରହିଛି। ଏହାର କୌଣସି ସଂସ୍କରଣରେ ପାଥରୀ ସାଇବାବାଙ୍କ ଜନ୍ମସ୍ଥଳ ବୋଲି ଉଲ୍ଲେଖ ରହିନାହିଁ। ଦୋଭାଲକରଙ୍କ  ଦ୍ବାରା ଲିଖିତ ପୁସ୍ତକ ବି ଆମ ନିକଟରେ ରହିଛି, ଯେଉଁଥିରେ ଏଭଳି କିଛି ଲେଖାଯାଇ ନାହିଁ। ସାଇବାବାଙ୍କ ଜନ୍ମସ୍ଥଳକୁ ନେଇ ପୂର୍ବରୁ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରୁ ବି ଦାବି କରାଯାଇଆସିଛି। ଆମେ ସାଇବାବାଙ୍କ ଭକ୍ତମାନଙ୍କ ଭାବନାକୁ ବୁଝୁଛୁ। କିନ୍ତୁ ଆମେ କେବଳ ଏତିକି କହୁଛୁ ଯେ ଏଭଳି ଦାବି କରିବା ଲାଗି କୌଣସି ଠୋସ୍‌ ପ୍ରମାଣ ନାହିଁ।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଆତ୍ମକଥା ଆଧାରରେ କ’ଣ ସାଇବାବାଙ୍କ ଜନ୍ମସ୍ଥାନ କେଉଁଠି ତାହା ସ୍ଥିର କରାଯାଇପାରିବ ? ସାଇବାବାଙ୍କ ଜୀବନ ଉପରେ ଗବେଷଣା କରିଥିବା ତଥା ମାସିକ ପତ୍ରିକା ଲୋକମୁଦ୍ରାର ସମ୍ପାଦକ ରାଜା କାଲନ୍ଦକର କୁହନ୍ତି, ସାଇବାବାଙ୍କ ଆତ୍ମକଥା ତାଙ୍କର ଅଧିକାଂଶ ଭକ୍ତମାନେ ହିଁ ଲେଖିଛନ୍ତି। ଐତିହାସିକମାନେ ଯେତେବେଳେ ଇତିହାସର କୌଣସି ଘଟଣା ବିଷୟରେ ଲେଖନ୍ତି, ସେତେବେଳେ ସେମାନେ ଏହାକୁ ପ୍ରମାଣ ସ୍ବରୂପ ଉପସ୍ଥାପନ କରନ୍ତି। ଆତ୍ମକଥା ଲେଖିଥିବା ବ୍ୟକ୍ତି କେବଳ ସେ ସମୟର କଥା ଲେଖିଥାନ୍ତି। ସେମାନଙ୍କ ଉଦ୍ଦେଶ୍ୟ ଭୁଲ ହୋଇ ନ ଥାଏ। କିନ୍ତୁ ଏଥିରେ ପ୍ରମାଣ ଥିବାର ଗୁରୁତ୍ଵକୁ ସେତେଟା ପ୍ରାଧାନ୍ୟ ଦିଆଯାଇ ନ ଥାଏ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୬ରେ ବିହାରର ରାଜ୍ୟପାଳ ଥିବା ସମୟରେ ପାଥରୀ ଗସ୍ତ କରିଥିଲେ। ସାଇ ସ୍ମୃତି ଶତାବ୍ଦୀ ବର୍ଷ ଅବସରରେ ନିଜ ଭାଷଣରେ ସେ ପାଥରୀକୁ ସାଇ ବାବାଙ୍କ ଜନ୍ମସ୍ଥଳୀ ବୋଲି କହିଥିଲେ ଏବଂ ଏହାର ବିକାଶ ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।

ଶିରିଡ଼ି ଏବଂ ପାଥରୀର ଲୋକମାନେ ଏହି ପ୍ରସଙ୍ଗକୁ ନେଇ ଯୁକ୍ତି କରିବାକୁ ପ୍ରସ୍ତୁତ ରହିଛନ୍ତି। ଅତୁଲ ଚୌଧୁରୀ କୁହନ୍ତି, ସାଇବାବାଙ୍କ ଜନ୍ମସ୍ଥଳକୁ ନେଇ ତାଙ୍କ ନିକଟରେ ୨୯ଟି ପ୍ରମାଣ ରହିଛି। ଯଦି ସରକାର ପ୍ରମାଣ ଆଧାରରେ ନିଷ୍ପତ୍ତି ନିଅନ୍ତି, ତେବେ ସେ ସମସ୍ତ ପ୍ରମାଣ ସରକାରଙ୍କୁ ପ୍ରଦାନ କରିବେ। ଅନ୍ୟପଟେ ଶିରିଡ଼ର ସୁରେଶ ହୱାରେଙ୍କ କହିବା ଅନୁସାରେ, ସରକାରଙ୍କ ତ୍ରୁଟି ଯୋଗୁ ପାଥରୀକୁ ଜନ୍ମସ୍ଥାନ କୁହାଯାଉଛି।

ଇନ୍‌ପୁଟ୍‌: ବିବିସି

Comments are closed.