ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ: ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଜନଜୀବନ ସମୃଦ୍ଧି କ୍ଷେତ୍ରରେ ବିଦ୍ୟୁତ୍‌ ଶକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିଛି। ଆଗକୁ ଏହି ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇ ବିତରଣ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରାଯିବ। ଫଳରେ ସମସ୍ତଙ୍କୁ ଶକ୍ତି ଯୋଗାଣ ସମ୍ଭବ ହୋଇପାରିବ ବୋଲି ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ଗୁଜରାଟ୍‌, ନର୍ମଦା ଓ ଟେଣ୍ଟସିଟିଠାରେ ଭାରତ ସରକାରଙ୍କ ଶକ୍ତି ଓ ନୂତନ ଏବଂ ନବୀକରଣ ଉର୍ଜା ମନ୍ତ୍ରାଳୟ ପକ୍ଷରୁ ୨ଦିନିଆ ସମ୍ମିଳନୀ ଆୟୋଜିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ମିଶ୍ର ଯୋଗଦେଇ ୨୦୨୨ ସୁଦ୍ଧା ଓଡ଼ିଶାରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନୂତନ ପରିବେଶ ଓ ମାନଦଣ୍ଡ ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହାଦ୍ବାରା ରାଜ୍ୟର ସମସ୍ତ ବାସଗୃହ ଓ ସଂସ୍ଥାଗୁଡିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ପାରିବ। ଯନ୍ତ୍ରପାତିକୁ ଉପଯୁକ୍ତ ପରିଚାଳନା କରି ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ କ୍ଷେତ୍ରରେ ଅଧିକ ଉନ୍ନତି ଆସିପାରିବ। ବିଦ୍ୟୁତ୍‌ ଯୋଗାଣ ଟ୍ରାଫିକ୍ ନିୟନ୍ତ୍ରଣ କ୍ଷେତ୍ରରେ ଉପଯୁକ୍ତ ପରିଚାଳନା ସହ ରାଜ୍ୟ ବିଦ୍ୟୁତ୍‌ ପରିଚାଳନା କମିସନରେ ଖାଲି ପଡିଥିବା ପଦଗୁଡିକୁ ପୂରଣ କରାଯିବ ବୋଲି ସେ କହିଥିଲେ। ସମ୍ମିଳନୀରେ କେନ୍ଦ୍ର ଶକ୍ତି ଓ ନବୀକରଣ ଉର୍ଜା ମନ୍ତ୍ରୀ ଆର.କେ ସିଂହ ଯୋଗଦେଇ; ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ଛାତ ଉପରେ ସୌର ଶକ୍ତି ଯୋଜନା, ଅକ୍ଷୟ ଶକ୍ତିର ବିକାଶ କାର୍ଯ୍ୟକ୍ରମ ଓ ଅଲଟ୍ରା ମେଗା ଶକ୍ତି ସ୍ଥାପନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ମହାବାତ୍ୟା ‘ଫଣି’ ବେଳେ ବିଦ୍ୟୁତ୍‌ ପୁନଃସଂଯୋଗ ସେବା ଯୋଗାଇ ଦିଆଯାଇଛି। ଏ କ୍ଷେତ୍ରରେ ଶକ୍ତି ବିଭାଗର କାର୍ଯ୍ୟାବଳୀ ଏବଂ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ଉପସ୍ଥାପନାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ପ୍ରଶଂସା କରିଥିଲେ। ଏହି ଅବସରରେ ବହୁମୁଖୀ ବିଦ୍ୟୁତ୍‌ ଯୋଗାଣ ସଂସ୍ଥା, ବିତରଣ କମ୍ପାନୀ ଶକ୍ତି ସଂରକ୍ଷଣ ଅଧିନିୟମ-୨୦୦୧ ଏବଂ ଏହାର ଅଧୀନସ୍ଥ ନିୟମାବଳୀ ଅନୁପାଳନ ସମ୍ପର୍କରେ କୁହାଯାଇଥିଲା। ସମ୍ମିଳନୀରେ କେନ୍ଦ୍ର ଶକ୍ତି ବିଭାଗ ସଚିବ, ନୂତନ ଏବଂ ନବୀକରଣ ଉର୍ଜା ସଚିବଙ୍କ ସମେତ ଓଡ଼ିଶା ସରକାରଙ୍କ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ।

Comments are closed.