ସଙ୍ଗରୋଧ ନିୟମକୁ ନେଇ ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ମତାନ୍ତର

ମୁମ୍ବଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲ୍ରେ ଖେଳିବାକୁ ୟୁଏଇ ପହଞ୍ଚିବା ପରେ କ୍ରିକେଟର୍ମାନେ ନିୟମାନୁଯାୟୀ ସଙ୍ଗରୋଧରେ ରହିବେ। ଅନ୍ୟପକ୍ଷରେ ଆଇପିଏଲ୍ରେ ଖେଳିବାକୁ ଥିବା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳର କ୍ରିକେଟର୍ଙ୍କ ନିମନ୍ତେ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ ବୋଲି କିଛିଦିନ ତଳେ କହିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧ୍ୟକ୍ଷ ସଞ୍ଜୀବ ଚୁରିୱାଲା।
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଦିନିକିଆ ସିରିଜ୍ ପରେ ଏହି ଦୁଇ ଦଳର କେତେକ ଖେଳାଳି ଆଇପିଏଲ୍ରେ ଭାଗ ନେବାକୁ ୟୁଏଇ ଆସିବେ। ସେମାନେ ଦିନିକିଆ ସିରିଜ୍ ନିମନ୍ତେ ଏକ ଜୈବ ନିରାପତ୍ତା ପରିଧିରେ ରହିଥିବାରୁ ଆଇପିଏଲ୍ ଖେଳିବାକୁ ୟୁଏଇ ଆସିବା ପରେ ସଙ୍ଗରୋଧରେ ରହିବା ଅନାବଶ୍ୟକ ବୋଲି ସଞ୍ଜୀବ ମତ ଦେଇଥିଲେ।
ସଞ୍ଜୀବଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଆଇପିଏଲ୍ରେ ଖେଳିବାକୁ ଥିବା ଅନ୍ୟ ୨ଟି ଫ୍ରାଞ୍ଚାଇଜିର ଅଧିକାରୀ। ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍ ବୋଲି ସେମାନେ କହିଛନ୍ତି। ୟୁଏଇ ଯିବା ପୂର୍ବରୁ ବିଭିନ୍ନ ଫ୍ରାଞ୍ଚାଇଜିର କ୍ରିକେଟର୍ମାନେ ଭାରତରେ ସଙ୍ଗରୋଧରେ ଥିବାରୁ ସେମାନେ କାହିଁକି ପୁନର୍ବାର ୟୁଏଇରେ ସଙ୍ଗରୋଧରେ ରହିବେ ବୋଲି ସଂପୃକ୍ତ ଅଧିକାରୀମାନେ ପ୍ରଶ୍ନ କରିଛନ୍ତି। ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଦେଖା ଦେଇଥିବା ମତାନ୍ତର ଖବର ବିସିସିଆଇ ନିକଟରେ ପହଞ୍ଚିବା ପରେ ବିସିସିଆଇ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ଆଇପିଏଲ୍ରେ ଭାଗ ନେବାକୁ ଥିବା ସବୁ ଫ୍ରାଞ୍ଚାଇଜିମାନେ ଆଦର୍ଶ କାର୍ଯ୍ୟପ୍ରଣାଳୀକୁ ସଠିକ୍ ଭାବେ ମାନିବାକୁ ପରାମର୍ଶ ଦିଆଯାଇଛି।