ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା; ଷ୍ଟ୍ରେଚର ସହ ରୋଗୀଙ୍କୁ ଝଡ଼ାଫୁଙ୍କା ପାଇଁ ମନ୍ଦିରକୁ ନେଲେ ସମ୍ପର୍କୀୟ

ଢେଙ୍କାନାଳ : ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତରିତ ହୋଇଥିବା ଜଣେ ରୋଗୀଙ୍କୁ ତାର ସମ୍ପର୍କୀୟମାନେ ଷ୍ଟ୍ରେଚର ସହ ବାହାରକୁ ଆଣି ନିକଟସ୍ଥ ମନ୍ଦିରରେ ଝଡ଼ାଫୁଙ୍କା କରାଇଥିଲେ। ପରେ ସୁରକ୍ଷାକର୍ମୀ ତାଙ୍କୁ ଫେରାଇ ଆଣି କଟକ ସ୍ଥାନାନ୍ତର କରିଥିଲେ। ରୋଗୀ ଜଣକୁ ମେଡ଼ିକାଲ୍‍ ଷ୍ଟ୍ରେଚର ସହ ସମ୍ପର୍କୀୟମାନେ କିଭଳି ପଦାକୁ ଆଣିଲେ ତାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି।
ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଚ୍ଛାପୁର ଗ୍ରାମର ଗୁରୁବାରୀ ପ୍ରଧାନ (୨୫) ନାମକ ଜଣେ ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଶନିବାର ଦିନ ୧୨ଟା ସମୟରେ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବାପରେ ଭେଷଜ ମହିଳା ବିଭାଗରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ସନ୍ଧ୍ୟାବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବାପାଇଁ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁଯାୟୀ ୧୦୮ ଆମ୍ବୁଲାନ୍ସ ରହିଥିବାବେଳେ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ କଟକ ନନେଇ ଝଡ଼ାଫୁଙ୍କା କରିବାପାଇଁ ଷ୍ଟ୍ରେଚର ସହ ଚିକିତ୍ସାଳୟରୁ ନିକଟସ୍ଥ ଦକ୍ଷିଣକାଳୀ ମନ୍ଦିରକୁ ନେଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା. ନମିତା ପଟ୍ଟନାୟକ କହିଛନ୍ତି ଯେ ଡାକ୍ତରଖାନା ପକ୍ଷରୁ ରୋଗୀ ଜଣକୁ କଟକ ସ୍ଥାନାନ୍ତର କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲେହେଁ ବାହାର ଲୋକଙ୍କ ପ୍ରରୋଚନାରେ ପରିବାର ଲୋକ ଝଡ଼ାଫୁଙ୍କା କରାଇବାପାଇଁ ନିକଟସ୍ଥ ମନ୍ଦିରକୁ ନେଇଯାଇଥିଲେ। ଏଥିରେ ଡାକ୍ତରଙ୍କର କୌଣସି ତୃଟି ନଥିବାବେଳେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ ହେଲ୍ପ ଡେସ୍କ କର୍ମଚାରୀମାନଙ୍କ ତୃଟି ଯୋଗୁଁ ଏଭଳି ଘଟିଥିଲା। ତେବେ ରୋଗୀଙ୍କୁ ଫେରାଇ ଆଣି କଟକ ସ୍ଥାନାନ୍ତର କରାଯାଇଥିବା ସେ କହିଥିଲେ।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଓଡାପଡା ବ୍ଲକ ଅନ୍ତର୍ଗତ ନାଧରା ଗ୍ରାମର ସୁଶାନ୍ତ ପୃଷ୍ଟି (୫୦)ଙ୍କୁ ଥଣ୍ଡାକାଶ ହେବାରୁ ସେ କରୋନା ଟେଷ୍ଟପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଆଣ୍ଟିଜେନ ଟେଷ୍ଟ ପରେ ସୁଶାନ୍ତଙ୍କର ପଜିଟିଭ ଚିହ୍ନଟ ହେବାପରେ ଚିକିତ୍ସାଳୟ ଗେଟ ସମ୍ମୁଖରେ ପଡି ପ୍ରାଣ ହରାଇଥିଲେ। ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ମାନେ ନିରବଦ୍ରଷ୍ଟା ସାଜିଥିବା ବେଳେ ପତ୍ନୀ ନିଜ ସ୍ୱାମୀକୁ ବଞ୍ଚାଇବା ପାଇଁ ବାରମ୍ବାର ଛାତିକୁ ଦୁଇ ହାତରେ ଚିପୁଥିବା ବେଳେ କୌଣସି ଡାକ୍ତର କିମ୍ବା ନର୍ସ ଆସିନଥିଲେ। ଏହି ଘଟଣାରେ ଫାର୍ମାସିଷ୍ଟ ଶୁଭସ୍ମିତା ସାହୁଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବେଳେ ଘଟଣା ସମୟରେ ଥିବା ଡାକ୍ତର ସ୍ୱାଗତିକା ସାହୁ ଜଣେ ଆୟୁଷ ଡାକ୍ତର ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଛି। ସେହିପରି ସେଠାରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ବିରୋଧରେ ଏଜେନସିର ମୁଖ୍ୟଙ୍କୁ ଅବଗତ କରାଯାଇଛି। ଏହି ଘଟଣାର ମାତ୍ର ୪ ଦିନ ନହେଉଣୁ ପୁଣି ଥରେ ଚିକିିତ୍ସାଳୟ ସୁରକ୍ଷାବଳୟ ଭିତରୁ ରୋଗୀଙ୍କୁ ନେଇ ଷ୍ଟ୍ରେଚରରେ ବୁଲିବା ଏବେ ସବୁଠାରେ ଚର୍ଚ୍ଚା ଚାଲିଥିବାର ଜଣାପଡିଛି। ଗୋଟିଏ ମାସରେ ଗର୍ଭବତୀ ମହିଳାଙ୍କ ପେଟରୁ ଛୁଆ ପଡି ମୃତ୍ୟୁବରଣ କରିବା, ଅନ୍ୟଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିବା ଭଳି ଘଟଣା ଘଟିଥିଲେ ମଧ୍ୟ ଚତୁରତାର ସହିତ ତଳତଳିଆ କର୍ମଚାରୀଙ୍କୁ ବଳିପକାଇ ଅନ୍ୟମାନଙ୍କୁ ଖସାଇ ଦିଆଯାଉଥିବାର ଅଭିଯୋଗ ହୋଇଛି।

Comments are closed.