ଧନ୍‌ତେରାସ୍‌ରେ କିଣନ୍ତୁ ଏଇସବୁ ଜିନିଷ

ଆମ ଭାରତୀୟ ପର୍ବପର୍ବାଣିରେ ଦୀପାବଳି ଓ ଧନ୍‌ତେରାସ୍‌ ପର୍ବକୁ ବିଭିନ୍ନ ବର୍ଗର ଲୋକ ଖୁବ୍ ଜାକଜମକରେ ପାଳନ କରିଥାନ୍ତି। ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେତେକ ପ୍ରାନ୍ତରେ ବାଣ ଫୁଟାଇବା କଟକଣା କରାଯାଇଛି। ହେଲେ ଘରେ ସପରିବାର ଏଇ ପର୍ବକୁ ପାଳନ କରିପାରିବେ। ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳିରେ କେତୋଟି ସାମଗ୍ରୀ କିଣିଲେ, ଘରେ ଧନଧାନ୍ୟ ଓ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
– ମାଟି ଦୀପ ଏଇ ପର୍ବରେ କିଣିବା ଭଲ। ରଙ୍ଗବେରଙ୍ଗ ଏଲଇଡି ବତି ପରିବର୍ତ୍ତେ ଘର, ବାଲକୋନି, ଛାତ ଉପରେ ସବୁଠାରେ ଦୀପ ଲଗାନ୍ତୁ। ଧନ୍‌ତେରାସ୍‌ରେ ଛୋଟଛୋଟ ମାଟି ଦୀପ ଘରକୁ କିଣିଆଣନ୍ତୁ। ଏହା ସମୃଦ୍ଧିର ପ୍ରତୀକ ଭାବେ କେଉଁ କାଳରୁ ପ୍ରଥା ରହିଆସିଛି।
– ଦୀପାବଳିରେ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜାର ବିଧି ରହିଛି। ଧନ୍‌ତେରାସ୍‌ ଦିନ ହିଁ ଲକ୍ଷ୍ମୀ-ଗଣେଶଙ୍କ ମାଟି ପ୍ରତିମୂର୍ତ୍ତି ଘରକୁ କିଣିଆଣନ୍ତୁ।
– ଧନ୍‌ତେରାସ୍‌ ଅବସରରେ ପାଞ୍ଚ ଗୋମତି ଚକ୍ର କିଣିବା ମଧ୍ୟ ଶୁଭ ଫଳ ପ୍ରଦାନ କରେ। ଦୀପାବଳି ଦିନ ଗୋମତି ଚକ୍ର ପୂଜା କରିବା ସହ ତହିଁ ଆରଦିନ ଏଇ ଚକ୍ରକୁ ଆଲମାରିର ଟଙ୍କା ଥାକରେ ରଖନ୍ତୁ।
– ରୁପା ବସ୍ତୁ ଧନ୍‌ତେରାସ୍‌ରେ କିଣିଲେ ଘରେ ସୁଖ, ସମୃଦ୍ଧି ବୃଦ୍ଧି ହେଉଥିବାର ବିଶ୍ବାସ ରହିଛି। ରୁପାର ଯେ କୌଣସି ଛୋଟ ବସ୍ତୁ କିଣି ଆଣି ଘରେ ପୂଜା କରିବା ଶୁଭ ଫଳ ପ୍ରଦାନ କରେ।
– ଝାଡ଼ୁ ଧନ୍‌ତେରାସ୍‌ରେ ଘରକୁ କିଣି ଆଣନ୍ତୁ। ମନେରଖନ୍ତୁ, ଏଇ ଝାଡ଼ୁର ବ୍ୟବହାର ଦୀପାବଳି ପରଦିନ ହିଁ କରିବେ। ଘରେ ଥିବା ପୁରୁଣା ଝାଡ଼ୁକୁ ମଧ୍ୟ ସେଇଦିନ ଫିଙ୍ଗିବେ।

Comments are closed.