କୋଭିଡ୍‍ ରୋଗୀଙ୍କ ଶବ ପୋତାଯିବା ଘଟଣାର ପ୍ରତିବାଦ; ଶବ ପିଛା ୭୫୦୦ ଟଙ୍କା ପାଇ ବି ଦାହ କରୁନି ପ୍ରଶାସନ

ଅନ୍ୟ ଜିଲାଠୁ ଅଲଗା ଢେଙ୍କାନାଳ !

ଢେଙ୍କାନାଳ : କୋଭିଡ୍‍ରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ବ୍ୟକ୍ତିଙ୍କ ଶବକୁ ଢେଙ୍କାନାଳ ପୌର ପ୍ରଶାସନ ପୋତି ଦେଉଥିବା ଘଟଣାକୁ ନେଇ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପ୍ରତିବାଦ ଉଠିଛି। ହିନ୍ଦୁ ଧର୍ମ ଅନୁଯାୟୀ, ଶବର ଦାହ ସଂସ୍କାର କରାଯିବାକୁ ଥିବାବେଳେ ଏହାକୁ ପୋତିବା ଘଟଣା ସେମାନଙ୍କୁ ବ୍ୟଥିତ କରିଛି। କୋଭିଡ୍‍ ରୋଗୀଙ୍କ ଶବ ପୋତାଯିବା ଘଟଣାକୁ ନେଇ ଜିଲା ଓକିଲ ସଂଘ, ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‍ ଓ ସମାଜସେବୀ ରାମଚନ୍ଦ୍ର ପାତ୍ର ପ୍ରମୁଖ ପ୍ରତିବାଦ କରି ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ପଡ଼ୋଶୀ ଜିଲା କଟକ, ଅନୁଗୋଳ, ଭୁବନେଶ୍ୱର, ପୁରୀ ସମେତ ବିଭିନ୍ନ ଜିଲାରେ କୋଭିଡ୍‍ ଆକ୍ରାନ୍ତଙ୍କ ଶବକୁ ଦାହ ସଂସ୍କାର କରାଯାଉଛି। ଢେଙ୍କାନାଳରେ କିନ୍ତୁ ଏହାର ବ୍ୟତିକ୍ରମ ହେଉଛି। ସରକାର ଜଣେ କୋଭିଡ୍‍ ଆକ୍ରାନ୍ତ ଶବକୁ ଦାହ ସଂସ୍କାର ପାଇଁ ୭ହଜାର ୫ଶହ ଟଙ୍କା ପ୍ରଦାନ କରୁଛନ୍ତି। ଢେଙ୍କାନାଳ ପୌରସଂସ୍ଥାକୁ ଏହି ଅର୍ଥ ମଧ୍ୟ ଆସୁଛି। ପଡ଼ୋଶୀ ଜିଲା ଅନୁଗୋଳରେ ଏହି ୭ ହଜାର ୫ଶହ ଟଙ୍କାରେ ଶବକୁ ଗାଡ଼ିରେ ଅଣାଯାଇ ଗୋଟିଏ ଜାଗାରେ ଦାହ ସଂସ୍କାର କରାଯାଉଛି। ଗାଡ଼ି ଭଡ଼ା ସମେତ ଦାହ ସଂସ୍କାର କରିବା ପାଇଁ ସମସ୍ତ ଖର୍ଚ୍ଚ ଏଥିରୁ ତୁଲାଯାଉଛି। ଏପରିକି ଦାହ ସଂସ୍କାର ବେଳେ ଉପସ୍ଥିତ ରହିବାକୁ ଚାହୁଁଥିବା କିଛି ପରିବାର ଲୋକଙ୍କୁ ପିପିଇ କିଟ୍‍ ମଧ୍ୟ ପ୍ରଦାନ କରାଯାଉଛି। ସେହିପରି ଯେଉଁମାନେ ଦାହ ସଂସ୍କାର କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ସେମାନଙ୍କ ପାଇଁ ପିପିଇ କିଟ୍‍ ସମେତ ୫ଶହ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଶବକୁ ପଲିଥିନ୍‍ରେ ପ୍ୟାକିଂ କରିବା ପାଇଁ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହାପରେ ପରିବାର ଲୋକଙ୍କୁ ଅସ୍ଥି ମଧ୍ୟ ପ୍ରଦାନ କରାଯାଉଛି। ଫଳରେ ସେମାନେ ଉକ୍ତ ଅସ୍ଥିକୁ ନେଇ ଶୁଦ୍ଧିକ୍ରିୟା କରିପାରୁଛନ୍ତି।
ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ବାଞ୍ଝକୁଶୁମ ଠାରେ ଅଳିଆ ଗଦା (ଡମ୍ପିଂୟାର୍ଡ) ପରିସର ମଧ୍ୟରେ ଜେସିବିରେ ଗାତ ଖୋଳି ଶବକୁ ପୋତି ଦିଆଯାଉଛି। ପୌରସଂସ୍ଥା ପକ୍ଷରୁ ଶବକୁ ବୋହି ଆଣୁଥିବା ଗାଡ଼ି ଭଡ଼ା, ଗାତ ଖୋଳିବା ପାଇଁ ଜେସିବିକୁ ୧ ହଜାର ଟଙ୍କା ଭଡ଼ା ଓ କିଛି ସଫେଇ କର୍ମଚାରୀଙ୍କୁ ଅର୍ଥ ପ୍ରଦାନ କରାଯାଉଛି ବୋଲି କୁହାଯାଉଛି। ଢେଙ୍କାନାଳ ପୌରସଂସ୍ଥାକୁ ତତ୍କାଳୀନ ସାଂସଦ ତଥାଗତ ସତପଥୀ ତାଙ୍କ ପାଣ୍ଠିରୁ ଏକ ଜେସିବି ପ୍ରଦାନ କରିଥିବାବେଳେ ପୌରସଂସ୍ଥା ଜେସିବି ବାବଦରେ ଖର୍ଚ୍ଚ କରିଥିବା ଦର୍ଶାଇବା କେତେଦୂର ଠିକ୍‍ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଶବ ସଂସ୍କାର ପାଇଁ ଆସୁଥିବା ଟଙ୍କାକୁ କିଭଳି ଭାବେ ବିନିଯୋଗ କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Comments are closed.