ଜନଶୂନ୍ୟ ହେବ ଢୁଲୁଗୁଡା ! ପିଇବା ପାଣି ସମସ୍ୟା, ମିଳୁନି ଆବାସ ଯୋଜନା

ନବରଙ୍ଗପୁର : ନବରଙ୍ଗପୁର ଓ କଳାହାଣ୍ଡି ଜିଲା ସୀମାନ୍ତ ଢୁଲୁ ଘାଟି ଭିତରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ପଞ୍ଚାୟତର ଢୁଲୁଗୁଡା ଗ୍ରାମ ସମସ୍ୟା ଘେରରେ ରହିଛି। ପଞ୍ଚାୟତ ସଦର ମହକୁମାରୁ ପ୍ରାୟ ୫କିଲୋମିଟର ଦୂରରେ ରହିଥିବା ଏହି ଗାଁରେ ପିଇବା ପାଣିର ସମସ୍ୟା ରହିଥିବାବେଳେ ଏଠାରେ କାହାକୁ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳି ନ ଥିବା ଜଣାପଡ଼ିଛି। ଏହି ଗ୍ରାମରେ ଏବେ ଆଦିବାସୀ ପରଜା ସମ୍ପ୍ରଦାୟର ୬ଟି ପରିବାର ରହୁଛନ୍ତି। ବଣପାହାଡ଼ ଘେରା ଗ୍ରାମରେ ଦୀର୍ଘବର୍ଷ ଧରି ଏଠାରେ ବସବାସ କରି ଆସୁଛନ୍ତି। ଏଠାରେ ମୈାଳିକ ସୁବିଧା ମିଳୁ ନ ଥିବାରୁ ବହୁ ପରିବାର ଏହି ଗାଁ ଛାଡ଼ି ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ପ୍ରାୟ ଦେଢ଼ କିଲୋମିଟର ପାହାଡ଼ ତଳକୁ ଗଲେ ଝରଣା ପାଣି ପିଇବାକୁ ମିଳୁଥିବା କହିଛନ୍ତି। ଏହାଛଡ଼ା ଗ୍ରାମର ଜଣକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ , ମୋ କୁଡ଼ିଆରେ ଘର ଖଣ୍ଡିଏ ମିଳିନାହିଁ। ଫଳର ଝାଟିମାଟି କୁଡ଼ିଆରେ ଲୋକେ ବସବାସ କରି ରହୁଛନ୍ତି। ଗଁା ଲୋକ ପାହାଡ଼ରେ ଚାଷ କରିବା ସହ ଗୃହପାଳିତ ପଶୁପକ୍ଷୀ ମଧ୍ୟ ରଖିଛନ୍ତି। ମଝିରେ ମଝିରେ ହିଂସ୍ର ବନ୍ୟଜନ୍ତୁ ଗାଁ ଭିତରକୁ ଚାଲିଆସୁଥିବା କହିଛନ୍ତି। ପିଲାମାନେ ପାଠ ପଢିବା ପାଇଁ ପ୍ରାୟ ୩କିଲୋମିଟର ଦୂରରେ ଥିବା ବୋରିଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟକୁ ଯାଉଥିବା କହିଛନ୍ତି। ଗଁାରେ ସନିଆ ଜାନୀ, ଗୁରୁବନ୍ଧୁ ଜାନୀ, ମନ ଜାନୀ, ଜୟ ଜାନୀ, ମାରୁତି ଜାନୀଙ୍କ ପରିବାର ହିଁ ରହୁଥିବାବେଳେ ବହୁ ପରିବାର ଗାଁ ଛାଡ଼ି ଚାଲିଯାଇଥିବା ଜଣାଯାଇଛି। ଏହି ଗାଁ ନାମ ଅନୁସାରେ ଢୁଲୁ ଘାଟି ହୋଇଥିବାବେଳେ ଏହି ଘାଟି ପ୍ରାୟ ୧୨କିଲୋମିଟର ଖୋଳି ଏଠାରେ ରାସ୍ତା ନିର୍ମାଣ କରାଯାଇ ନବରଙ୍ଗପୁର ଓ କଳାହାଣ୍ଡି ଜିଲାକୁ ସଂଯୋଗ କରାଯାଇଛି। ତେବେ ଘାଟି ଆଢୁଆଳରେ ରହିଥିବା ଏହି ଗ୍ରାମ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ି ନ ଥିବାରୁ ଏହି ଗାଁ ଆଗାମୀ ଦିନରେ ଜନଶୂନ୍ୟ ହୋଇ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି ା

Comments are closed.