ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ଡିଆଇଜି ଓ ଏସ୍‍ପି

ପିପିଲି : କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ସୋମବାର ପିପିଲି ଗସ୍ତରେ ଆସି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ପୁରୀ ଏସ୍‍ପି ଡ଼ଃ କନ୍‍ୱର ବିଶାଳ ସିଂଙ୍କ ସହ ଡିଆଇଜି ପିପିଲି ଏସ୍‍ଡିପିଓଙ୍କ କାର୍ଯ୍ୟାଳୟରେ ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ଓ ବଳଙ୍ଗା ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ଆଦି ସଂପର୍କରେ ସେ ବିଶେଷ ଆଲୋଚନା କରି କେତେକ ପରାମର୍ଶ ଦେଇଥିଲେ । ଆଗକୁ ପିପିଲି ଉପନିର୍ବାଚନ ଆସୁଥିବାରୁ ସେଥିପାଇଁ ପୁଲିସର ଆଗୁଆ ପ୍ରସ୍ତୁତି ସଂପର୍କରେ ମଧ୍ୟ ଉଭୟ ଅଧିକାରୀ ଆଲୋଚନା କରି କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ସେମାନଙ୍କ ଅଭିଯୋଗକୁ ଶୁଣି ତୁରନ୍ତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ତଥା ପୁଲିସ ସେବା ଯୋଗାଇଦେବାକୁ ସମସ୍ତ ଥାନାଧିକାରୀ ମାନଙ୍କୁ ଡିଆଇଜି ଓ ଏସ୍‍ପି ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହରେ ପୁରୀ ଜିଲା ପୁଲିସ ପକ୍ଷରୁ ପିପିଲି ବ୍ଲକରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯିବା ସଂପର୍କରେ ଏସ୍‍ପି ସୂଚନା ଦେଇଥିଲେ । ଡିଆଇଜି ଓ ଏସ୍‍ପିଙ୍କ ଏହି ଗସ୍ତ ସମୟରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.