କାର୍ଯ୍ୟକାଳର ଅନ୍ତିମ ୧୯ ଦିନରେ ୧୦ ମାମଲାର ଶୁଣାଣି କରିବେ ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ କରିବେ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୨ ସରକାରୀ ଛୁଟି ହୋଇଥିବାରୁ ଅକ୍ଟୋବର ୧ ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ ହେବ। ଅନ୍ୟପଟେ ଆଗାମୀ ଏକ ମାସ ମଧ୍ୟରେ ସମସ୍ତ ଛୁଟି ଦିନଗୁଡିକୁ ବାଦ୍‍ ଦେଲେ ପ୍ରଧାନ ବିଚାରପତି ଭାବେ ମିଶ୍ରଙ୍କ କାର୍ଯ୍ୟକାଳ ଆଉ ମାତ୍ର ୧୯ ଦିନ ବାକି ରହିଛି। ଏହି ସ୍ୱଳ୍ପ ସମୟ ମଧ୍ୟରେ ସେ ଆଧାର, ଅଯୋଧ୍ୟା ବିବାଦ, ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ, ସମଲିଙ୍ଗ ସମ୍ପର୍କ (ଆଇପିସି ଧାରା ୩୭୭)କୁ ଅପରାଧମୁକ୍ତ କରିବା ଭଳି ୧୦ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ଜାତିଭେଦ ସମ୍ବନ୍ଧୀୟ ମାମଲା ଏବଂ ସରକାରୀ ଚାକିରିରେ ଏସ୍‍ଟି/ଏସ୍‍ଟି ବର୍ଗର କର୍ମଚାରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସମ୍ବନ୍ଧୀୟ ଆବେଦନ ତାଙ୍କ ନିକଟରେ ବିଚାରାଧୀନ ରହିଛି। ଏଥିସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଅପରାଧ ମାମଲାରେ ଅଭିଯୁକ୍ତ ରାଜନେତାଙ୍କୁ କେଉଁ ପର୍ଯ୍ୟାୟରେ ଅଯୋଗ୍ୟ ଘୋଷଣା କରାଯିବ ତାହା ଉପରେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ନିଷ୍ପତ୍ତି ନେବାର ଯୋଜନା ରହିଛି। ଏହି ମାମଲାରେ ମିଶ୍ରଙ୍କ ପୀଠର ରାୟ ଖୁବ୍‍ ଗୁରୁତ୍ୱ ବହନ କରେ। କାରଣ ଭାରତୀୟ ରାଜନୀତିକୁ ସ୍ୱଚ୍ଛ କରିବାରେ ଏହି ରାୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ରାଜନୀତିର ଅପରାଧିକରଣ ରୋକିବାରେ ଏହା ସହାୟକ ହେବ। ଏତଦ୍‍ଭିନ୍ନ ମିଶ୍ରଙ୍କ ପୀଠ ଦାଉଦୀ-ବୋହରା ମୁସଲମାନ ମହିଳାଙ୍କ ଖତନେ ପ୍ରଥା ଏବଂ ହିନ୍ଦୁଙ୍କୁ ବିବାହ କରିବା କ୍ଷେତ୍ରରେ ପାର୍ସି ମହିଳାଙ୍କୁ ସେମାନଙ୍କ ପିତାଙ୍କ ଅନ୍ତିମ ସତ୍କାରରେ ସାମିଲ କରା ନ ଯିବା ପରମ୍ପରା ବିରୋଧୀ ମାମଲାର ଅନ୍ତିମ ଶୁଣାଣି କରିବାର ସମ୍ଭାବନା ରହିଛି। ଏଣୁ ଆଗାମୀ ୧୯ ଦିନ ମହିଳାଙ୍କ ଅଧିକାର ଦୃଷ୍ଟିକୋଣରୁ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ। ସେହିଭଳି ୨୦୧୦ରେ ଆହ୍ଲାବାଦ୍‍ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କେଉଁ ପୀଠରେ କରାଯିବ ତାହା ବିଦାୟ ନେବାକୁ ଯାଉଥିବା ପ୍ରଧାନ ବିଚାରପତି ମିଶ୍ରଙ୍କ ପୀଠ ସ୍ଥିର କରିବେ।

Leave A Reply