ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏମ୍‌ଏସ୍‌ଏମ୍‌ଇକୁ ମିଳିଛି ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱରୀ: ମହାମାରୀ କୋଭିଡ-୧୯ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ କେତେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସଂପ୍ରତି ରାଜ୍ୟ ଓ ଦେଶରେ ଅର୍ଥନୀତିର ଏହି ଘଡ଼ିସନ୍ଧି ସମୟରେ ଔଦ୍ୟୋଗିକ ଅର୍ଥନୀତିକୁ ସୁଚାରୁ ଭାବେ ସଂଚାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛି। ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଭାଗର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରାଯାଇ ଏହାକୁ ଚଳଚଞ୍ଚଳ କରାଯାଇପାରିଛି। ନିକଟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପ୍ରତିଦିନ ସମୀକ୍ଷା କରୁଛନ୍ତି। ଫଳରେ ଜୁଲାଇ ପହିଲାରେ ରହିଥିବା ୮ ପ୍ରତିଶତ ଋଣ ପ୍ରଦାନକୁ ୩୫ ପ୍ରତିଶତକୁ ବୃଦ୍ଧି କରାଯାଇ ୧୦୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଏହିକ୍ରମରେ ଗତକାଲି ଡେରାସସ୍ଥିତ ମେଗା ଫୁଡ୍‌ ପାର୍କ ନିମନ୍ତେ ୧୫ କୋଟି ଟଙ୍କା, ଇଡ୍‌କୋକୁ ଏମ୍‌ଏସ୍‌ଏମ୍‌ଇ ପାର୍କର ବିକାଶ ନିମନ୍ତେ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଢେଙ୍କାନାଳଠାରେ ୩୮ କୋଟି ଟଙ୍କା ବ୍ୟୟରେ ଇଡ୍‌କୋ ଟାୱାର ପ୍ରତିଷ୍ଠା କରାଯାଇଛି। ଏଥିରେ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଅଗ୍ରାଧିକାର ସୂତ୍ରରେ ପ୍ରୋତ୍ସାହିତ କରାଯିବା ବ୍ୟବସ୍ଥା ହାତକୁ ନିଆଯାଇଛି। ସେହିପରି ଅନ୍ୟ ପ୍ରାଥମିକତା ଥିବା ଉଦ୍ୟୋଗଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରରେ ବାଉଁଶ ଓ ନଡ଼ିଆକତା ଉତ୍ପାଦର ମୂଲ୍ୟଯୁକ୍ତ କରିବାକୁ ତାଲିମର ସୁବିଧା ସୃଷ୍ଟି କରାଯାଇଛି। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗିତାରେ ବିପଣନର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ଭାରତ ସରକାର ଅଣୁ ଖାଦ୍ୟ ପ୍ରକି୍ରୟାକରଣ ଉଦ୍ୟୋଗଗୁଡ଼ିକୁ ଚାଲୁ ରଖିବା ପାଇଁ ଆର୍ଥିକ ସହାୟତା ୬୦:୪୦ ଅନୁପାତରେ କୋଭିଡ-୧୯ ସମୟରେ ମୂଳଧନକୁ ଭରଣା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ସେହିପରି ଷ୍ଟାର୍ଟ-ଅଫ୍‌ରେ ସର୍ବମୋଟ ୬୫୧ ୟୁନିଟ୍‌ ପଞ୍ଜିକୃତ ହୋଇଥିବା ବେଳେ ସେଥିରେ ୧୪୦ ଗୋଟି ମହିଳା ଉଦ୍ୟୋଗ ରହିଛି । ଏମାନଙ୍କୁ ଓଡ଼ିଶା ସରକାର ସହାୟତା ପ୍ରଦାନ କରୁଛନ୍ତି।
ଏମାନେ ଆଇଟି, ସବୁଜ ବୈଷୟିକ, କୃଷି ବୈଷୟିକ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ବିଶାଖାପାଟଣା ଓ କଲିକତା ପରିବର୍ତ୍ତେ ଓଡ଼ିଶାର ପାରାଦ୍ୱୀପ ବନ୍ଦରରୁ ବାହାରକୁ ସାମୁଦ୍ରିକ ମତ୍ସ୍ୟ ରତ୍ପାନୀ କରାଯିବା ଉପରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍‌ ଅନୁଧ୍ୟାନ କରିବାକୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଫଳରେ ସ୍ଥାନୀୟ ମତ୍ସ୍ୟ ରତ୍ପାନୀକାରୀମାନେ ଲାଭାନ୍ୱିତ ହେବେ। ବର୍ତ୍ତମାନ ରାଜ୍ୟ ବାର୍ଷିକ ୩୦୮୬ କୋଟି ଟଙ୍କାର ମତ୍ସ୍ୟ ରତ୍ପାନୀ କାରବାର କରୁଛି।
କୋଭିଡ ପାଇଁ ବ୍ୟାଙ୍କଗୁଡ଼ିକ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଋଣ ପ୍ରଦାନ କରିବାରେ କେତେକ ସମସ୍ୟା ଉପୁଜୁଛି। କେତେକ ସ୍ଥଳରେ ଜିଲ୍ଲାପାଳମାନଙ୍କ ବିନା ଅନୁମତିରେ ଏହି ଋଣ ଗ୍ରହିତାମାନଙ୍କ ନିକଟକୁ ବ୍ୟାଙ୍କ ଯାଇ ପାରୁନାହିଁ। ତଥାପି ସଚିବ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ବାର୍ତ୍ତାଳାପ ପରେ ଏ ଦିଗରେ ଉନ୍ନତି ପରିଲକ୍ଷିତ ହୋଇଛି। ଧାର୍ଯ୍ୟ କରାଯାଇଥିବା ୨୮୦୦ କୋଟି ଟଙ୍କାର ଋଣ ପ୍ରଦାନକୁ ୩୧ ଜୁଲାଇରେ ସାରିବାକୁ ସମସ୍ତ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ତା’ର ବାର୍ଷିକ କାରବାରକୁ ୫୫୦ କୋଟିରୁ ୭୫୦ କୋଟି ଟଙ୍କା କରିବାକୁ ମନ୍ତ୍ରୀ କ୍ୟାପଟେନ ମିଶ୍ର ପରାମର୍ଶ ଦେଇଛନ୍ତି । ଲୁହାଛଡ଼ ଓ ଆଲକାତରା ଭଳି ଦ୍ରବ୍ୟ ବ୍ୟବସାୟ ଲାଭକାରୀ ହୋଇଥିବାରୁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ
ଯେପରି ଏଥିରେ ସାମିଲ ହୋଇପାରିବ ସେଥିପାଇଁ ଯୋଗାଯୋଗ କରାଯାଇଛି। ରାଜ୍ୟ ଖଦୀବୋର୍ଡର କାର୍ଯ୍ୟକ୍ରମକୁ ମଧ୍ୟ ସମୀକ୍ଷା କରାଯାଇଛି। ଏଥିସହିତ ତାଳଗୁଡ଼ ସମବାୟ ସମିତିକୁ ତୁରନ୍ତ ୨ କୋଟି ଟଙ୍କା ଅନୁଦାନ ମଞ୍ଜୁର ସହିତ ଏହାର ବାର୍ଷିକ କାରବାରକୁ ବୃଦ୍ଧି କରି ୧୦ କୋଟି ଟଙ୍କା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ପରିସ୍ଥିତି ପ୍ରତିକୂଳ ଥିବା ସତ୍ତେ୍ୱ ବିଭାଗ ନିରନ୍ତର ଭାବେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଯତ୍ନବାନ ରହିଥିବା ଦର୍ଶାଇ ଏଥି ପାଇଁ ଧୈର୍ଯ୍ୟର ସହ ସହଯୋଗ କରିବାକୁ ସେ ଜିଲ୍ଲା ପ୍ରଶାସନ, ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌କୁ ନିବେଦନ କରିଛନ୍ତି।

Comments are closed.