MEllora 950×100

ପାର୍କ ଭ୍ରମ ସୃଷ୍ଟି କରିଛିି ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ପରିସର

୫ ଏକର ଜମିରେ ଲାଗିଛି ଭଳିକି ଭଳି ୩୦ ହଜାର ଫୁଲ ଓ ବିଭିନ୍ନ ଚାରା, ବିଡିଓଙ୍କୁ ଭୁରି ଭୁରି ପ୍ରଶଂସା ଲୋକେ

କେନ୍ଦୁଝରଗଡ : ଏକଦା ଟାଙ୍ଗରା ଭୂଇଁ ପାଲଟିଥିବା ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ପରିସର ଏବେ ମିନି ପାର୍କର ଭ୍ରମ ସୃଷ୍ଟି କରିଛି । ମାତ୍ର ୪ମାସ ତଳେ ବିଡିଓ ଭାବେ ଯୋଗ ଦେଇଥିବା ଯୁବ ପ୍ରଶାସନିକ ଅଧିକାରୀ ଉମାକାନ୍ତ ପରିଡା ନିଜର କର୍ମବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ନିଜ ପ୍ରଚେଷ୍ଟାରେ ଅନାବନାରେ ଲୁଚି ରହିଥିବା ବ୍ଲକ ପରିସରରେ ଥିବା ୫ଏକର ଜମିକୁ ସଫା ସୁତୁରା କରି ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ପରେ ୩୦ହଜାରରୁ ଅଧିକ ଫୁଲ ଚାରା ଓ ବିଭିନ୍ନ କିସମର ଚାରା ରୋପଣ କରି ବ୍ଲକ ପରିସରକୁ ଏକ ମିନି ପାର୍କରେ ପରିଣତ କରିପାରିଛନ୍ତି। ଏଥିରେ ସେ ୭ କିସମର ୫ହଜାର ଗେଣ୍ଡୁ, ୫ କିସମର ୨ହଜାର ସେବତୀ ସହିତ ଲିଲିୟମ, ଡାଲିଆ, ଜିନିଆ, ୟୁଜେନିଆ, ପିଟୁନିଆ, ସାଲଭିଆ, ଗୋଲଡେନ ସାଇଥ୍ରୋ, ଡାଇନୋଥସ୍ ଭଳି ବହୁ ପ୍ରଜାତିର ଚାରା ଲଗାଇ ଥିବାବେଳେ ବିଭିନ୍ନ ପ୍ରଜାତିର ଗେଣ୍ଡୁ, ସେବତୀ, ଲିଲିୟମ ଆଦି ଫୁଲ ଫୁଟି ଚହଟିବା ଆରମ୍ଭ କରିଛି । ମିନି ପାର୍କର ଭ୍ରମ ସୃଷ୍ଟି କରିଥିବା ଏହି ବ୍ଲକ ପରିସରକୁ ପ୍ରତିଦିନ ବିଭିନ୍ନବର୍ଗର ଲୋକ ଏବଂ ଛାତ୍ରଛାତ୍ରୀ ଆସି ବୁଲି ଦେଖିବା ସହ ବିଡିଓଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏକଦା ବ୍ଲକ କାର୍ଯ୍ୟାଳୟକୁ କାମ ନପଡିଲେ ଆସୁନଥିବା ଲୋକେ ଏବେ ସେହି ବାଟ ଦେଇ ଯାତାୟତ କରିବା ସମୟରେ ଯେ କେହି ବ୍ୟକ୍ତି ବ୍ଲକ କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରି ମନଲୋଭା ଫୁଲ ସବୁ ବୁଲି ଦେଖିବାକୁ ଆଦୌ ଭୁଲୁନଥିବା ଦେଖିବାକୁ ମିଳିଛି ।


୧୯୫୯ ମସିହାରେ ସ୍ଥାପିତ ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ଦୀର୍ଘବର୍ଷ ଧରି ଆଜବେଷ୍ଟସ୍‌ ଘରେ ଚାଲି ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ଗୋଟିଏ ଦୁଇଟି ଛାତ ଘର ନିର୍ମାଣ ହୋଇ କାର୍ଯ୍ୟକ୍ଷମ ଅଛି । ବ୍ଲକ ପରିସରରେ ଥିବା ଖାଲିସ୍ଥାନ ଏବଂ କର୍ମଚାରୀ ବାସଭବନର ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ବ୍ଲକ କାର୍ଯ୍ୟାଳୟ ଚତୁଃପାର୍ଶ୍ୱ ଏକ ପ୍ରକାର ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ଗତ ଅଗଷ୍ଟ ମାସରେ ପଡୋଶୀ ଯାଜପୁର ଜିଲା ରସୁଲପୁର ବ୍ଲକରୁ ଝୁମ୍ପୁରାକୁ ବଦଳି ହୋଇ ଆସିବା ପରେ ବିଡିଓ ଶ୍ରୀ ପରିଡାଙ୍କ ମନକୁ ବ୍ଲକର ଉଜୁଡା ଭିତ୍ତିଭୂମି ଏବଂ ଅସଜଡା ପରିସର ଖୁବ୍‌ ଆନ୍ଦୋଳିତ କରିଥିଲା । ପ୍ରଥମେ ନିଜ ଘର ସଜାଡିବା ନୀତିରେ ବ୍ଲକ ପରିସର ସଜାଡିବାକୁ ପ୍ରୟାସ ଆରମ୍ଭ ସହ ପରବର୍ତ୍ତୀ ସମୟରେ ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକର ଉନ୍ନତିକରଣ ନିମନ୍ତେ ମଧ୍ୟ ଅଣ୍ଟା ଭିଡିଥିଲେ । କେବଳ ସେତିକି ନୁହେଁ କାନ୍ଥ ଏବଂ ପାଚେରୀ ଗୁଡିକୁ ସୁନ୍ଦର ରଙ୍ଗ ଏବଂ ଚିତ୍ର ଦ୍ବାରା ସୌନ୍ଦର୍ଯ୍ୟକରଣ କରି ପାରିଛନ୍ତି । ବ୍ଲକ ପରିସରରେ ପୂର୍ବରୁ ଶୌଚାଳୟଟିଏ ନଥିବାବେଳେ ଏବେ ୩ଟି ଶୌଚାଳୟ ଓ ବିଶ୍ରାମ ଗୃହ ମଧ୍ୟ ନିର୍ମାଣାଧିନ ରହିଛି। ବ୍ଲକ ପରିସରରେ ଏକ ମିଲେଟ କାଫେ ମଧ୍ୟ ନିର୍ମାଣାଧିନ ରହିଛି। ମୁଖ୍ୟ ଫାଟକ ଉନ୍ନତିକରଣ, ଲାଇଟ ଗେଟ ସହ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏହା ବ୍ୟତୀତ ପଞ୍ଚାୟତ ଗୁଡିକର ଉନ୍ନତିକରଣ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ ଶ୍ରୀ ପରିଡା କହିଛନ୍ତି ।

କେବଳ ବ୍ଲକ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ନୁହେଁ, ବ୍ଲକ ଅଧିନରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକର କିଭଳି ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇ ପାରିବ ସେ ଦିଗରେ ମଧ୍ୟ ବିଡିଓ ଶ୍ରୀ ପରିଡାଙ୍କ ନିରନ୍ତର ଉଦ୍ୟମକୁ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି। ସବୁଜିମା ପରିବେଶ ମଣିଷ ମନରେ ସକରାତ୍ମକ ଭାବନା ସୃଷ୍ଟି କରିଥାଏ। ବିଭିନ୍ନ ରଙ୍ଗର ଫୁଲ ମନକୁ ଚଳଚଞ୍ଚଳ କରିବା ସହିତ କାମ କରିବା ନିମନ୍ତେ ମନରେ ଅଧିକ ଆଗ୍ରହ ଜାତ କରିବାରେ ସହାୟକ ହୋଇଥାଏ ବୋଲି ବିଡିଓ ଶ୍ରୀ ପରିଡା କହନ୍ତି। ନିଜେ କିଛି କିଛି ଶ୍ରମଦାନ କଲେ ଆତ୍ମତୃପ୍ତି ମିଳିବା ସହିତ ଶାରିରୀକ ଭାବେ ମଧ୍ୟ ନିଜକୁ ଫିଟ୍‌ ରଖିବାରେ ବେଶ୍‌ ସହାୟକ ହୋଇଥିବାରୁ ଟିକିଏ ଫୁରୁସତ ମିଳିଲେ କୋଡି କୋଦାଳ ଧରି ବ୍ଲକ ପରିସରକୁ ସଜେଇବା ପାଇଁ ଅଧିକ ପସନ୍ଦ କରନ୍ତି ବିଡିଓ ଶ୍ରୀ ପରିଡା ।

Comments are closed.