ଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତର ପ୍ରମୁଖ ଆଧାର : ପ୍ରଧାନମନ୍ତ୍ରୀ

‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

-ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଦ୍ରୁତ ଲାଭ, ସମ୍ପୂର୍ଣ୍ଣ ଲାଭ, ଡିଜିଟାଲ ଇଣ୍ଡିଆର ଅର୍ଥ ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ : ପ୍ରଧାନମନ୍ତ୍ରୀ
-କରୋନା କାଳରେ ଭାରତର ଡିଜିଟାଲ ସମାଧାନ ସାରା ବିଶ୍ବର ଧ୍ୟାନ ଆକର୍ଷଣ କରିଛି 
-୧୦ କୋଟିରୁ ଊର୍ଦ୍ଧ୍ବ ପରିବାରଙ୍କ ଆକାଉଣ୍ଟରେ ଜମା ହୋଇଛି ୧.୩୫ ଲକ୍ଷ କୋଟି 
-ଏକ ରାଷ୍ଟ୍ର-ଏକ ଏମଏସପି ଭାବନାକୁ ବାସ୍ତବ ରୂପ ଦେଇଛି ଡିଜିଟାଲ ଇଣ୍ଡିଆ 

‘ଡିଜିଟାଲ ଇଣ୍ଡିଆ’ ଅଭିଯାନକୁ ଛଅ ବର୍ଷ ପୂରଣ ହେବା ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନବୋନ୍ମେଷ ପାଇଁ ଉତ୍ସାହ ପ୍ରକଟ କରିବା ସହିତ ଦ୍ରୁତ ଗତିରେ ଏହିସବୁ ନବୋନ୍ମେଷକୁ ଗ୍ରହଣ କରିବା ଲାଗି ସାମର୍ଥ୍ୟକୁ ପ୍ରକଟ କରିଛି। ଡିଜିଟାଲ ଇଣ୍ଡିଆ ହେଉଛି ଭାରତର ସଂକଳ୍ପ। ଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତର ପ୍ରମୁଖ ଆଧାର। ଡିଜିଟାଲ ଇଣ୍ଡିଆ ହେଉଛି ଏକ ଦୃଢ଼ ଭାରତୀୟ ଅବତାର ଯାହା ଏକବିଂଶ ଶତାବ୍ଦୀରେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ତାଙ୍କର ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନର ମନ୍ତ୍ରକୁ ଦୋହରାଇଥିଲେ ଏବଂ ଡିଜିଟାଲ ଇଣ୍ଡିଆ କିଭଳି ଭାବେ ସରକାର ଓ ଜନସାଧାରଣ, ବ୍ୟବସ୍ଥା ଓ ସୁବିଧା, ସମସ୍ୟା ଓ ସମାଧାନ ମଧ୍ୟରେ ଶୂନ୍ୟସ୍ଥାନକୁ ହ୍ରାସ କରିବା ଲାଗି ସାଧାରଣ ନାଗରିକମାନଙ୍କୁ ସଶକ୍ତ କରିଛି ତାହା ବର୍ଣ୍ଣନା କରିଥିଲେ। ବିଶେଷ କରି ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଡିଜିଲକର କିଭଳି ଭାବେ ସହାୟକ ହୋଇଛି ତାହାର ଉଦାହରଣ ସେ ଦେଇଥିଲେ। ସାରା ଦେଶରେ ବିଦ୍ୟାଳୟ ପ୍ରମାଣପତ୍ର, ଚିକିତ୍ସା ଦସ୍ତାବିଜ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ର ଡିଜିଟାଲ ମାଧ୍ୟମରେ ସଂରକ୍ଷିତ କରି ରଖାଯାଉଥିବା ସେ କହିଥିଲେ। ସେ କହିଥିଲେ ଯେ ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର ହାସଲ କରିବା, ଇଲେକ୍ଟ୍ରି ବିଲ ପଇଠ କରିବା, ପାଣି ବିଲ୍ ପଇଠ କରିବା, ଆୟକର ରିଟର୍ଣ୍ଣ ଦାଖଲ କରିବା ଆଦି ସେବା ମିଳିବା ଏବେ ସହଜ ଓ ଶୀଘ୍ର ହୋଇଛି। ତା’ଛଡ଼ା ଗ୍ରାମାଞ୍ଚଳରେ ଇ-ଜନସେବା କେନ୍ଦ୍ର (ସିଏସସି)ଗୁଡ଼ିକ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ଡିଜିଟାଲ ଇଣ୍ଡିଆ ଜରିଆରେ ହିଁ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଭଳି ଯୋଜନାକୁ ବାସ୍ତବ ରୂପ ଦିଆଯାଇ ପାରିଛି। ସବୁ ରାଜ୍ୟ ନିଜ ନିଜ ରାଜ୍ୟରେ ଏହି ଯୋଜନାକୁ କାର୍ୟ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଥିବା କାରଣରୁ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶଂସା କରିଥିଲେ।
ଡିଜିଟାଲ ଇଣ୍ଡିଆ ଯେପରି ଭାବେ ହିତାଧିକାରୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ତାହାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ସ୍ବନିଧି ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସ୍ବାମୀତ୍ବ ଯୋଜନାରେ ମାଲିକାନା ଅଧିକାରକୁ ସୁରକ୍ଷିତ ରଖିବାର ସମସ୍ୟାର ସମାଧାନ ହୋଇଥିବା କହିଥିଲେ। ଦୂରବର୍ତ୍ତୀ ଇଲାକାରେ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ଇ-ସଞ୍ଜିବନୀ ଯୋଜନାର ଉପାଦେୟତା ବିଷୟରେ ସେ ଉଲ୍ଲେଖ କରିଥିଲେ ଏବଂ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ଏକ ପ୍ରଭାବୀ ବ୍ୟବସ୍ଥା ପାଇଁ କାର୍ୟ୍ୟ ଜାରି ରହିଛି ବୋଲି ସୂଚନା ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା କାଳରେ ଭାରତ ପ୍ରସ୍ତୁତ କରିଥିବା ଡିଜିଟାଲ ସମାଧାନ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସାରା ବିଶ୍ବର ଧ୍ୟାନ ଆକୃଷ୍ଟ କରିପାରିଛି। ବିଶ୍ବର ସର୍ବବୃହତ ଡିଜିଟାଲ କଣ୍ଟାକ୍ଟ ଟ୍ରେସିଂ ଆପ୍ ଆରୋଗ୍ୟ ସେତୁ କରୋନା ସଂକ୍ରମଣ ନିରାକରଣ କ୍ଷେତ୍ରରେ ବହୁ ମାତ୍ରାରେ ସହାୟକ ହୋଇଛି ବୋଲି ସେ କହିଥିଲେ। ଟିକାକରଣ ପାଇଁ ଭାରତର କୋଓ୍ବିନ୍ ଆପ୍ ପ୍ରତି ମଧ୍ୟ ବହୁ ରାଷ୍ଟ୍ର ଆଗ୍ରହ ପ୍ରକଟ କରିଛନ୍ତି। ଟିକାକରଣ ପ୍ରକ୍ରିୟା ପାଇଁ ଏପରି ନିରୀକ୍ଷକ ଉପକରଣ ଆମର ବୈଷୟିକ ଦକ୍ଷତାର ପ୍ରମାଣ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସୁଯୋଗ, ସମସ୍ତଙ୍କ ପାଇଁ ସୁବିଧା ଏବଂ ସମସ୍ତଙ୍କର ଅଂଶଗ୍ରହଣ। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସରକାରୀ ବ୍ୟବସ୍ଥାର ଉପଲବ୍ଧତା। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଏକ ପାରଦର୍ଶୀ, ଭେଦଭାବମୁକ୍ତ ବ୍ୟବସ୍ଥା ଏବଂ ଦୁର୍ନୀତି ବିରୋଧରେ ଏକ ପ୍ରହାର। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସମୟ, ଶ୍ରମ ଓ ଅର୍ଥ ବଞ୍ଚାଇବାର ଏକ ମାଧ୍ୟମ। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଦ୍ରୁତ ଲାଭ, ସମ୍ପୂର୍ଣ୍ଣ ଲାଭ। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ।

Comments are closed.