ସାମାନ୍ୟ ଚା’ ବେପାରକୁ ନେଇ ମହାଭାରତ

ନବରଙ୍ଗପୁର: ସାମାନ୍ୟ ଚା’ ବେପାରକୁ ନେଇ ମହାଭାରତ। ଗୋଟିଏ ପଟେ ସ୍ୱାମୀକୁ ମୁକୁଳେଇବା ଦାବିରେ ରାଜରାସ୍ତାରେ ସ୍ତ୍ରୀ ବସିରହିଛି ଅନ୍ୟପଟେ ଜଣେ ଚା’ ଦୋକାନୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁଇ ଚା’ ବେପାରୀଙ୍କ ଏହି ଘଟଣା ଆଜି ସହର ସାରା ଚର୍ଚାର ବିଷୟ ପାଲଟିଛି । ମୋ ସ୍ୱାମୀ ନିର୍ଦୋଷ ମୋ ସହିତ ଅନ୍ୟାୟ ହେଉଛି, ମୋ ସ୍ୱାମୀଙ୍କୁ ରକ୍ଷା କର କହି ରାଜରାସ୍ତା ଉପରେ ନିଜର ଦୁଇ ଛୁଆଙ୍କୁ ଧରି ବସି ରହିଥିଲେ ଚା’ ବେପାରୀ ମନୋଜ ମାଳିଙ୍କର ସ୍ତ୍ରୀ ହେମ ମାଳି। ରାସ୍ତା ଉପରେ ଏମିତି ଭୋ ଭୋ ହୋଇ କାନ୍ଦୁଥିବା ଦୃଶ୍ୟ ଆଜି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସଦରମହା କୁମାର ମୁଖ୍ୟ ରାସ୍ତା ଉପରେ।

ସୂଚନା ଅନୁସାରେ, ମନୋଜ ମାଳି ଏବଂ ବିଜୟ ସାହୁ ଉଭୟେ ଚା’ ଦୋକାନ କରନ୍ତି। ବିଜୟଙ୍କର ନିଜସ୍ୱ ଦୋକାନ ଥିବା ବେଳେ ମନୋଜ କିନ୍ତୁ ନିଜେ ବୁଲି ବୁଲି ଚା ବିକନ୍ତି। ଏହି ଲକଡାଉନ ସମୟରେ ମନୋଜ ଗ୍ରାହକଙ୍କ ପାଖକୁ ଚା ନେଇଯାଉଥିବାରୁ ବିଜୟ ସାହୁଙ୍କ ଦୋକାନରେ ଚା’ ବେପାର ଧୀରେ ଧୀରେ କମ ହେବାକୁ ଲାଗିଲା। ଏହି ଚା’ ବେପାରକୁ ନେଇ ଇର୍ଷା ପରାୟଣ ହୋଇ ଗତ କିଛି ଦିନଧରି ବିଜୟ ମନୋଜଙ୍କ ସହ ବିଭିନ୍ନ ସମୟରେ ଝଗଡା କରି ଆସୁଥିଲେ। ଗତ କାଲି ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ପରସ୍ପରକୁ ଆକ୍ରମଣ ମଧ୍ୟ କରିଥିଲେ। ଉଭୟ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ବିଜୟ ସାହୁ

ଡକ୍ଟରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିନା କାରଣରେ ମନୋଜ ମାଳି ତାଙ୍କୁ ଆକ୍ରମଣ କରିଛି ତାଙ୍କୁ ମଧ୍ୟ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଦାବି କରୁଥିବା ବେଳେ ପୋଲିସ ମନୋଜ ମାଳିଙ୍କୁ ଅଟକ ରଖି ତଦନ୍ତ କରୁଛି। ଏପଟେ କେବଳ ମନୋଜଙ୍କୁ ଗିରଫ କରାଯାଇଛି ସେ ନିର୍ଦୋଷ, ବିଜୟ ସାହୁ ପ୍ରକୃତ ଦୋଷୀ, ମୋ ସ୍ୱାମୀଙ୍କୁ ଛାଡ଼ି ଦିଆଯାଉ ଦାବିରେ ବହୁ ସମୟ ଧରି ରାଜରାସ୍ତାରେ ବସିରହିଥିଲେ ସ୍ତ୍ରୀ ହେମ। ପରେ ପୋଲିସ ପହଞ୍ଚି ତାଙ୍କୁ ବୁଝାସୁଝା କରି ରାସ୍ତା ଉପରୁ ଉଠେଇଥିଲେ। ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଉଭୟଙ୍କ ମଧ୍ୟରେ ବହୁଦିନ ଧରି ଏ ତିକ୍ତତା ଲାଗି ରହିଛି, ବହୁବାର ସମାଧାନ ମଧ୍ୟ କରାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଥାନା ଅଧିକାରୀ ତାରିକ ଅହମଦ।

Comments are closed.