ଦିବ୍ୟାଙ୍ଗଙ୍କ ଦେବୀ ପୁଷ୍ପା

ସାହାଯ୍ୟ, ସେବା, ପରୋପକାର ଏସବୁ ଶବ୍ଦର ଅର୍ଥ ତ ସମସ୍ତେ ଭଲରେ ବୁଝନ୍ତି, କିନ୍ତୁ ଅନ୍ୟ ଜଣେ ଅସୁବିଧାରେ ଖୋଜିଲାବେଳକୁ ବାହାନା ଦେଖାଇ ଓହରିଯାନ୍ତି ଅନେ​‌େ​‌କ। ସ୍ବାର୍ଥାନ୍ଧ ଲୋକଙ୍କ ମଧ୍ୟରେ ହାତଗଣତି କେତେଜଣଙ୍କ ନିଃସ୍ବାର୍ଥ ସେବା ହିଁ ସମାଜର ଆଲୋକ ବର୍ତ୍ତିକା ପାଲଟିଛି। ଏମାନଙ୍କ ମଧ୍ୟରୁ କର୍ଣ୍ଣାଟକର ପୁଷ୍ପା ଅନ୍ୟତମ। ଦିବ୍ୟାଙ୍ଗ ଏବଂ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ସେ ଯେପରି ଈଶ୍ବରଙ୍କ ବରଦାନ ପାଲଟିଛନ୍ତି।
କର୍ଣ୍ଣାଟକର ଝିଅ ଏନ୍.ଏମ୍.ପୁଷ୍ପା। ଗତ ୧୨ବର୍ଷ ହେଲାଣି ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାରେ ସେ ଉତ୍ତର ଲେଖିଆସୁଛନ୍ତି। ଏଯାବତ୍‌ ୬୫୭ଥର ଏଭଳି ପରୀକ୍ଷା ଲେଖିଥିବା ପୁଷ୍ପା ବି.କମ୍, ଏମ୍.କମ୍, ଏମ୍.ଏସ୍‌ସି, ଏସ୍‌.ଏସ୍.ଏଲ୍.ସି, ପି.ଉ ଆଦି ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ସହାୟତା କରିଚାଲିଛନ୍ତି। ପୁଷ୍ପା ନିଜେ ଅଭାବୀ ଘରର ଝିଅ। ଖୁବ୍ କଷ୍ଟରେ ସେ ପାଠ ଦି’ଅକ୍ଷର ପଢ଼ିପାରିଛନ୍ତି। ମା’ ଚାକିରି କରୁଥିଲେ ବି ସେ ରୋଜଗାରରେ ପୁଷ୍ପା ଓ ତାଙ୍କ ଭାଇଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ସମ୍ଭବପର ହେଉନଥିଲା। ଏପରିକି ସେମାନେ ଦୁଇଓଳି ପେଟପୂରା ଖାଇବା ମଧ୍ୟ ମୁସ୍କିଲ୍ ହୋଇଯାଇଥିଲା। ଦିନଦିନ ଧରି ମା, ପୁଅ-ଝିଅ ତିନିବେଳା କଂସାଏ ଲେଖା ପାଣି ପିଇ ରହିବାକୁ ବି ବାଧ୍ୟ ହୋଇପଡୁଥିଲେ। ଖାଇବାକୁ ଟଙ୍କା ଅଣ୍ଟୁ ନଥିବାବେଳେ ପାଠପଢ଼ାର ପ୍ରଶ୍ନ ଉଠୁଥିଲା ବା କେଉଁଠି? ପୁଷ୍ପାଙ୍କର କିନ୍ତୁ ପାଠପଢ଼ାରେ ଆଗ୍ରହ ଥିଲା, ହେଲେ ମହାବିଦ୍ୟାଳୟରେ ଭର୍ତ୍ତି ହେବା ପରେ ପରୀକ୍ଷା ଫି’ ପାଇଁ ମଧ୍ୟ ତାଙ୍କ ପାଖେ ଟଙ୍କା ନଥାଏ। ଏଭଳି ସମୟରେ କେତେଜଣ ହୃଦୟବାନ୍ ବ୍ୟକ୍ତିଙ୍କ ସାହାଯ୍ୟରେ ହିଁ ତାଙ୍କ ପାଠପଢ଼ା ଆଗକୁ ବଢ଼ିଲା। ସାଦାସିଧା ଝିଅଟିର ଲକ୍ଷ୍ୟ ଥିଲା ଡାକ୍ତରୀ ପଢ଼ିବ, କିନ୍ତୁ ଅର୍ଥାଭାବ ମୁଖ୍ୟ ବାଧକ ସାଜିଥିଲା। ଯେନତେନ ପ୍ରକାରେ ପାଠପଢ଼ା ଚାଲୁରଖିଲେ ସେ। ନିଜ ପାଇଁ ସହାୟତା ଲୋଡୁଥିବା ବେଳେ ସମାଜ ସେବା କିମ୍ବା ଅନ୍ୟ କାହାକୁ ସାହାଯ୍ୟର କୌଣସି ପ୍ରକାର ଚିନ୍ତାଧାରା ପୁଷ୍ପାଙ୍କ ମୁଣ୍ଡରେ ଜୁଟି ନଥିଲା। ହେଲେ, ସେବାର ସୁଯୋଗ ସେପରି ଭଲ ସମୟ ଆସିଲେ ହିଁ ମିଳିପାରେ।

ଦିନେ ପୁଷ୍ପାଙ୍କର ଜଣେ ସହପାଠୀ ତାଙ୍କୁ ଦିବ୍ୟାଙ୍ଗ ଯୁବତୀ ହେମା ସହ ଭେଟ କରାଇଦେ​ଲେ। ହେମାଙ୍କର ହାତ ନଥିବାରୁ ପରୀକ୍ଷାରେ ଲେଖିବା ତାଙ୍କ ପକ୍ଷେ ସମ୍ଭବପର ହେଉନଥିଲା, ଏଣୁ ସେ ଅନ୍ୟଜଣଙ୍କର ସହଯୋଗ ଖୋଜୁଥି​ଲେ। ପୁଷ୍ପା ଯେତେବେଳେ ତାଙ୍କ ଅସୁବିଧା ଜାଣିଲେ, ପାଠପଢିବା ଲାଗି ସେ କରୁଥିବା ସଂଘର୍ଷ ତାଙ୍କ ମନରେ ଆନ୍ଦୋଳିତ ହେବାକୁ ଲାଗିଲା। ସେ ଆଉ କିଛି ନ ଭାବି ହେମାଙ୍କୁ ସାହାଯ୍ୟ କରିବାକୁ ତୁରନ୍ତ ଆଗଭର ହୋଇଗ​‌େ​‌ଲ। ଯଥା ଦିନ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନିରୀକ୍ଷକଙ୍କ ଉପସ୍ଥିତିରେ ପୁଷ୍ପା ସେହି ଦିବ୍ୟାଙ୍ଗ ଯୁବତୀ ହେମାଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖିଲେ। ହେମା ମଧ୍ୟ ପରୀକ୍ଷାରେ ଭଲ ନମ୍ବର ରଖି ପାଶ୍ ହେବା ପରେ ପାଖଆଖ ଅଞ୍ଚଳରେ ଖବରଟି ପ୍ରଚାର ହୋଇଗଲା। ଅଭିଭାବକମାନେ ସେମାନଙ୍କ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ପୁଷ୍ପାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କଲେ। ଏବେ ପୁଷ୍ପା ନିଜ ସାଧ୍ୟମତେ କରିପାରୁଥିବା ଏହି ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି।
ନିଜ ଅନୁଭୂତିରୁ ସେ କହିଛନ୍ତି, ଗତ ୧୨ ବର୍ଷ ଧରି ଏହି କାର୍ୟ୍ୟ କରିବା ମଧ୍ୟରେ ସେ ବହୁବାର ହଇରାଣ ହୋଇଛନ୍ତି ମଧ୍ୟ। ଦୃଷ୍ଟିହୀନ ପିଲାଙ୍କ ଉତ୍ତର ଲେଖିବା ଖୁବ୍ କାଠିକର କାମ, ଅନେକ ସମୟରେ ପରୀକ୍ଷା କେନ୍ଦ୍ରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉତ୍ତର ନ କହି ଚୁପ୍ ହୋଇ ବସିରହିବେ। ଏହି ପରିସ୍ଥିତିରେ ଶେଷ ସମୟରେ ଦୃଷ୍ଟିହୀନ ପିଲାଙ୍କ ପାଇଁ ତରବରରେ ଉତ୍ତର ଲେଖିବା ଭାରି କଷ୍ଟକର। ଦୃଷ୍ଟିହୀନ ପିଲାଙ୍କୁ ସେ ବେଳେବେଳେ ୧୦-୧୨ ଥର ପ୍ରଶ୍ନ ପଢ଼ି ଶୁଣାଇବା ପରେ ମଧ୍ୟ ସେମାନେ ଉତ୍ତର କହିବାରେ ବିଳମ୍ବ କରନ୍ତି। ପୁଷ୍ପାଙ୍କୁ ବ୍ୟତିବ୍ୟସ୍ତ ଲାଗିଲେ ମଧ୍ୟ ପାଖରେ ବସିଥିବା ଦିବ୍ୟାଙ୍ଗ ପିଲାଜଣଙ୍କୁ ସେ ଉତ୍ତର କହିବାକୁ ଉତ୍ସାହିତ କରିଥାନ୍ତି। ନିଜର ଏହି କାମରେ ସେ ଆତ୍ମତୃପ୍ତି ପାଉଥିବାବେଳେ ଧୈର୍ୟ୍ୟ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କହିଛନ୍ତି ପୁଷ୍ପା। କେତେଜଣ ଅଭିଭାବକ ଗତ କିଛିବର୍ଷ ମଧ୍ୟରେ ପୁଷ୍ପାଙ୍କୁ ମୋଟା ଅଙ୍କର ପାଉଣା ତଥା ଦାମୀ ଜିନିଷପତ୍ର ଉପହାର ଭାବେ ଦେବାକୁ ଚାହିଁଛନ୍ତି, କିନ୍ତୁ ପୁଷ୍ପା ସେସବୁ ଗ୍ରହଣ କରିବାକୁ ଉଚିତ୍ ମଣିନଥିଲେ। ନିଜ ମନକୁ ଖୁସି ଦେଉଥିବା ଏଇ କାମର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ରାଜି ହୋଇନାହାନ୍ତି ପୁଷ୍ପା।
ଦୃଷ୍ଟିହୀନ ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଦେବୀ ପାଲଟିଥିବା ପୁଷ୍ପାଙ୍କ ମତରେ ଅନ୍ୟକୁ ଶିକ୍ଷାଦୀକ୍ଷାରେ ସହାୟତା କରି ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଚେଷ୍ଟାରେ ଯୁବପିଢ଼ି ଏକଜୁଟ ହେବା ଦରକାର। ଆଜିର ସ୍ମାର୍ଟ ଯୁଗରେ ଦିବ୍ୟାଙ୍ଗମାନଙ୍କୁ ସହାୟତା କରିବାକୁ ଆମେ କିଛି ସମୟ ବାହାର କରିପାରିଲେ, ଭାରତର ସ୍ବର୍ଣ୍ଣିମ ଭବିଷ୍ୟତ ଆଉ ବେଶୀ ଦୂର ନୁହେଁ।

Comments
Loading...