ଛତିଗଡ଼ର ମହାସମୁନ୍ଦ ଜିଲାରୁ ୪୦୦ ହୀରା ଜବତ

ନୂଆପଡ଼ା: ନୂଆପଡ଼ା ଜିଲା ସିନାପାଲି ସୀମାନ୍ତରୁ ଗତବର୍ଷ ୧୭୦ ଖଣ୍ଡ ହୀରା ଜବତ କରାଯାଇଥିଲା ବେଳେ ଗତ ବୁଧବାର ପଡୋଶୀ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲା ପିଥୋରାରୁ ୪୦୦ ଖଣ୍ଡ ହୀରା ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣକୁ ମହାସମୁନ୍ଦ ପୁଲିସ ଗିରଫ କରିଛି।

ଗତକାଲି ପିଥୋରା ଥାନା ଅନ୍ତର୍ଗତ ଟେକା ଗ୍ରାମରେ ହୀରା କାରବାର ହେଉଥିବା ସୂଚନାପାଇ ପୁଲିସ ଛପି ରହିଥିଲା। ପିଥୋରା ଦେଇ ଯାଇଥିବା ଜାତୀୟ ରାଜପଥ-୫୩ ପାର୍ଶ୍ବ ତେକ ଗ୍ରାମ ନିକଟରେ ପୁଲିସକୁ ଦେଖି ଜଣେବ୍ୟକ୍ତି ଦୌଡି ପଳାଇଥିଲା। ତେବେ ପୁଲିସ କର୍ମଚାରୀମାନେ ତା’କୁ କାବୁ କରି ପଚରାଉଚୁରା ପରେ ତା’ ନାମ ଭାରତ ଭୋଇ (୪୦)ଏବଂ ଗ୍ରାମ ପିଥୋରା ଥାନା ଅନ୍ତର୍ଗତ ଟେକା ବୋଲି ଜଣାପଡିଥିଲା ା ଯାଞ୍ଚରୁ ତା’ ପକେଟରୁ ଏକ ପଲିଥିନରେ ଥିବା ୪୦୦ ଖଣ୍ଡ ହୀରା ମିଳିଥିଲା। ଯାହାର ଓଜନ ୦୯.୫୬୦ ଗ୍ରାମ ଏବଂ ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଏଠାରେ ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲା ଦେଭୋଗ ନିକଟ ପାୟଲିଖଣ୍ଡ ଖଣିରୁ ବେଆଇନ ହୀରା ଉତ୍ତୋଳନ କରି ଚୋରାରେ ମୁମ୍ବାଇ, ସୁରତକୁ ଚାଲାଣ ହେଉଛି।

Comments are closed.