ସାମାଜିକ କ୍ଷେତ୍ର ବ୍ୟୟବରାଦ ହ୍ରାସ ଚିନ୍ତାଜନକ

ସମ୍ବଳ ସଂଗ୍ରହ ଉତ୍ସ ବଢ଼ାଇବା ଉପରେ ଗୁରୁତ୍ବ l କୃଷିର ବିକାଶ, ନିଯୁକ୍ତି ସୃଷ୍ଟି ସବୁଠୁ ବଡ଼ ଆହ୍ବାନ

ଓଡ଼ିଶା ବଜେଟ ଉପରେ ଆଲୋଚନା

ଭୁବନେଶ୍ବର : ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ତୁଳନାତ୍ମକ ଭାବେ ହ୍ରାସ ପାଉଛି। ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ପୁଷ୍ଟିସାଧନ, ସାମାଜିକ ସୁରକ୍ଷା, ଗ୍ରାମାଞ୍ଚଳରେ ନିଶ୍ଚିତ କର୍ମନିଯୁକ୍ତି ​ଯୋଜନାରେ ଅର୍ଥ ଖର୍ଚ୍ଚ ହୋଇପାରୁନି। ଏହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ରାଜ୍ୟର ବିକାଶ ପାଇଁ ସମ୍ବଳ ସଂଗ୍ରହର ଉତ୍ସ ବଢ଼ାଇବାକୁ ପଡ଼ିବ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିର ସର୍ବାଙ୍ଗୀଣ ବିକାଶ ସହିତ ସାମାଜିକ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବା ଆବଶ୍ୟକ। ତୃଣମୂଳ ସ୍ତରରେ ଲୋକଙ୍କ ରୋଜଗାର ବୃଦ୍ଧି ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଣୁ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ନିରାପତ୍ତା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ସହିତ ବଜେଟ ଅର୍ଥ ଠିକଣା ଭାବେ ଖର୍ଚ୍ଚ କରାଗଲେ ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବହୁ ବିଶିଷ୍ଟ ବକ୍ତା ମତପୋଷଣ କରିଛନ୍ତି।
ସିୱାଇଏସଡ଼ି ସମ୍ମିଳନୀ କକ୍ଷରେ ଓଡ଼ିଶା ବଜେଟ ଆଣ୍ଡ ଆକାଉଣ୍ଟେବିଲିଟି ସେଣ୍ଟର, ଓଡ଼ିଶା ଇକୋ​ନୋ‌ମିକ ଆସୋସିଏସନ, ସମାଜ ଏବଂ ନନ୍ଦିଘୋଷ ଟିଭିର ମିଳିତ ଆୟୋଜନରେ ଓଡ଼ିଶା ବଜେଟ ୨୦୨୦-୨୧ ଉପରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଯୋଗଦେଇ ଓପିଏସସିର ପୂର୍ବତନ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ ବିବେକ ପଟ୍ଟନାୟକ କହିଥିଲେ ଯେ କୃଷି ଓଡ଼ିଶାର ପ୍ରମୁଖ କ୍ଷେତ୍ର ହୋଇଥିବା ବେଳେ ଏଥିରେ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ସଂଖ୍ୟା ଅଧିକ। ଜଳସେଚନ, ସମବାୟ ଓ ଅନ୍ୟାନ୍ୟ ଅର୍ଥଯୋଗାଣକାରୀ ସଂସ୍ଥାକୁ ମଜଭୁତ କରିବା ସହିତ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦ୍ବାରା ଚାଷୀମାନଙ୍କୁ ଆତ୍ମନିଯୁକ୍ତି, ରୋଜଗାର ବୃଦ୍ଧି ଓ ସାମାଜିକ ନିରାପତ୍ତା ଯୋଗାଇହେବ। ପ୍ରଫେସର ଭାଗବତ ପାତ୍ର କହିଥିଲେ ଯେ ରାଜ୍ୟର ପ୍ରଥମ ବଜେଟରେ ଯୋଜନା ଖର୍ଚ୍ଚ ୩ହଜାର କୋଟି ଥିବାବେଳେ ଏହା ଏବେ ୭୪ହଜାର କୋଟି ଟଙ୍କାରେ ପହଞ୍ଚିଲାଣି, ହେଲେ ମୋଟ ଘରୋଇ ଉତ୍ପାଦ ୬୦ହଜାର କୋଟିରୁ ଏବେ ୫ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି। ଯୋଜନା ଖର୍ଚ୍ଚ ତୁଳନାରେ ମୋଟ ଘରୋଇ ଉତ୍ପାଦ ନବଢ଼ିବା ଉଦ୍‌ବେଗର ବିଷୟ। ବଜେଟକୁ ଅଧିକ ବାସ୍ତବମୁଖୀ କରାଯିବା ଆବଶ୍ୟକ।
କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥ ବିଭାଗର ଯୁଗ୍ମ ସଚିବ ସତ୍ୟପ୍ରିୟ ରଥ କହିଥିଲେ ଯେ ମୋଟ ବଜେଟର ୬୦ପ୍ରତିଶତ କେନ୍ଦ୍ରୀୟ ଟିକସ ଓ ଅନୁଦାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ୪୮,୨୫୦କୋଟି ଟଙ୍କା ପ୍ରଦାନ ପାଇଁ ସ୍ଥିର କରିଥିଲେ। କିନ୍ତୁ ଅର୍ଥ ପ୍ରଦାନ ସମୟରେ ମଞ୍ଜୁରି ଅର୍ଥ ମୂଳ ହିସାବରୁ ୧୮ହଜାର କୋଟି ଟଙ୍କା କମିଗଲା। ଏଥର ମଧ୍ୟ ପଞ୍ଚଦଶ ଅଥ କମିଶନ ଓଡ଼ିଶା ପାଇଁ ୩୯,୫୦୦କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ପ୍ରଦାନ ପାଇଁ ସୁପାରିସ କରିଥିବାବେଳେ ଦୁଇ ମାସ ବ୍ୟବଧାନରେ ଓଡ଼ିଶାକୁ ଏହି ଅର୍ଥ ୩୬,୨୯୯କୋଟି ଟଙ୍କା ମିଳିବ ବୋଲି ହିସାବ କରାଯାଇଛି। ପାଖାପାଖି ୩୩୦୦କୋଟି ଟଙ୍କା କମିଛି। ତେଣୁ କେନ୍ଦ୍ରୀୟ ଟିକସ ଓ ଅନୁଦାନ ବାବଦ ଅର୍ଥ କମିବା କାରଣରୁ ଏହାର ପ୍ରଭାବ ଆମ ଅର୍ଥନୀତି ଉପରେ ପଡ଼ୁଛି।
ସିୱାଇଏସଡ଼ି ସହ ପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ ପିିଇବା ପାଣି, ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ କ୍ଷେତ୍ର ଉପରେ ଅଧିକ ଜୋର ଦିଆଯିବାର ଆବଶ୍ୟକତା ରହିଛି। ମନରେଗା ମିଶନ ଭିତ୍ତିରେ କାର୍ଯ୍ୟକାରୀ କରାଗଲେ ଗ୍ରାମାଞ୍ଚଳରେ ସମ୍ପତ୍ତି ସୃଷ୍ଟି ସହିତ ଶ୍ରମିକ ଦେଶାନ୍ତରୀ ରୋକାଯାଇପାରିବ। ମଡ଼େଲ ସ୍କୁଲ ବାଦ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦିଆଯିବା ସହିତ ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧକ ଘର ନିର୍ମାଣ ଓ ଭିତ୍ତିଭୂମି ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର।
ନୂଆଦିଲ୍ଲୀସ୍ଥିତ ସିବିଜିଏ କାର୍ଯ୍ୟକାରୀ ନିର୍ଦେଶକ ସୁବ୍ରତ ଦାସ କହିଥିଲେ ଯେ କେନ୍ଦ୍ରରୁ ରାଜ୍ୟକୁ ରାଜସ୍ବ ହ୍ରାସ ବଜେଟକୁ ପ୍ରଭାବିତ କରୁଛି। ଉଚ୍ଚଶିକ୍ଷା ଭଳି କେତେକ କ୍ଷେତ୍ରକୁ ଦୀର୍ଘ ବର୍ଷ ହେଲା ପ୍ରାଥମିକତା ଦିଆଯାଉନି। ରାଜ୍ୟ ସରକାର ମୋଟ ଘରୋଇ ଉତ୍ପାଦର ୪.୫ପ୍ରତିଶତ ପର୍ଯ୍ୟନ୍ତ ଋଣ କରିପାରିବେ। ଆର୍ଥିକ ନୀତିରେ ଏ ବିଷୟ ପ୍ରତିଧ୍ୟାନ ଦିଆଯିବା ଦରକାର
ପିଏଚଏଫଆଇର ଆସୋସିଏଟ ପ୍ରଫେସର ଡ.ସରିତ ରାଉତ କହିଥିଲେ ଯେ ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟରେ ମୋଟ ଘରୋଇ ଉତ୍ପାଦର ଖର୍ଚ୍ଚ ସବୁ ବଜେଟରେ ୧ରୁ ୨ପ୍ରତିଶତ ଭିତରେ ସୀମିତ ରହୁଛି। ରାଜ୍ୟରେ ପ୍ରାଥମିକ ସ୍ବାସ୍ଥସେବା ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ନାବାର୍ଡ଼ର ଅବସରପ୍ରାପ୍ତ ଏଜିଏମ ସରଳ ଦାସ କହିଥିଲେ ଯେ ଏଥର କୃଷି ବଜେଟ କମିଛି। କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ପଣ୍ୟାଗାର , କୃଷି ବଜାର, ଶୀତଳଭଣ୍ଡାର, ସୋଲାର ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ। ’ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହିତ ୨୦୨୦-୨୧ ଓଡ଼ିଶା ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନାଇଜର ରିଡ଼ର ଡ.ଅମରେନ୍ଦ୍ର ଦାସ ଏବଂ ଓବାକ ପକ୍ଷରୁ ବସନ୍ତ ନାୟକ ଏବର୍ଷର ବଜେଟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବ୍ୟୟବରାଦର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ନନ୍ଦିଘୋଷ ଟିଭିର ଅବିନାଶ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଏଥିରେ ବହୁ ନାଗରିକ ସଙ୍ଗଠନ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, ଭୁବନେଶ୍ବର ଆବାସିକ ସଂଘର ପ୍ରତିନିଧି ଉପସ୍ଥିତ ଥିଲେ।

Comments are closed.