ଯାଞ୍ଚ ହେବ ଶିକ୍ଷାନୁଷ୍ଠାନ, ୬୭ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପୂର୍ବରୁ ଏଗୁଡ଼ିକର ସ୍ଥିତି ନେଇ ଯାଞ୍ଚ କରାଯିବ। ବିଦ୍ୟାଳୟୟ ଫଳାଫଳ, ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଆଦି ତନଖି କରାଯିବ। ସ୍ୱୀକୃତି ପାଇଁ ବିଦ୍ୟାଳୟ ଯୋଗ୍ୟ କି ନା ତାହାର ତଦାରଖ ହେବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ୬୭ ଜଣ ଅଧିକାରୀଙ୍କୁ ବିଭିନ୍ନ ବିଦ୍ୟାଳୟ ଗସ୍ତରେ ଯିବା ପାଇଁ ଦାୟିତ୍ୱ ଦିଆଯାଇଛି। ତେବେ ଅଧିକାରୀମାନେ ଭୁବନେଶ୍ୱରରୁ ବିଭିନ୍ନ ଜିଲାକୁ ଯିବା ପାଇଁ ଥିବା କଟକଣା ହଟାଇବା ନିମନ୍ତେ ନିର୍ଦେଶାଳୟ ପକ୍ଷରୁ ଜିଲା ପ୍ରଶାସନକୁ ଚିଠି ଲେଖାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ସ୍ୱୀକୃତି ଯାଞ୍ଚ ନିମନ୍ତେ ଭାରପ୍ରାପ୍ତ ଅଧିକାରୀଙ୍କୁ ସୁଯୋଗ ଦେବା ନିମନ୍ତେ ସେମାନଙ୍କ ଉପରୁ କଟକଣା ହଟାଇବା ଦିଗରେ ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହରା ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏହି ମର୍ମରେ ଶ୍ରୀ ବେହେରା ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୋନପୁର ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଚଳିତ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ବସିବ। ଏହା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ବିଭିନ୍ନ ଶାଖାର ଅଧିକାରୀମାନଙ୍କୁ ଭୁବନେଶ୍ୱରରୁ ବିଭିନ୍ନ ଜିଲା ଗସ୍ତରେ ଯିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଅଧିକାରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ତନଖି କରିବା ସହିତ ସରକାରୀ ସ୍ୱୀକୃତି ପାଇଁ ଥିବା ସର୍ତ୍ତାବଳି ସେସବୁ ପ୍ରତିଷ୍ଠାନ ପାଳନ କରିଛନ୍ତି କି ନା ତାହାର ଅନୁଧ୍ୟାନ କରି ରିପୋର୍ଟ ଦେବେ। ଉକ୍ତ ରିପୋର୍ଟ ଆଧାରରେ ହାଇ କମିଟି ବୈଠକରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସ୍ୱୀକୃତି ବିଷୟରେ ନିଷ୍ପତ୍ତି ନିଆଯିବ। ଯେଉଁ ଶିକ୍ଷାନୁଷ୍ଠାନ ସର୍ତ୍ତାବଳି ଆଧାରରେ ପଦକ୍ଷେପ ନେଇ ନଥିବେ ସେଠାରେ ଆଗାମୀ ବର୍ଷ ନାମଲେଖା ଉପରେ କଟକଣା ଜାରି କରାଯିବ। ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଯେପରି ସୁବିଧାରେ ସବୁ ଜିଲାକୁ ଯାଇ ଉଚ୍ଚ ଶିକ୍ଷାନୁଷ୍ଠାନ ତନଖି କରିପାରିବେ ସେଥିପାଇଁ ପୂର୍ବରୁ ଲାଗୁ ହୋଇଥିବା କଟକଣା ହଟାଇବା ନିମନ୍ତେ ନିର୍ଦେଶକ ଜିଲାପାଳମାନଙ୍କ ସହଯୋଗ ଲୋଡ଼ିଛନ୍ତି।

Comments are closed.