ସରକାରଙ୍କୁ ବସ୍‌ ମାଲିକ ସଂଘର ଚେତାବନୀ : ୧୫ ସୁଦ୍ଧା ଦାବି ପୂରଣ ନହେଲେ ୧୬ରୁ ବସ୍‌ ବନ୍ଦ

ଡିଜେଲ ଉପରେ ଭାଟ୍‌ ହ୍ରାସ ସହ ଭଡ଼ା କମାଇବା ଦାବି

ଭୁବନେଶ୍ବର : ତୈଳ ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ସିଧାସଳଖ ବସ୍‌ ବ୍ୟବସାୟ ଉପରେ ପଡୁଛି। ପୂର୍ବରୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଭଡା ବୃଦ୍ଧି କରିବାକୁ ଦାବି କରୁଥିଲେ; କିନ୍ତୁ ଏବେ ଭଡା ବୃଦ୍ଧି ଯୋଗୁଁ ଯାତ୍ରୀ ବସ୍‌ରେ ଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ମାଲିକମାନେ ବ୍ୟାପକ କ୍ଷତି ସହୁଛନ୍ତି। ଏହି ପରିପ୍ରେକ୍ଷୀରେ ତେଲ ଦର କମ୍‌ କରିବା ସହ ଭଡା ହ୍ରାସ କରିବାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛି। ଏଥିସହିତ କରୋନା ସମୟରେ ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ଯୋଗୁଁ ବସ୍‌ ଗୁଡିକ ଦୀର୍ଘଦିନ ଧରି ପଡିରହିବା ଦ୍ବାରା ଅନେକ ବସ୍‌ ଅଚଳ ହୋଇ ପଡିଛି। ମାଲିକଙ୍କ ପାଖରେ ଅର୍ଥ ଅଭାବରୁ ବସ୍‌ ମରାମତି ହୋଇ ପାରୁନାହିଁ। ସରକାର କ୍ଷତିଗ୍ରସ୍ତ ବସ ମାଲିକଙ୍କୁ ୧ ଲକ୍ଷ ଟଙ୍କା ଲେଖାଁଏ ଋଣ ପ୍ରଦାନ କରିବାକୁ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଯାବତ୍‌ ସରକାର ଏହା ଉପରେ ନିଷ୍ପତ୍ତି ନେଉନାହାନ୍ତି। ଉପରୋକ୍ତ ଦାବି ଗୁଡିକ ସରକାର ନଭେମ୍ବର ୧୫ ସୁଦ୍ଧା ପୂରଣ ନକଲେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚରମ ପଦକ୍ଷେପ ଗ୍ରହଣ କରିବ। ଅର୍ଥାତ୍ ଆସନ୍ତା ୧୬ ତାରିଖରୁ ବସ୍ ଚଳାଚଳ ବନ୍ଦ କରାଯିବ ବୋଲି ସାଧାରଣ ପରିଷଦ ବୈଠକରେ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି, ଯାତ୍ରୀବାହୀ ବସ ଚଳାଚଳ ପାଇଁ ବସ୍‌ ପିଛା ୧ ଲକ୍ଷ ଟଙ୍କା ଋଣ ସହାୟତା ପ୍ରଦାନ କରିବାକୁ ସରକାରଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା। ପ୍ରାୟ ୪ ମାସ ହେଲା ବସ ସେବା ଆରମ୍ଭ ହୋଇଛି। ଅଦ୍ୟାବଧି ମୋଟ ୧୪ ହଜାର ବସରୁ ୬୦ ପ୍ରତିଶତ ବସ୍‌ ଚଳାଚଳ କରୁଥିବା ବେଳେ ୪୦ ପ୍ରତିଶତ ବସ ରାସ୍ତାକୁ ଆସିପାରି ନାହିଁ। ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡରେ ଡିଜେଲ ଦର କମ୍‌ ରହିଛି। ରାଜ୍ୟରେ ଡିଜେଲ ଦର ଅଧିକ ରହିବା ଦ୍ବାରା ଯାତ୍ରୀ ପରିବହନ ସଂକ୍ରାନ୍ତ ଆନୁସଙ୍ଗିକ ବ୍ୟୟ ବଢୁଛି। ଯଦ୍ଦ୍ବାରା ଯାତ୍ରୀଙ୍କ ଉପରେ ଭଡା ବୃଦ୍ଧିର ବୋଝ ପଡୁଛି। ଡିଜେଲ ଉପରୁ ଭାଟ୍‌ ହ୍ରାସ କରାଯାଇ ତୈଳ ଦର କମାଇଲେ ଯାତ୍ରୀ ଭଡା କମ୍‌ ହୋଇ ପାରିବ। ମୋଟର ଯାନ ଆଇନ ଅନୁସାରେ ଯାତ୍ରୀବାହୀ ଯାନ ଗୁଡିକର କୌଣସି ସମୟ ସୀମା ନଥାଏ; କିନ୍ତୁ ବସର ସମୟ ଆଳ ଦେଖାଇ ପରମିଟ ନବୀକରଣ ବେଳେ ଅଙ୍କୁଶ ଲଗାଯାଇଛି। ୧୫ ବର୍ଷରୁ ଉର୍ଦ୍ଧ୍ବ ବସ୍ ରାସ୍ତା‌େ‌ର ଗଡି ପାରିବନାହିଁ ବୋଲି କଟକଣା ଲଗାଯାଇଛି। ସମୟ ସୀମା ଲାଗୁ ନକରି ସ୍ଥାୟୀ ପରମିଟ ପ୍ରଦାନ କରିବାକୁ ସଂଘ ଦାବି କରିଛି। ସ୍ଲିପର ସୁବିଧା ଥିବା ବସ୍‌କୁ ଦିନରେ ଚଳାଚଳ ପରମିଟ ଦିଆଯାଉ। ବସ ମାଲିକ ତୃତୀୟ ପକ୍ଷକୁ ବସ୍‌ ହସ୍ତାନ୍ତର କରିବାକୁ ଚାହୁଁଥିଲେ କେତେକ ସରକାରୀ ନିୟମ ଯୋଗୁଁ ସମ୍ଭବ ହୋଇପାରୁନାହିଁ। ଏହି କଟକଣାକୁ କୋହଳ କରାଯାଉ। ବୈଠକରେ ସଂଘର ସଭାପତି ଲୋକନାଥ ପାଣି, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ସହକୋଷାଧ୍ୟକ୍ଷ ଅଜୟ ବାରିକ ଓ ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.