ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଧମକ ଦେବା ଘଟଣା ; ଡ୍ରାଇଭର ସମେତ ୫ ଗିରଫ

ସମ୍ବଲପୁର : ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ବଲପୁର ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(DIPRO)ଙ୍କୁ ଧମକ ଚମକ ଦେବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଅପହୃତା ଅଧିକାରୀ ହେମନ୍ତ ନାୟକଙ୍କ ଡ୍ରାଇଭର ଓ କାର୍ଯ୍ୟାଳୟର ଜଣେ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ନାଁ ଓ ପରିଚୟ ପୁଲିସ ଗୋପନ ରଖିଛି।

ଏସପିଙ୍କ ସୂଚନା ଅନୁଯାୟୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ ନାୟକ ଢେଙ୍କାନାଳ ରୁ ସମ୍ବଲପୁର କୁ ବଦଳି ହୋଇଥିଲା। କାର୍ଯ୍ୟରେ ଯୋଗ ଦେବା ପାଇଁ ହେମନ୍ତ ନାୟକ ଗତ ୨୮ ତାରିଖରେ ସମ୍ବଲପୁର ଆସିଥିଲେ। କ୍ଷେତରାଜପୁର ରେଳ ଷ୍ଟେସନରୁ କିଛି ଦୁର୍ବୃର୍ତ୍ତମାନେ ତାଙ୍କୁ ବନ୍ଧୁକ ମୁନରେ ଧମକ ଦେଇଥିଲେ। ଏହା ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ। ପରେ ତାଙ୍କୁ ଧମକ ଚମକ ଦେଇ ସମ୍ବଲପୁର ଛାଡି ପଳାଇବାକୁ କହିଥିଲେ। ଭୟରେ ସେ ଭୁବନେଶ୍ୱର ପଳାଇଥିଲେ ଓ ଶୁକ୍ରବାର ସକାଳେ ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ୩ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସଂପୃକ୍ତ ତାଙ୍କ ଡ୍ରାଇଭର ଓ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ସେମାନଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଏଥିରେ ସଂପୃକ୍ତ ଥିବା ଅନ୍ୟ ୩ଜଣ ସହଯୋଗଙ୍କୁ ପୁଲିସ ଗିରଫ କରିଥିଲା। ତେବେ ତଦନ୍ତରେ ବାଧା ସୃଷ୍ଟି ହେବ ଆଶଙ୍କା କରି ପୁଲିସ ତିନି ସହଯୋଗୀଙ୍କ ନାମ ଓ ପରିଚୟ ଗୋପନ ରଖିଛି। ଡ୍ରାଇଭର ଦେବାନନ୍ଦ ରଣବିଡା ଓ ଷ୍ଟୋର କିପର ଅଶ୍ୱିନୀ ମାଳାକାର ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ପାଇଁ ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସମ୍ବଲପୁର ଏସପି ଡା. କନବର ବିଶାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସମ୍ବଲପୁର କାର୍ଯ୍ୟାଳୟରେ ହେମନ୍ତ ନାୟକ କିପରି ଯୋଗ ଦେଇ ନପାରିବେ ସେ ନେଇ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଏସପି କହିଛନ୍ତି।

Comments are closed.