ଭିନ୍ନ ଜଣେ ଡ଼ାକ୍ତର ; ୪୦ ହଜାରରୁ ଅଧିକ ଲୋକଙ୍କୁ ବାଣ୍ଟି ଚାଲିଛନ୍ତି କରୋନା ପ୍ରତିଷେଧକ

ବଡ଼ସାହି : ଭିନ୍ନ ଜଣେ ଡ଼ାକ୍ତର। ନାମ ସୁବୋଧ କୁମାର ଦାସ(୭୧), ଘର ମୟୂରଭଞ୍ଜ ଜିଲାର ବଡ଼ସାହିରେ। ପେଷାରେ ସେ ଜଣେ ଘରୋଇ ହୋମିଓପାଥି ଡ଼ାକ୍ତର। ବଡ଼ସାହି ବଜାର ଓ କପ୍ତିପଦା ନୂଆସାହିରେ ତାଙ୍କର ରହିଛି ଏକ ହୋମିଓ କ୍ଲିନିକ। ସମ୍ପ୍ରତି ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ଲଢ଼େଇରେ ସେ ଅଞ୍ଚଳବାସୀଙ୍କ ପାଇଁ ସାଜିଛନ୍ତି ସେ ଆଶାର ଆଲୋକ। ଡ଼ାକ୍ତର ଶ୍ରୀ ଦାସଙ୍କ କହିବାନୁଯାୟୀ ମାର୍ଚ୍ଚ ମାସ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ହଜାରରୁ ଅଧିକ ଲୋକଙ୍କୁ ବାଣ୍ଟି ଚାଲିଛନ୍ତି କରୋନା ପ୍ରତିଷେଧକ। ହୋମିଓପାଥିର ଏହି ପ୍ରତିଷେଧକ ଗୋଟିଏ ମାତ୍ରା (ପାଣି ଔଷଧ) ସେବନ ସହିତ ତହିଁ ପରଦିନ ଋତୁକାଳୀନ ସଂକ୍ରମଣ ପ୍ରତିଷେଧକ ଗୋଟିଏ ମାତ୍ରା (ଗୋଲି ଔଷଧ) ସେବନକାରୀ ଏଯାଏଁ କରୋନା ସଂକ୍ରମିତ ହୋଇ ନାହାନ୍ତି ବୋଲି ସେ ଯୁକ୍ତି ରଖିଛନ୍ତି। ବିଦେଶରୁ ଆସୁଥିବା ଏଭଳି ସଂକ୍ରମଣ ରୋଗ ଉପଶମ ପର୍ଯ୍ୟାୟ ପହଞ୍ଚିବା ପୂର୍ବରୁ ତା’ର ପ୍ରତିଷେଧକ ନିରୂପଣ ହୋମିଓପାଥି ଚିକିତ୍ସା ବେଶ ଫଳପ୍ରଦ। ମାର୍ଚ୍ଚ ମାସରେ କୋଭିଡ଼-୧୯ର ଭୟାବହତା ସମ୍ବନ୍ଧରେ ସେ ଜାଣିବା ପରେ ନିଜର ୪୦ବର୍ଷର ଅଭିଜ୍ଞତା ଅନୁଯାୟୀ ଲୋକଙ୍କୁ ସେବା ଯୋଗାଇବାକୁ ସେ ମନ ବଳାଇଥିଲେ। ବଡ଼ସାହି ଓ କପ୍ତିପଦା ଅଞ୍ଚଳରେ ତାଙ୍କ ପାଖରେ ଚିକିତ୍ସା ହେଉଥିବା ରୋଗୀଙ୍କ ପରିବାର ଦୀର୍ଘ ଦିନ ଧରି ଯେଉଁ ବିଶ୍ୱାସ ରଖିଛନ୍ତି, ତାକୁ ଅତୁଟ ରଖିବା ପାଇଁ ଜୀବନର ଉପାର୍ଜିତ ଅର୍ଥରେ ସେ ପ୍ରତିଷେଧକ ଔଷଧ କିଣି ବାଣ୍ଟିଚାଲିଛନ୍ତି। ଲୋକଙ୍କ ପାଇଁ ସେ ଡ଼ାକ୍ତର, ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ଜଣେ ଡ଼ାକ୍ତରର କର୍ତ୍ତବ୍ୟ। ଏଣୁ ଟୀକା କିମ୍ବା ଭେକ୍ସିନ ଆସିବା ପର୍ଯ୍ୟନ୍ତ ସେ ଏପରି ସେବା ଜାରି ରଖିବେ ବୋଲି କହିଛନ୍ତି।

ମୟୂରଭଞ୍ଜ ଜିଲାର ସର୍ବ ପ୍ରଥମ କପ୍ତିପଦା ବ୍ଲକରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସାଙ୍ଗକୁ ବଡ଼ସାହି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ପାଇଁ ଜିଲାରେ ଚହଳ ପଡ଼ିଥିଲେ ହେଁ ଏହି ଡ଼ାକ୍ତରଙ୍କ ନିଶୁଳ୍କ ପ୍ରତିଷେଧକ ସେବନକାରୀ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଲୋକଙ୍କ ବିଶ୍ୱାସ ବଢ଼ିବାରେ ଲାଗିଛି। ସପ୍ତାହର ୩ଦିନ ବଡ଼ସାହି ଓ ୩ଦିନ କପ୍ତିପଦା କ୍ଲିନିକରେ ଡ଼ାକ୍ତର ଶ୍ରୀ ଦାସ ରୋଗୀ ସେବା ଲୋକଙ୍କୁ ସେବା ଯୋଗାଇଥାନ୍ତି। ତାଙ୍କ ସେବାରେ ବହୁ ପୁରାତନ ଶ୍ୱାସ ଓ କିଡ଼ନୀ ରୋଗୀ ବିଶେଷ ଭାବେ ଉପକୃତ ହୋଇଛନ୍ତି। ଓଡ଼ିଶାର ପୁରୀରେ ଜେ. ଚୌଧୁରୀଙ୍କ ଠାରୁ ହୋମିଓପାଥି ଚିକିତ୍ସା ଶିକ୍ଷା ଲାଭ କରି ରାଜ୍ୟର ସର୍ବପ୍ରଥମ ହୋମିଓପାଥି କଲେଜ ଯାଜପୁରର ବିରଜା ହୋମିଓପାଥି ମେଡ଼ିକାଲ କଲେଜରେ ନିଜର ପଢ଼ା ଶେଷ କରି ନିଜକୁ ରୋଗୀ ସେବାରେ ଉତ୍ସର୍ଗ କରି ଚାଲିଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଜଣେ ଡ଼ାକ୍ତର ବହୁତ ରୋଜଗାର କରିଥାଏ। ତେବେ ମହାମାରୀ ସମୟରେ ସେମାନେ ଲୋକଙ୍କୁ ନିଶୁଳ୍କ ସେବା ଯୋଗାଇଲେ ଯୋଗ୍ୟତାର ପୂର୍ଣ୍ଣତା ଆସିଥାଏ ବୋଲି ସେ କହିଛନ୍ତି।

Comments are closed.