ଆଗାମୀ ବର୍ଷ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ ବଜେଟ

ଭୁବନେଶ୍ୱର : ଆର୍ଥିକ ପରିଚାଳନାକୁ କାଗଜ ବିହୀନ କରିବା ପାଇଁ ଓଡ଼ିଶା ସମନ୍ବିତ ଆର୍ଥିକ ପରିଚାଳନା ବ୍ୟବସ୍ଥା(ଆଇଏଫଏମଏସ) ପ୍ରଚଳନ କରାଯିବ। ଏହାଦ୍ବାରା ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସମସ୍ତ ଆର୍ଥିକ କାରବାରକୁ କାଗଜବିହୀନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଅଭିଭାଷଣ ସମୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଆମେ ଏହି ବ୍ୟବସ୍ଥା ଦ୍ବାରା ସମସ୍ତ ଆର୍ଥିକ କାରବାରକୁ ଆହରଣ ଓ ବିତରଣ ଅଧିକାରୀ(ଡ଼ିଡ଼ିଓ)ଙ୍କଠାରୁ ଆରମ୍ଭ କରି ମହାଲେଖାକାରଙ୍କ ପର୍ଯ୍ୟନ୍ତ ଡ଼ିଜିଟାଲ ପଦ୍ଧତିରେ ଇ-ପ୍ରମାଣ ଓ ଇ-ସିଗନେଚର ପ୍ରଚଳନ ସହିତ କାଗଜବିହୀନ କରିବା ପାଇଁ ପଦକ୍ଷେପ ନେଇଛୁ।
ଏଥିସହିତ ମୁଦ୍ରଣ ଜନିତ ଖର୍ଚ୍ଚ କମାଇବା ପାଇଁ ଇଲେକଟ୍ରୋନିକ୍ସ ବଜେଟ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ବଜେଟ ଦସ୍ତାବିଜର ସଂଖ୍ୟା ୫୦୦ରୁ ୨୦୦କୁ ହ୍ରାସ କରାଯାଇପାରିଛି। ରାଜ୍ୟ ସରକାର ଇଲେକଟ୍ରୋନିକ୍ସ ପ୍ରକ୍ରିୟା ମାଧ୍ୟମରେ ଇ-ବଜେଟ ଡ଼କୁମେଣ୍ଟକୁ ଅର୍ଥ ବିଭାଗ ୱେବସାଇଟରେ ଉପଲବ୍ଧ କରାଇଛନ୍ତି। ଆଗାମୀ ବର୍ଷରେ ସମ୍ପୂର୍ଣ୍ଣ ଭାବରେ ବଜେଟକୁ ଇଲେକଟ୍ରୋନିକ୍ସ ମାଧ୍ୟମରେ ଉପଲବ୍ଧ କରାଯିବାର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.