କେକେଆର୍‌କୁ ଚମ୍ପିଆନ୍‌ କରାଇବା ଲକ୍ଷ୍ୟରେ ଦିନେଶ କାର୍ତ୍ତିକ

ଦୁବାଇ : ଆଇପିଏଲ୍‌ର ଚଳିତ ସଂସ୍କରଣରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳର ନେତୃତ୍ବ ନେବେ ଦିନେଶ କାର୍ତ୍ତିକ। ଚଳିତଥର ଆଇପିଏଲ୍‌ରେ ଦିନେଶ କାର୍ତ୍ତିକ କେକେଆର୍ ଦଳକୁ ଚମ୍ପିଆନ୍ କରାଇ ପାରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବଲିଉଡ୍ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଏହି ଦଳର ମାଲିକ ହୋଇଥିବା ବେଳେ ଦଳ ୨୦୧୨ ଓ ୨୦୧୪ରେ ଆଇପିଏଲ୍‌ ଚମ୍ପିଆନ୍‌ ହୋଇଛି। ଦିନେଶ କାର୍ତ୍ତିକ କେକେଆର୍‌ ଦଳକୁ ତୃତୀୟଥର ପାଇଁ ଆଇପିଏଲ୍‌ ଚମ୍ପିଆନ୍ କରାଇପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। କେକେଆର୍‌ ଦଳରେ କାର୍ତ୍ତିକଙ୍କ ବ୍ୟତୀତ ଇଅନ୍‌ ମୋର୍ଗାନ୍ ଓ ପାଟ୍‌ କମିନ୍‌ସଙ୍କ ପରି ତାରକା କ୍ରିକେଟର୍‌ ରହିଛନ୍ତି। କମିନ୍‌ସଙ୍କୁ କେକେଆର୍‌ ଦଳ ୧୫.୫ କୋଟି ଟଙ୍କାରେ କିଣିଥିବା ବେଳେ ମୋର୍ଗାନ୍ ଇଂଲଣ୍ଡ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳର ଅଧିନାୟକ ରହିଛନ୍ତି। ମୋର୍ଗାନ୍‌ଙ୍କ ନିକଟରେ ବିପୁଳ ଅଭିଜ୍ଞତା ରହିଥିବାରୁ ଏହାଦ୍ବାରା ଦିନେଶ କାର୍ତ୍ତିକ ଲାଭବାନ୍‌ ହୋଇପାରିବେ ବୋଲି ଆଶା ରହିଛି।
ୟୁଏଇର ପିଚ୍ ଧିମା ରହିବ ଏବଂ ଏହା ସ୍ପିନର୍‌ଙ୍କୁ ବେଶ୍‌ ସୁହାଇବ ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ଦେଇଛନ୍ତି। କେକେଆର୍ ଦଳରେ ସୁନୀଲ ନାରାୟଣ, କୁଲଦୀପ ଯାଦବ, ରିଙ୍କୁ ସିଂହ, ଏମ୍.ସିଦ୍ଧାର୍ଥ ଓ ବରୁଣ ଚକ୍ରବର୍ତ୍ତୀ ସ୍ପିନର ଭାବେ ରହିଛନ୍ତି। ଆଇପିଏଲ୍‌ର ଗତ ସଂସ୍କରଣରେ କାର୍ତ୍ତିକ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ବେଳେ ଚଳିତ ସିଜିନ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା ରଖିଛି। ଦଳରେ ଦ୍ରୁତ ବୋଲର ପାଟ୍‌ କମିନ୍‌ସ, ଲୋକି ଫର୍ଗୁସନ୍‌, ଆ​‌େ​‌ନ୍ଦ୍ର ରସେଲ୍‌, ପ୍ରସିଦ୍ଧ କ୍ରିଷ୍ଣା, କମଳେଶ ନାଗରକୋଟି, ଶିବମ୍ ମାଭି ଓ ସନ୍ଦୀପ ୱାରିୟର ପ୍ରମୁଖ ରହିଛନ୍ତି।
କେକେଆର୍‌ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଭାବେ ରସେଲ୍‌, ମୋର୍ଗାନ୍‌, ନୀତିଶ ରାଣା, ଶୁବମାନ୍‌ ଗିଲ୍‌, ଦିନେଶ କାର୍ତ୍ତିକ ପ୍ରମୁଖ ରହିଛନ୍ତି। ଏମାନଙ୍କ ବ୍ୟତୀତ ସୁନୀଲ ନାରାୟଣ ଓ ଇଂଲଣ୍ଡର ଯୁବ ବ୍ୟାଟସମ୍ୟାନ୍‌ ଟମ୍‌ ବାଣ୍ଟନ୍‌ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାକୁ ସକ୍ଷମ। ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରେ ବାଣ୍ଟନ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୪୩ ରହିଥିବାରୁ ତାଙ୍କୁ କେକେଆର୍‌ ଦଳ ବ୍ୟାଟିଂ ଓପନିଂ କରିବାକୁ ସୁଯୋଗ ଦେଇପାରେ। କେକେଆର୍‌ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ରହିଥିବାରୁ ଯଦି ସମସ୍ତ ଖେଳାଳି ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରନ୍ତି ତେବେ ଦଳ ଚମ୍ପିଆନ୍ ହେବ ବୋଲି ଆଶା କରାଯାଉଛି।

Comments are closed.