ଦାଦନ ଶ୍ରମିକ ପାପୁଲି କଟା ମାମଲା, ଶେଷ ଅଭିଯୁକ୍ତ ପର୍ଶୁରାମଙ୍କୁ ୧୦ ବର୍ଷ କାରାଦଣ୍ଡ

ଧର୍ମଗଡ଼/ଭବାନୀପାଟଣା : ଦାଦନ ଚାଲାଣ ବେଳେ ପ୍ରତିବାଦ କରିବାରୁ ଦାଦନ ସର୍ଦାର ଦୁଇ ଶ୍ରମିକଙ୍କ ହାତ ପାପୁଲି କାଟିଦେବା ଘଟଣାରେ ଅଦାଲତ ସୋମବାର ଶେଷ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ପୂର୍ବରୁ ଏହି ମାମଲାରେ ୮ଜଣଙ୍କୁ ଅଦାଲତ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ୮ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି। କିନ୍ତୁ ମୁଖ୍ୟ ଏବଂ ଶେଷ ଅଭିଯୁକ୍ତ ପର୍ଶୁରାମ ଫେରାର ଥିଲା। ପୁଲିସ ତାକୁ ଗିରଫ କରି କୋର୍ଟରେ ହାଜର ପରେ ଅଦାଲତ ତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଦୁଇ ଦାଦନଙ୍କ ପାପୁଲି କଟା ଘଟଣା ସେତେବେଳେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। କଳାହାଣ୍ଡିରେ ଦାଦନ ସମସ୍ୟା କେତେ ଉତ୍କଟ ସେ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା।

ଘଟଣାରୁ ପ୍ରକାଶ ଯେ ଜୟପାଟଣା ବ୍ଲକ ନୂଆଗୁଡ଼ା ଗ୍ରାମର ଦାଦନ ଦଲାଲ ବିମଳ ରାଉତ ଓ ପର୍ଶୁ ନାଏକ ଶ୍ରମିକ ଯୋଗାଇ ଦେବା ପାଇଁ ୨୦୧୩ ନଭେମ୍ବରରେ ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ପଞ୍ଚାୟତ କୋଟାମାଲ ଗ୍ରାମର ପରମେଶ୍ୱର ଧୁନିଙ୍କ ଠାରୁ ଟଙ୍କା ଆଣିଥିଲେ। ଟଙ୍କା ଆଣି ବିମଳ ଓ ପର୍ଶୁ ଜୟପାଟଣା ବ୍ଲକ ପିପଲଗୁଡ଼ା ଗଁାର ଦୁଆଲୁ ନିଆଲ ସମେତ ନୂଆଗୁଡ଼ା ଗଁାର ପିଙ୍କି ରାଉତ, ମଞ୍ଜୁଳା ଧଙ୍ଗଡ଼ାମାଝୀ, ଜୟ ପରାଭୋଇ, ଭୂମିସୂତା ଭୋଇ, ଅମର ନାଏକ, ନୀଳାମ୍ବର ରାଉତ, ଅମ୍ବିକା ନାଏକ, ମହେନ୍ଦ୍ର ନାଏକ, ପର୍ଶୁରାମ ନାଏକ ଏବଂ ପିପଲା ନାଏକ ଆଦିଙ୍କୁ ହାଇଦ୍ରାବାଦ ଇଟାଭାଟିରେ କାମ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ନେଇଥିଲେ। ଘରୁ ବାହାରିବା ପରେ ୨୦୧୩ ନଭେମ୍ବର ୩୦ ତାରିଖରେ କୋଟାମାଲ ଗ୍ରାମର ଦାଦନ ସର୍ଦାର ପରମେଶ୍ୱର ଧୁନିଙ୍କୁ ଏହି ସମସ୍ତ ଶ୍ରମିକଙ୍କୁ ହସ୍ତାନ୍ତର କରି ବିମଳ ଓ ପର୍ଶୁ ପ୍ରତି ଶ୍ରମିକ ବାବଦକୁ ୧୪ରୁ ୧୫ ହଜାର ଟଙ୍କା ନେଇ ଗାଁକୁ ଫେରି ଆସିଥିଲେ। ପ୍ରଥମେ ଏହି ଶ୍ରମିକମାନଙ୍କୁ ପରମେଶ୍ୱର ଧୁନି ନିଜ କ୍ଷେତରେ ଧାନ କଟା କାମରେ ନିୟୋଜିତ କରିବା ପରେ ଡିସେମ୍ବର ୫ ତାରିଖରେ ରାୟପୁର ଦେଇ ହାଇଦ୍ରାବାଦକୁ ଚାଲାଣ କରୁଥିଲା।

 

ସେ ସମୟରେ ଟ୍ରେନ ଭିତରେ ଶ୍ରମିକମାନେ ଅଗ୍ରୀମ ଟଙ୍କା ମାଗିବାରୁ ତାକୁ ନେଇ ଦାଦନ ସର୍ଦାର ପରମେଶ୍ୱର ଓ ଶ୍ରମିକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସୁଯୋଗ ପାଇ କିଛି ଶ୍ରମିକ ଘରକୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଦିଆଲୁ ଓ ନୀଳାମ୍ବରକୁ ଦାଦନ ସର୍ଦାର କାବୁ କରି ଗଁାକୁ ଆଣି ବନ୍ଧକ ରଖିଥିଲା। ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ଟଙ୍କା ଫେରସ୍ତ ପାଇଁ ଦୁଇ ପରିବାର ଲୋକଙ୍କୁ ବାରମ୍ବାର ଫୋନ କରିଥିଲା। ସେତେବେଳକୁ ପର୍ଶୁ ଓ ବିମଳ ରାଉତ ଆଉ ଧରାଛୁଅଁା ଦେଇନଥିଲେ। ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଏତଲା ଦେବା ଜାଣିବା ପରେ ୨୦୧୩ ଡିସେମ୍ବର ୧୫ ତାରିଖରେ କଳାହାଣ୍ଡି-ବଲାଙ୍ଗିର ସୀମାନ୍ତ ଏକ ଶାଗୁଆନ ଜଙ୍ଗଲରେ ଏହି ଦୁଇ ଶ୍ରମିକଙ୍କ ହାତ ପାପୁଲି କାଟି ଛାଡ଼ି ଦେଇଥିଲେ। ବିଳମ୍ବିତ ରାତିରେ କୌଣସି ମତେ ଏହି ଦୁଇ ଶ୍ରମିକ ନିକଟସ୍ଥ ଏକ ଗଁାକୁ ଆସି ସାହାଯ୍ୟ ମାଗିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ୧୬ ତାରିଖରେ ସେମାନଙ୍କୁ ଭବାନୀପାଟଣା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ମାମଲରେ ଧର୍ମଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତ ୨୦୧୬ ଡିସେମ୍ବର ୨୪ ତାରିଖରେ ମୋଟ ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେମାନେ ହେଲେ ବିମଳ ରାଉତ, ମଣ୍ଟୁ ନିଆଲ, ଜୟସେନ ଠେଲା, ଅର୍ଜୁନ ଭୋଇ, ବନ ମାଝୀ, ବୈକୁଣ୍ଠ ରାଉତ, ଗଙ୍ଗାଧର ଦାସ, ପରମେ ଦୁଣ୍ଡି। ମାମଲାର ଅନ୍ୟତମ ଅଭିଯୁକ୍ତ ପର୍ଶୁରାମ ସେତେବେଳେ ଫେରାର ଥିଲେ। ପୁଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କଲା ପରେ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଧର୍ମଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ବନ୍ଦନା କର ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ଥବିର ପ୍ରସାଦ ସାହୁ ଏହି ମାମଲା ପରିଚାଳନା କରିଥିଲେ।

Comments are closed.