ଅବସାଦଗ୍ରସ୍ତ ଯୁବପିଢ଼ି

ନିକଟରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଲକ୍-ଡାଉନ୍ ପୂର୍ବ ଓ ପରର ସ୍ଥିତି ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। କେବଳ ଭାରତରେ ୫୧.୬% ଯୁବବର୍ଗ ଏବେ ମାନସିକ ଚାପରେ ଅଛନ୍ତି। କରୋନା ଭାଇରସ୍ କାରଣରୁ ଜୀବନଶୈଳୀ ଓ କାର୍ଯ୍ୟଶୈଳୀ ଉଭୟ ପରିବର୍ତ୍ତନ ହୋଇଛି। ଅନ୍ତର୍ଜାତୀୟସ୍ତରର କମ୍ପାନୀଗୁଡ଼ିକ ମଧ୍ୟ ବର୍ତ୍ତମାନ ସମୟରେ ସେମାନଙ୍କ କର୍ମଚାରୀଙ୍କୁ ଯଥା ସମୟରେ ଦରମା ଦେଇପାରୁନାହାନ୍ତି। ସଂଖ୍ୟାଧିକ କମ୍ପାନୀ କର୍ମଚାରୀ ଛଟେଇ କରୁଥିବାର ପ୍ରକାଶ। ଦିଲ୍ଲୀର ଜନୈକ ବ୍ୟବସାୟୀ ୪୫ ବର୍ଷୀୟ ହରବିନ୍ଦର ସିଂ(ଛଦ୍ମ ନାମ) କହିଛନ୍ତି ଖର୍ଚ୍ଚ ବଢ଼ିବାରେ ଲାଗିଛି, କିନ୍ତୁ ଆୟ ବଢ଼ୁନାହିଁ। ଦିଲ୍ଲୀର ଅନ୍ୟତମ ଲୋକପ୍ରିୟ ବଜାର ଭାବେ ସରୋଜିନୀ ମାର୍କେଟ ଜଣାଯାଏ। ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାରେ ଭିଡ଼ ଲଗାଉଥିଲେ। ନାମୀ ବ୍ରାଣ୍ଡର ପୋଷାକ ଏହି ବଜାରରେ ଖୁବ୍ ଶସ୍ତାରେ ମିଳିଯାଏ। ସେଠାରେ ଏବେ ଅଧିକାଂଶ ଦୋକାନୀ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାହକଙ୍କ ଭିଡ଼ ନଥିବାବେଳେ କର୍ମଚାରୀଙ୍କୁ ଦରମା ସହ ବିଦ୍ୟୁତ୍ ବିଲ୍, ଦୋକାନ ଭଡ଼ା କିପରି ଦେବେ ବୋଲି ଏ ନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ପରିସ୍ଥିତି ସମ୍ମୁଖକୁ ଆସିବ ବୋଲି ଚିନ୍ତା କରିନଥିଲେ ବେଙ୍ଗାଲୁରୁ ନିବାସୀ ଜନୈକ କର୍ମଜୀବୀ ଅନିତା ଠାକୁର୍ କହିଛନ୍ତି। ସେ କାମ କରୁଥିବା କମ୍ପାନୀ ଏବେ ଦରମା କାଟ୍ ଆରମ୍ଭ କରିଛି। ଘର ପାଇଁ ଲୋନ୍ ଚାଲିଥିବାବେଳେ ଝିଅର ପାଠପଢ଼ା ଖର୍ଚ୍ଚ ଅନ୍ୟପାଖେ ତାଙ୍କ ସ୍ବାମୀଙ୍କ ବ୍ୟବସାୟ ଠପ୍ ହୋଇପଡ଼ିଛି। ଆୟକୁ ନେଇ ଯୁବପିଢ଼ି ଏବେ ମାନସିକ ଚିନ୍ତାରେ ଥିବାର ଦେଖାଯାଉଛି। ୪୭୮ଲୋକଙ୍କ ଉପରେ ଅନ୍-ଲାଇନ୍ ସର୍ବେକ୍ଷଣ କରାଯାଇଥିଲା। ୩୧୧ଜଣ ବ୍ୟକ୍ତି ଆଗାମୀ ଦିନର ସ୍ଥିତିକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି ବୋଲି କହିଛନ୍ତି।

Comments are closed.