ଭାରତର ବିଭିନ୍ନ ସଂସ୍କୃତି ଓ ପରାମ୍ପରା ଅନୁଯାୟୀ ନୂବବର୍ଷ ପାଳନ

0

ସାରା ଦୁନିଆରେ ନୂଆବର୍ଷ ପାଳନ ବଡ ଧୁମଧାମରେ କରାଯାଇଛି । ନୂଆ ଆଶା ଓ ଉଲ୍ଲାସରେ ନୂଆ ବର୍ଷର ସ୍ବାଗତ କରାଯାଇଛି । ଭାରତର କେବଳ ଜାନୁଆରୀ ୧ରେ ନୂଆବର୍ଷ ପାଳନ କରାଯାଏ ତାହା ନୁହେଁ, ବିଭିନ୍ନ ସଂସ୍କୃତି ଓ ପରାମ୍ପରା ଅନୁଯାୟୀ ଅଲଗା ଅଲଗା ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ନୂଆବର୍ଷ ପାଳନ କରାଯାଏ । କେତେକ ସ୍ଥାନରେ ନବବର୍ଷ ପାଳନର ପରମ୍ପରା ଓ ରୀତିନୀତି ଏତେ ବିଚିତ୍ର ଯେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ସମ୍ଭବତଃ ସାରା ଦୁନିଆରେ ଭାରତ ଏକମାତ୍ର ଏଭଳି ଦେଶ ଯେଉଁଠାରେ ନବବର୍ଷ ଅଧିକ ଥର ଏବଂ ବିବିଧ ରୂପରେ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ଭାରତର କେଉଁ ସ୍ଥାନ​‌ରେ କିପରି ନବବର୍ଷ ପାଳନ କରାଯାଏ ।

ମହାରାଷ୍ଟ୍ର:  ଇଂରେଜୀ ନବବର୍ଷର ଗୋଟିଏ ସପ୍ତାହ ପୂର୍ବରୁ ଘରର ଛାତ ଉପରେ ଏକ ରେଶମୀ କପଡାର ପତକା ଉଡାଯାଏ । ଘରର ଭିତରକୁ ରଙ୍ଗ ବେରଙ୍ଗ ଫୁଲରେ ସଜାଯାଏ । ଏହି ଦିନ ପତକା ଉଡାଯାଇ ନବବର୍ଷର ସ୍ବାଗତ କରାଯାଏ ।

ବିହାର: ନବବର୍ଷ ଅବସରରେ ବିଦ୍ୟା ଦେବୀ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଗରିବ ପିଲାଙ୍କୁ ପୋଷାକ ଓ ଚାଉଳ ଦିଆଯାଏ । ଏହା ଦ୍ବାରା ବର୍ଷ ସାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବଜାୟ ରହିଥାଏ ବୋଲି ବିଶ୍ବାସ କରାଯାଏ ।

ଆସାମ: ନବବର୍ଷକୁ ସ୍ମରଣୀୟ କରିବା ପାଇଁ ଘରର ଅଗଣା​‌କୁ ରଙ୍ଗୋଲିରେ ସଜାଯାଏ । ଏହା ଦୀପ ବା ମହୋମବତୀ ଜଳାଯାଏ । ଗାଈକୁ ଗୁଡ ଓ ରୋଟି ଖାଇବାକୁ ଦିଆଯାଏ । ଯାହା ଫଳରେ ନବବର୍ଷ ଶାନ୍ତି ଓ ଖୁସିରେ କଟିବ ।

କେରଳ: ନବବର୍ଷ ଅବସରରେ ନିମ, ତୁଳସୀ ପତ୍ର ଏବଂ ଗୁଡ ଖାଇବା ଶୁଭ ବୋଲି କୁହାଯାଏ । ବିଶ୍ବାସ ରହିଛି ଯେ, ଏହାକୁ ଖାଇବା ଦ୍ବାରା ବର୍ଷସାରା ଶରୀର ସୁସ୍ଥ ରୁହେ ।

ରାଜସ୍ତାନ: ନବବର୍ଷର ବିଶେଷ ଅବସରରେ ଗୁଡରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ବହୁତ ଶୁଭ ବୋଲି କୁହାଯାଏ । ଏହା ଦ୍ବାରା ବର୍ଷସାରା ମୁହଁରୁ ମଧୁର ଭାଷା ବାହାରି ଥାଏ ବୋଲି ବିଶ୍ବାସ ରହିଛି ।

ମଣିପୁର: ଏହି ଦିନ ବିଭିନ୍ନ ଆତଶବାଜୀ ବା ବାଣ ଫୁଟାଯାଏ । ଏହା ସହ ଭୂତ-ପ୍ରେତଙ୍କ ପୁତଳିକା ତିଆରି କରାଯାଇ ଜଳାଯାଏ । ଏହା ଦ୍ବାରା ଭୂତ-ପ୍ରେତ କାହାର କ୍ଷତି କରିନଥାଏ ବୋଲି ବିଶ୍ବାସ ରହିଛି ।

ଛତିଶଗଡ:  ଏଠାକାର ଆଦିବାସୀ ବିଭିନ୍ନ ଗୀତ ଗାଇ ନବବର୍ଷର ସ୍ବାଗତ କରିଥାଆନ୍ତି । ନୂଆବର୍ଷ ଦିନ ପୋଷ୍ୟସନ୍ତାନ ଗ୍ରହଣ କରିବା ପରମ୍ପରା ରହିଛି । ଏହା ଦ୍ବାରା ବର୍ଷର ପ୍ରତ୍ୟେକ ଦିନ ସୁଖମୟ ହୋଇଥାଏ ବୋଲି ସେଠାକାର ଲୋକେ ମାନନ୍ତି । ରାଜ୍ୟର କିଛି ଆଦିବାସୀ ଅଞ୍ଚଳରେ ମହୁଲ ଫୁଲ ଫୁଟିବା ଦେଖିବାକୁ ମିଳିଲେ ଉତ୍ସବ ପାଳନ କରିଥାଆନ୍ତି । ଯାହା ସେମାନଙ୍କ ପାଇଁ ନବବର୍ଷ ଆରମ୍ଭ ହୋଇଥାଏ । ଦେଶର ଅନ୍ୟ କେତେକ ଆଦିବାସୀ ଅଞ୍ଚଳରେ ସେମାନେ ନିଜ ଇଷ୍ଠ ଦେବୀ ଓ ଦେବତାଙ୍କ ପୂଜା ଆରାଧନା କରି ନବବର୍ଷର ଆରମ୍ଭ କରିଥାଆନ୍ତି ।

ଜାମ୍ମୁ-କାଶ୍ମୀର: ନୂଆବର୍ଷ ଅବସରରେ ଅନାଥଙ୍କୁ ପେଟପୁରା ଖାଇବାକୁ ଓ ନୂଆ ପୋଷାକ ପିନ୍ଧିବାକୁ ଦିଆଯାଏ । ଏହା ସହ ତିଳକ ଲଗାଯାଇ ଆରତି କରାଯାଏ । ଏପରି କରବା ଦ୍ବାରା ନୂଆବର୍ଷ ସୁଖମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ନାଗାଲ୍ୟାଣ୍ଡ: ନାଗ ଆଦିବାସୀମାନେ ନାଗ ପଞ୍ଚମୀ ଦିନ ନୂଆବର୍ଷର ଆରମ୍ଭ କରିଥାଆନ୍ତି ।

ପଞ୍ଜାବ ଏବଂ ହରିୟାଣା: ଇଂରେଜ ନବବର୍ଷକୁ ଏଠାରେ ବଡ ଧୁମଧାମରେ ପାଳନ କରାଯାଏ । କିନ୍ତୁ ନୂଆ ଫସଲକୁ ସ୍ବାଗତ କରି ବୈଶାଖ ମାସରେ ନୂଆବର୍ଷ ପାଳନ କରିଥାଆନ୍ତି ।

ଓଡିଶାରେ ଇଂରେଜୀ ନବବର୍ଷକୁ ଉତ୍ସାହ ଓ ଉଲ୍ଲାସର ସହ ସ୍ବାଗତ କରାଯାଏ । ହେଲେ ବୈଶାଖ ମାସ ପଣା ସଂକ୍ରାନ୍ତିକୁ ଓଡିଆ କ୍ୟାଲେଣ୍ଡରରେ ନୂତନ ବର୍ଷ ଭାବରେ ପାଳନ କରାଯାଏ । ତେବେ ନବବର୍ଷ ପାଳନର ପରମ୍ପରା ଯେପରି ବି ହେଉ ମଧ୍ୟ ସମସ୍ତଙ୍କ ଉଦେଶ୍ୟ ଗୋଟିଏ । ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣି ଦେଉ ନବବର୍ଷ ପାଳିବାର ଲକ୍ଷ୍ୟ ।

Leave A Reply