ଦୁର୍ଘଟଣାରେ ଗୋଡ ହରାଇ ମଧ୍ୟ ହାରିନାହାନ୍ତି ଜଡିଚାତର ଗ୍ରାମର ବସନ୍ତ ନାଏକ

ପାଟଣା : ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ ହରାଇ ମଧ୍ୟ ହାରିନାହାନ୍ତି ଜଡିଚାତର ଗ୍ରାମର ବସନ୍ତ ନାଏକ (୪୦) ନାମକ ଜଣେ ଟ୍ରକ ଚାଳକ । ଦୀର୍ଘ ୮ ବର୍ଷ ତଳେ ଧ୍ରୁପଦା ନିକଟରେ ଏକ ଟ୍ରକ ସହ ତାଙ୍କ ଟ୍ରକର ଧକ୍କା ହେବାରୁ ତାଙ୍କୁ ଗୋଟିଏ ଗୋଡ ହରାଇବାକୁ ପଡିଥିଲା । ଗୋଟିଏ ଗୋଡ କଟାଯିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ବୃଦ୍ଧ ବାପା ରମାକାନ୍ତ ନାଏକ (୬୫) ଙ୍କ ଉପରେ ବୋଝ ହେବା ଅପେକ୍ଷା ନିଜେ କିପରି ଆତ୍ମନିର୍ଭରଶୀଳ ହେବେ ସେହି ଚିନ୍ତାରେ ସେ ଥିଲେ । ଚେଷ୍ଟା ହିଁ ତାଙ୍କୁ ରୋଜଗାରର ବାଟ ଦେଖାଇଲା । ଚାକୁଣ୍ଡାପାଳ ପଂଚାୟତ ଦ୍ୱାରା ଶରଧାପୁର ଛକରେ କରାଯାଇଥିବା ବିପ୍ପଣୀ ଗୃହର ୪ ନମ୍ବର କୋଠରୀକୁ ନେଇ ସେ ପାନ ଓ ମନୋହରୀ ଦୋକାନଟିଏ କଲେ । ସେହି ଦୋକାନ ଆୟରୁ କିଛି ଅର୍ଥ ସଂଚୟ କଲା ପରେ ବ୍ୟାଙ୍କରୁ ଋଣ କରି ଏକ ଯାତ୍ରିବାହୀ ଅଟୋ କିଣି ନୂଆ ବ୍ୟବସାୟ ଆରମ୍ଭ କଲେ। ଏବେ ବସନ୍ତ ଦୋକାନ କରିବା ସହ ଅଟୋ ଚଳାଇ ବେଶ ଦୁଇ ପଇସା ଆୟ କରୁଛନ୍ତି । ବସନ୍ତ ଅଟୋ ନେଇ ବାହାରକୁ ଗଲେ ବାପା ରମାକାନ୍ତ ଦୋକାନରେ ବସନ୍ତି । ଗତ ୨୦୧୩ ମଇ ୨୬ ତାରିଖ ସନ୍ଧ୍ୟାରେ ଧ୍ରୁପଦାରେ ଯେଉଁ ଦୁର୍ଘଟଣାରେ ସେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ତାହା ସେ ଭୁଲି ପାରି ନଥିଲେ ମଧ୍ୟ ନୂଆ ଆଶା ନେଇ ସେ ଆଗକୁ ବଢିଚାଲିଛନ୍ତି । ଏବେ ବସନ୍ତ ଙ୍କର ଏକମାତ୍ର କନ୍ୟା ରୁବି (୫) ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି । ପତ୍ନି ପ୍ରତିମା ଘର ସମ୍ଭାଳୁଛନ୍ତି । ଏବେ ବସନ୍ତଙ୍କର ସ୍ୱପ୍ନ ଝିଅକୁ ପାଠ ପଢାଇ ମଣିଷ କରିବେ । ଦୋକାନ ଓ ଅଟୋ ତାଙ୍କ ଜୀବନ ଜୀବିକାର ମାଧ୍ୟମ ହେବ ।

Comments are closed.