ଇଡ଼କୋ ଜମି ପରିଚାଳନା ନୀତିକୁ ନେଇ ବାଣୀପଦା ପଞ୍ଚାୟତରେ ଅସନ୍ତୋଷ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ବାଣୀପଦା ପଞ୍ଚାୟତରେ ଥିବା ଇଡ଼କୋ ଜମିର ତ୍ରୁଟିପୂର୍ଣ୍ଣ ପରିଚାଳନା ହେତୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଇଡ଼କୋର ଏହି ପରିଚାଳନା ଗତ ତ୍ରୁଟି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ ସୂଚନା ଦେଇଛନ୍ତିଯେ ତତ୍କାଳୀନ ଇନ୍ଦାଣୀପାଟଣା (ଏବେ ବାଣୀପଦା ପଞ୍ଚାୟତ) ପଞ୍ଚାୟତରେ ଶିଳ୍ପ ପ୍ରତିଷ୍ଠାପାଇଁ ଇଡ଼କୋ (ଶିଳ୍ପ ଭିତିୂଭମି ଉନ୍ନୟନ ନିଗମ) ତରଫରୁ ଗତ ୧୯୮୪ ମସିହାରେ ଜମି ଅଧିଗ୍ରହଣ କରାଯିବାବେଳେ ପଞ୍ଚାୟତବାସୀଙ୍କୁ କୌଣସି ସୂଚନା ଦିଆ ଯାଇ ନଥିଲା । ପଞ୍ଚାୟତର କେଉଁ ସ୍ଥାନରେ କେତେ ଜମି ଅଧିଗ୍ରହଣ କରାଗଲା ତାହା ମଧ୍ୟ ଇଡ଼କୋ ତରଫରୁ କାହାରିକୁ ଜଣା ଗଲା ନାହିଁ । ପଞ୍ଚାୟତର ବାଣୀପଦା, ଗୋପାଳପୁର, ଦେବୀନଗର, ଗୌଷନଗର, ଚାଙ୍ଗୁଡ଼ିଆ ଆଦି ଗ୍ରାମବାସୀ ଶହଶହ ବର୍ଷ ଧରି ବ୍ୟବହାର କରୁଥିବା ଖେଳ ପଡ଼ିଆ, ମଶାଣି, ଗୋଚର ଜମି, ପୋଖରୀ ଆଦି ଆଜିବି ପୂର୍ବବତ୍ ବ୍ୟବହାର କରି ଆସୁଛନ୍ତି । ଉକ୍ତ ଜମିରେ ସରକାରଙ୍କ ତରଫରୁ ଲୋକ ମାନଙ୍କ ପାଇଁ ଜଳ ଯୋଗାଣ ପ୍ରକଳ୍ପ, ଗାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଅଂଗନୱାଡ଼ି, ଗ୍ରାମ୍ୟରାସ୍ତା ଆଦି ନିର୍ମଣ କରାଯାଇଛି । ଆଜକୁ ଦୀର୍ଘବର୍ଷ ଧରି ଲୋକମାନେ ଏସବୁ ସେବା ଲାଭ କରି ଆସୁଥିବାବେଳେ ଏବେ ଉକ୍ତ ଜମି ଛାଡ଼ିବାକୁ ଇଡ଼କୋ ତରଫରୁ ନୋଟିସ୍ ଜାରୀ କରାଯାଇଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।୧୯୮୪ ମସିହାରେ ନିର୍ମଣ କରାଯାଇଥିବା କଜଳଖଣା ବାଣୀପଦା ରାସ୍ତା ଅଞ୍ଚଳବାସୀଙ୍କ ମୁଖ୍ୟ ଯାତାୟତ ରାସ୍ତା ହୋଇଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧କୋଟି ୫୦ଲକ୍ଷ ଟଙ୍କାରେ ଏକ ଉନ୍ନତ ରାସ୍ତା ନିର୍ମାଣ କରାଯାଇଛି ।ଅଞ୍ଚଳବାସୀଙ୍କ ସହିତ ଏଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ମୁଖ୍ୟତଃ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଅନ୍ୟ ପକ୍ଷରେ ଇଡ଼କୋ ଠାରୁ ଜମି ନ ନେଇ ଏହି ଜମିରେ କିଛି ଶିଳ୍ପ ଗଢ଼ି ଉଠିଥିବା ଏବଂ ଇଡ଼କୋର ଶହଶହ ଏକର ଜମି ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବାବେଳେ ସେସବୁ ଜମିକୁ ଅକ୍ତିୟାର ନକରି ଗ୍ରାମବାସୀମାନଙ୍କ ଦୈନନ୍ଦିନ ବ୍ୟବହାରରେ ଲାଗୁୁଥିବା ଛୋଟଛୋଟ ଜମିକୁ ନେବାପାଇଁ ଇଡ଼କୋର ଜିଦ୍ ଲୋକ ମାନଙ୍କୁ ନାନା ସମସ୍ୟାରେ ପକାଇବବୋଲି ଅଭିଯେଗକରି ଜନ ସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଇଡ଼କୋ ଓ ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ନେବାପାଇଁ ସରପଞ୍ଚ ଶ୍ରୀମତୀ ସୁବୁଦ୍ଧିରାୟ ଅନୁରୋଧ କରିଛନ୍ତି ।

Comments are closed.