୪୦ ବର୍ଷରେ ଧୋନି

ନୂଆଦିଲ୍ଲୀ :  ଭାରତୀୟ କ୍ରିକେଟ୍‌ର ଜଣେ ମହାନ୍ ସେବକ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର ଜୀବନର ୪୦ ବର୍ଷ ପୂରଣ କରିଛନ୍ତି। ୨୦୨୦ ଅଗଷ୍ଟରେ ଧୋନି ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଥିଲେ ହେଁ ଏବେ ମଧ୍ୟ ତାଙ୍କ ଲୋକପ୍ରିୟତା ପୂର୍ବ ପରି ରହିଛି। ବୁଧବାର ଧୋନି ତାଙ୍କ ପରିବାର ସଦସ୍ୟଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ଧୋନି ହେଉଛନ୍ତି ବିଶ୍ବର ଏକମାତ୍ର ଅଧିନାୟକ; ଯାହାଙ୍କ ଅଧୀନରେ ଭାରତ ୩ଟି ଆଇସିସି ଟ୍ରଫି ଜିତିପାରିଛି। ଧୋନିଙ୍କ ନେତୃତ୍ବରେ ଭାରତ ସର୍ବପ୍ରଥମ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଓ ୨ୟ ଥର ଦିନିକିଆ ବିଶ୍ବକପ୍ ଜିତିଥିଲା। ୨୦୦୪ରେ ବାଂଲାଦେଶ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଧୋନି ପରେ ଦେଶର ଅନ୍ୟତମ ସଫଳ କ୍ରିକେଟର ଓ ଅଧିନାୟକ ପାଲଟିଥିଲେ। ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରୁଥିବା ଧୋନି ପରେ ଦାୟିତ୍ବବାନ ହୋଇ ଖେଳିବା ସହ ଦଳକୁ ଜିତାଇବାର ପ୍ରୟାସ କରିଥିଲେ। ତେଣୁ କ୍ରିକେଟ୍‌ ଦୁନିଆ ତାଙ୍କୁ ‘ଫିନିସର’ ଓ କ୍ୟାପ୍‌ଟେନ କୁଲ୍‌’ର ନାମ ଦେଇଥିଲା।
ବୁଧବାର ୪୦ତମ ଜନ୍ମଦିବସରେ ଧୋନିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଥିଲା। କ୍ରିକେଟ ପ୍ରଶଂସକ, ସାଥୀ କ୍ରିକେଟର, ଆଇସିସି, ବିସିସିଆଇ ଓ ଚେନ୍ନଇ ସୁପର କିଙ୍ଗ୍‌ସ ପ୍ରମୁଖ ମଧ୍ୟ ଧୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଧୋନି ୧୬ ବର୍ଷର ଅନ୍ତର୍ଜାତୀୟ ଜୀବନରେ ବିଭିନ୍ନ ଫର୍ମାଟରେ ୫୩୮ଟି ମ୍ୟାଚ ଖେଳିଛନ୍ତି। ୩୫୦ଟି ଦିନିକିଆ ଖେଳି ୫୦.୫୮ ହାରରେ ୧୦,୭୭୩ ରନ, ୯୦ଟି ଟେଷ୍ଟ ମ୍ୟାଚରୁ ୩୮.୦୯ ହାରରେ ୪,୮୭୬ ରନ୍‌ ଓ ୯୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୧୬୧୭ରନ କରିଛନ୍ତି।

Comments are closed.