ବଦଳିବ ସୁନ୍ଦରଗଡ଼ ରାଜନୀତି ସମୀକରଣ?

0

ଭୁବନେଶ୍ୱର: ବରିଷ୍ଠ ନେତା ଦିଲ୍ଲୀପ ରାୟ ରାଉରକେଲା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସକାଳେ ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ନିର୍ବାଚନ କମିଶନ୍‍ଙ୍କ ନିକଟକୁ ପଠାଇ ଦିଆଯାଇଥିବା ବାଚସ୍ପତି ପ୍ରଦୀପ ଅମାତ ଘୋଷଣା କରିଛନ୍ତି। ଏହା ପରେ ଦିଲ୍ଲୀପ ରାୟ ଟ୍ୱିଟ୍‍ କରି ବିଜେପିରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ବିଜେପିରୁ ଶ୍ରୀ ରାୟ ଇସ୍ତଫା ଦେବେ ବୋଲି ବହୁ ଦିନରୁ ଚର୍ଚ୍ଚା ହୋଇ ଆସୁଥିଲା। ଶୁକ୍ରବାର ଦିନ ସେ କେବଳ ଏକ ଔପଚାରିକତା ପୂରଣ କରିଛନ୍ତି। ଅବଶ୍ୟ ବିଧାୟକ ପଦରୁ ଇସ୍ତଫା ଘୋଷଣା ରାଜ୍ୟବାସୀ ବିଶେଷକରି ରାଉରକେଲାବାସୀଙ୍କୁ ନିରାଶ କରିଛି।
ରାଜନୈତିକ ବିଶାରଦଙ୍କ ମତରେ ବିଧାୟକ ପଦରୁ ଶ୍ରୀ ରାୟଙ୍କ ଇସ୍ତଫା ଘୋଷଣା ଆକସ୍ମିକ ନ ଥିଲା। ତିନି ଚାରିଦିନ ତଳୁ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଥିଲା। ଶ୍ରୀରାୟଙ୍କ ଉଭୟ ପଦରୁ ଇସ୍ତଫା ପରେ ଏବେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ଆଲୋଚନା ହେଉଛି।
ରାଉରକେଲାବାସୀଙ୍କ ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଓ ରାଉରକେଲା ଇସ୍ପାତ୍‍ ଜେନେରାଲ୍‍ ହସ୍ପିଟାଲ୍‍କୁ ସୁପରସ୍ପେଶାଲିଟି ହସ୍ପିଟାଲ୍‍ ଓ ମେଡିକାଲ୍‍ କଲେଜ୍‍ ରୂପେ ବିକଶିତ କରିବା ପାଇଁ ନିର୍ବାଚିତ ଜନପ୍ରତିନିଧି ରୂପେ ଦିଲ୍ଲୀପ ରାୟ ରାଉରକେଲାବାସୀଙ୍କ ନିକଟରେ ଉତ୍ତରଦାୟୀ ଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ଏହି ଦୁଇଟି ପ୍ରସଙ୍ଗରେ ନରେନ୍ଦ୍ର ମୋଦୀ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ନେବା ପରେ ନରେନ୍ଦ୍ର ମୋଦୀ ୨୦୧୫ରେ ରାଉରକେଲା ଗସ୍ତ ଅବସରରେ ଆଇଜି ସୁପରସ୍ପେଶାଲିଟି ହସ୍ପିଟାଲ୍‍ ପାଇଁ ଘୋଷଣା କରିଥିଲେ ମଧ୍ୟ ସେ ଦିଗରେ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଆଦୌ ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ଘୋଷଣା କାର୍ଯ୍ୟକାରୀ ହୋଇପାରିନାହିଁ।
ସେହିପରି ଅନେକ ବାବବିବାଦ, ଆଲୋଚନା ପର୍ଯ୍ୟାଲୋଚନା ପରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ଓ ଜାହଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରି ସେତୁର ଶିଳାନ୍ୟାସ କରିଥିଲେ ମଧ୍ୟ ପ୍ରକଳ୍ପର ପାଦେ ବି ଅଗ୍ରଗତି ହୋଇନି। ଦୀର୍ଘ ଦିନ ଧରି ପ୍ରଚେଷ୍ଟା ପରେ ମଧ୍ୟ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରିନଥିବାରୁ ଜଣେ ଉତ୍ତରଦାୟୀ ରାଜନେତା ଭାବରେ ଶ୍ରୀ ରାୟ ଦଳୀୟ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା। ଦଳୀୟ ପଦ ସହିତ ବିଧାୟକ ପଦରୁ ଇସ୍ତଫା ଦେଇ ଭୋଟରଙ୍କ ପ୍ରତି ସେ ତାଙ୍କର ଉତ୍ତରଦାୟିତ୍ୱକୁ ପ୍ରମାଣିତ କରିଛନ୍ତି। ଏଥିସହିତ ୨୦୧୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରି ସେ ଭୋଟସର୍ବସ୍ୱ ରାଜନୀତି କରନ୍ତି ନାହିଁ ବୋଲିି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିବା କୁହାଯାଉଛି।
ଏତଦ୍‍ବ୍ୟତୀତ ଦଳୀୟ ନୀତିଗତ ନିଷ୍ପତ୍ତିରେ ବିଧାୟକ ଶ୍ରୀ ରାୟଙ୍କୁ କଣଠେସା କରାଯାଉଥିବା ରାଜନୀତି ସମୀକ୍ଷକମାନେ ଆଲୋଚନା କରି ଆସୁଥିଲେ। ଏହି ସବୁ କାରଣରୁ ଓଡ଼ିଶାରେ ଆୟୋଜିତ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଦିଲ୍ଳୀପଙ୍କ ଅନୁପସ୍ଥିତି ଦେଖିବାକୁ ମିଳୁଥିଲା। ଏକ ପକ୍ଷରେ ପ୍ରତିଶ୍ରୁତି ପୂରଣ କରି ନପାରିବାର ଅନୁଶୋଚନା ଓ ଅନ୍ୟ ପକ୍ଷରେ ଦଳ ଭିତରେ କଣଠେସା ହୋଇ ରହିବାର ଆତ୍ମଗ୍ଲାନି ଯୋଗୁଁ ଦିଲ୍ଲୀପ ଏଭଳି କଠୋର ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଭବିଷ୍ୟତ କାର୍ଯ୍ୟପନ୍ଥା

ଉଭୟ ବିଧାୟକ ପଦ ଓ ବିଜେପି ତ୍ୟାଗ କରିଥିଲେ ହେଁ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ନେଇ ଦିଲ୍ଳୀପ ରାୟ ସ୍ପଷ୍ଟ କରିନାହାନ୍ତି। ଇସ୍ତଫା ଦେବା ପରେ ସେ ଆମେରିକା ଗସ୍ତରେ ଯାଇଥିବା ନିକଟତମ ମହଲରୁ ସୂଚନା ମିଳିଛି। ସେଠାରୁ ଫେରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଓ ଯୋଜନା ବିଷୟରେ ସୂଚନା ମିଳିପାରେ। ଶ୍ରୀ ରାୟ ବିଜେଡିରେ ମିଶିବେ ବୋଲି ଗୋଟିଏ ମହଲ ଦାବି କରୁଥିବା ବେଳେ ଅନ୍ୟ ଏକ ମହଲ ଏଭଳି ସମ୍ଭାବନାକୁ ଅସ୍ୱୀକାର କରିଛି। ତେବେ ଏଥିପାଇଁ ରାଜନୈତିକ ବିଶାରଦଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ପ୍ରଭାବିତ ହୋଇପାରେ ବିଜେପି ଭୋଟ

ଦିଲ୍ଲୀପ ରାୟଙ୍କ ଦଳ ତ୍ୟାଗ ପରେ ପଶ୍ଚିମ ଓଡ଼ିଶା ବିଶେଷକରି ସୁନ୍ଦରଗଡ଼ରେ ବିଜେପିର ଭୋଟ କମିପାରେ ବୋଲି ଚର୍ଚ୍ଚା ହେଉଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନରୁ ଜିତିଥିବା ଜୁଏଲ୍‍ ଓରାମ୍‍ ଓଡ଼ିଶାରୁ ଏକମାତ୍ର ନିର୍ବାଚିତ ବିଜେପି ଜନପ୍ରତିନିଧି ହେବାର ସୌଭାଗ୍ୟ ହାସଲ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ରାଉରକେଲାରୁ ମିଳିଥିବା ଭୋଟ ହିଁ ନିର୍ଣ୍ଣାୟକ ହୋଇଥିଲା ଏବଂ ଏଥିରେ ଦିଲ୍ଳୀପ ରାୟଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଥିବା କୁହାଯାଉଥିଲା। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏବଂ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ଇତିମଧ୍ୟରେ ବିଜେପି ସଂଗଠନ ରାଜ୍ୟରେ ଅବଶ୍ୟ କିଛିମାତ୍ରାରେ ଦୃଢ଼ ଓ ସଂଗଠିତ ହୋଇଛି। କିନ୍ତୁ ଦିଲ୍ଳୀପ ରାୟଙ୍କ ଦଳରେ ଅନୁପସ୍ଥିତି ବିଜେପିର ଭୋଟ ହାରକୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି। ବିଜୟ ଓ ଦିଲ୍ଲୀପ ଦଳ ଛାଡ଼ିଲେ ବିଜେପି ନିଶ୍ଚିତ ରୂପେ କ୍ଷତିଗ୍ରସ୍ତ ହେବ ବୋଲି ନିିକଟରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‍ ଓରାମ କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜଣେ ନିଃସ୍ୱାର୍ଥପର, କର୍ମଠ, ଶାନ୍ତ, ମେଳାପୀ ଓ ସମର୍ପିତ ରାଜନେତା ଭାବରେ ଦିଲ୍ଲୀପ ରାୟଙ୍କ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟତା ଓ ଆଦୃତି ରହିଛି। ତେଣୁ ତାଙ୍କ ଭଳି ଜଣେ ନେତା ଯଦି କୌଣସି ଦଳ ଛାଡ଼ୁଛନ୍ତି ତେବେ ଉକ୍ତ ଦଳ ଉପରେ ଭୋଟରଙ୍କ ନାକାରାତ୍ମକ ଭାବନା ଆସିପାରେ ବୋଲି ରାଜନୀତି ବିଶାରଦମାନେ କହିଛନ୍ତି।

ଗୌରୀ ପ୍ରସାଦ ମହାପାତ୍ର

Leave A Reply