ଡିଫେନ୍ସ ଏକ୍ସପୋ ଆରମ୍ଭ, ବିଶ୍ୱକୁ ଶକ୍ତି ଦେଖାଉଛି ଭାରତ

0

ଥିରୁଭିଦାନ୍ଥାଇ (ତାମିଲନାଡୁ) : ଦେଶର ସବୁଠୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନୀ ମେଳା ‘ଡିଫେନ୍ସ ଏକ୍ସପୋ’ ବୁଧବାର ଚେନ୍ନାଇ ଉପକଣ୍ଠ ଥିରୁଭିଦାନ୍ଥାଇଠାରେ ଆରମ୍ଭ ହୋଇଛି। ୪ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଏକ୍ସପୋରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଓ ସୁରକ୍ଷା ଉପକରଣ ନିର୍ମାଣକାରୀ ୬୭୦ରୁ ଅଧିକ କମ୍ପାନୀ ଭାଗ ନେଉଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଡିଫେନ୍ସ ଏକ୍ସପୋକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିବେ। ଭାରତ ଏହି ମେଳା ମାଧ୍ୟମରେ ବିଶ୍ୱକୁ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଏହି ଦଶମ ଡିଫେନ୍ସ ଏକ୍ସପୋର ବିଷୟବସ୍ତୁ ‘ଦ ଇମର୍ଜି ଡିଫେନ୍ସ ମାନୁଫାକ୍‍ଚରିଂ ହବ୍‍’ ରହିଛି। ଏହାବାଦ ସମସ୍ତଙ୍କ ନଜର ଭାରତୀୟ ସେନାର ଶତାଧିକ କୋଟି ଟଙ୍କାର ଆଧୁନିକୀକରଣ କାର୍ଯ୍ୟକ୍ରମ ଉପରେ ରହିଛି। ବିଶ୍ୱର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରଦର୍ଶନ କରି ଭାରତ ନିଜକୁ ଏକ ଅସ୍ତ୍ରଶସ୍ତ୍ର ବଜାର ଭାବେ ଦେଖାଇବାକୁ ଚାହୁଁଛି। ଭାରତ ବଡ଼ ପରିମାଣର ରକ୍ଷା ଉପକରଣ ରପ୍ତାନୀ ପାଇଁ ପ୍ରସ୍ତୁତିରେ ଅଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟ୍ୱିଟ୍‍ କରି ପ୍ରଥମ ଥର ଡିଫେନ୍ସ ଏକ୍ସପୋରେ ଭାରତ ନିଜର ରକ୍ଷା ଉପକରଣ ରପ୍ତାନୀର କ୍ଷମତା ପ୍ରଦର୍ଶନ କରିବ ବୋଲି କହିଛନ୍ତି। ଏଥିରେ ଜଳ, ସ୍ଥଳ, ଆକାଶରେ ଲଢେଇ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ରକ୍ଷା ବ୍ୟବସ୍ଥା ପ୍ରଦର୍ଶନ କରାଯିବ। ଅସ୍ତ୍ରଶସ୍ତ୍ର ସହିତ ଯୁଦ୍ଧ ବିମାନ ତେଜସ, ଡିଆରଡିଓ ଦ୍ୱାରା ନିର୍ମିତ ଆଧୁନିକ ଆର୍ଟିଲାରୀ ତୋପ ବ୍ୟବସ୍ଥା (ଏଟିଏଜିଏମ୍‍) ଅର୍ଜୁନ ମାର୍କ -୨ ଏବଂ ଧନୁଷର ପ୍ରଦର୍ଶନ କରାଯିବ। ଡିଆରଡିଓ ଲଞ୍ଚର, ନିର୍ଭୟ କ୍ଷେପଣାସ୍ତ୍ର, ମାନବବିହୀନ ଗାଡ଼ି (ଏୟୁଜିବି), ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ ମାର୍କ-୧, କ୍ଷେପଣାସ୍ତ୍ର, ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ରାଡାର ପ୍ରଣାଳି, ବୁଡ଼ାଜାହାଜ ପାଇଁ ନିର୍ମିତ କ୍ଷପଣାସ୍ତ୍ର ବରୁଣାସ୍ତ୍ରର ପ୍ରଦର୍ଶନ କରାଯିବ। ଏଥିରେ ଭାଗ ନେବାକୁ ଥିବା ୬୭୦ କମ୍ପାନୀ ମଧ୍ୟରୁ ୧୫୪ଟି ବିଦେଶୀ କମ୍ପାନୀ ଅଛନ୍ତି। ଏହି ଡିଫେନ୍ସ ଏକ୍ସପୋରେ ୪୭ ଦେଶର ପ୍ରତିନିଧି ଭାଗନେବେ। ଏଥିରେ ଆମେରିକା, ରୁଷିଆ, ବ୍ରିଟେନ୍‍, ଆଫଗାନିସ୍ତାନ, ସ୍ୱିଡେନ, ଫିନଲାଣ୍ଡ, ଇଟାଲି, ମାଡାଗାସ୍କର, ନେପାଳ, ପର୍ତ୍ତୁଗାଲ, ଭିଏତନାମ ଆଦି ଦେଶ ଭାଗ ନେଉଛନ୍ତି। ଚୀନକୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିଲା, ହେଲେ ସେମାନେ ପ୍ରତିନିଧି ମଣ୍ଡଳୀ ପଠାଇଲେ ନାହିଁ ବୋଲି ପ୍ରତିରକ୍ଷା ସଚିବ (ଉତ୍ପାଦନ) ଅଜୟ କୁମ।।ର ସୂଚନା ଦେଇଛନ୍ତି।

Leave A Reply