ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନର ସକ୍ରିୟ ସଦସ୍ୟ ନକୁଳ ଚନ୍ଦ୍ର ଦାସଙ୍କ ବିୟୋଗରେ ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ନକୁଳ ଚନ୍ଦ୍ର ଦାସ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦାନ କରି ଅଙ୍ଗୁଳାଇ ପୋଷ୍ଟ ଅଫିସ୍‌ ପୋଡ଼ି ଏବଂ ନବକୃଷ୍ଣ ଚୌଧୁରୀ ଓ ମାଳତି ଚୌଧୁରୀଙ୍କ ଆହ୍ୱାନରେ ଭୂଦାନ ଆନ୍ଦୋଳନରେ ଯୋଗଦେଇ ଯେଉଁ ମହାନ ଯଶ ଅର୍ଜନ କରିଯାଇଛନ୍ତି ତାହାକୁ ଓଡ଼ିଶାବାସୀ କେବେ ବି ଭୁଲିପାରିବେ ନାହିଁ। ମୋର ତାଙ୍କ ସହ ଘନିଷ୍ଠତା ଥିଲା। ତାଙ୍କ ସମାଜସେବା ଓ ତ୍ୟାଗପୂତ ଜୀବନ ଭବିଷ୍ୟତ ପିଢ଼ିକୁ ଏକ ନୂଆ ଦିଗ୍‌ଦର୍ଶନ ଦେବାରେ ସହାୟକ ହେବ। ତାଙ୍କ ବିୟୋଗ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ଅଙ୍ଗୁଳାଇ ଜରିପଡ଼ା ଗ୍ରାମରେ ୧୯୨୬ ମସିହା ସେପ୍ଟେମ୍ବର ୧୯ରେ ଜନ୍ମଗ୍ରହଣ କରିଥିବା ନକୁଳ ଚନ୍ଦ୍ର ଦାସ ୯୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

Comments are closed.