ରାଜସ୍ୱ ଗ୍ରାମ ମାନ୍ୟତା ଓ ଜଳାଶୟ ଉନ୍ନତିକରଣ ପାଇଁ ସାଂସଦଙ୍କ ସହ ଆଲୋଚନା

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ଗ୍ରାମ ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ସହ ଜଳାଶୟର ଉନ୍ନତିକରଣ ଦିଗରେ ଢେଙ୍କାନାଳ ସାଂସଦ ସହ ଜନଜାଗ୍ରତ ମଞ୍ଚ ଏବଂ ଗ୍ରାମବାସୀ ଆଲୋଚନା କରିଛନ୍ତି। ଗ୍ରାମର ଦୀର୍ଘ ୮/୯ ବର୍ଷ ହେବ ରେଭେନ୍ୟୁ ଭିଲେଜ୍ ହେବା ପାଇଁ ଦାବୀ କରିଆସୁଛନ୍ତି। ଏହି ଦାବୀ ଯଥାର୍ଥ ବୋଲି କହିବା ସହିତ ଏହି ଗ୍ରାମର ଲୋକସଂଖ୍ୟା ୧୮୦୦ ଏବଂ ଭୋଟର ୧୧୦୦ ହୋଇଥିବା ସ୍ଥଳେ ଏହା ରେଭେନ୍ୟୁ ଭିଲେଜ୍ ଯୋଗ୍ୟତା ହାସଲ କରିଛି ଏବଂ ଏହା ପାଇବ ମଧ୍ୟ ବୋଲି ଜନସାଧାରଣ ଏହି ସଭାରେ ଘୋଷଣା କରିଥିଲେ। ଆଉମଧ୍ୟ ଏହି ଗ୍ରାମରେ ୫୭ ଏକର ଜଳାଶୟକୁ ଜନଜାଗ୍ରତ ମଂଚ ଓ ଗ୍ରାମବାସୀବୃନ୍ଦ ଏହାକୁ ହ୍ରଦର ମାନ୍ୟତା ଦେବା ସହିତ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ଦେବାକୁ ଦୀର୍ଘ ୨ବର୍ଷ ହେଲା ଦାବୀକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ଏହି ଦାବୀକୁ ଚିଫ୍ ଇଂଜିନିୟର ଗ୍ରହଣ କରି କ୍ଷୁଦ୍ର ଜଳସେଚନ ନିର୍ବହୀ ଯନ୍ତ୍ରୀ ଙ୍କୁ ତଦାରଖ କରି ରିପୋର୍ଟ ଦେବାକୁ ଚିଠି ଦେଇଥିଲେ। ଏଥି ପାଇଁ ନିର୍ବହୀ ଯନ୍ତ୍ରୀ ୮ କୋଟି ଟଙ୍କାର ଅଟକଳ ବଜେଟ୍ କରି ମୁଖ୍ୟଯନ୍ତ୍ରୀଙ୍କୁ ଦିଆଯାଇଛି ବୋଲି ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହାଦ୍ୱାରା ନିଯୁକ୍ତି ଓ ରୋଜଗାର ହେବା ସହିତ ଏହି ଜଳସେଚନ ମାଧ୍ୟମରେ ଆଖପାଖର ୭/୮ ଟି ପଞ୍ଚାୟତର ଚାଷୀ ଉପକୃତ ହୋଇ ପନିପରିବା ଚାଷ ଓ ରବି ଫସଲ ଦ୍ୱାରା ଉପକୃତ ହୋଇପାରିବେ। ଏହି ୫୭ ଏକର ଜଳାଶୟକୁ ସଂପୂର୍ଣ୍ଣ ଖୋଳାଯାଇ ଏଠାରେ ମାଛଚାଷ, ବୋଟିଂ, ପାର୍କିଂ, ବଣଭୋଜି ପାଇଁ ଉପଯୁକ୍ତ ଯାଗା ହେବା ସହିତ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ପୀଠ ୧୦ କି.ମି., ଶୈବପୀଠ କପିଳାସ ୧୦ କି.ମି., ତପୋବନ ୧୦ କି.ମି., ଦତ୍ତାତ୍ରେୟ ସାଈ ଆଶ୍ରମ ୮ କି.ମି. ଓ ଢେଙ୍କାନାଳ ସହର ୧୫ କି.ମି ଏବଂ ଢେଙ୍କାନାଳ ସହର ଠାରୁ ସପ୍ତଶଯ୍ୟା ମାତ୍ର ୧୦ କି.ମି. ଥିବାରୁ ପର୍ଯ୍ୟଟକ ଆସିଲେ ସମସ୍ତ ପର୍ଯ୍ୟଟନସ୍ଥଳୀ ବୁଲିବା ସହିତ ଏହି ୫୭ ଏକର ଜଳାଶୟ ଦ୍ୱାରା ହୋଇଥିବା ଇକୋ ଟୁରିଜିମ୍ ଓ ବଣଭୋଜିର ମଜା ନେଇପାରିବେ ଏବଂ ସରକାର ମଧ୍ୟ ରେଭେନ୍ୟୁ ପାଇପାରିବେ।

ଏହି ସଭାରେ ଜନଜାଗ୍ରତ ମଂଚର ସଭାପତି ସୁରେନ୍ଦ୍ର କୁମାର ଦଳେଇ, ସରୋଜ ଶତପଥୀ, ପି.ସି. ନାଥ, ଅନିଲ୍ ଦାସ, ତ୍ରିନାଥ ବେହେରା, କୈଳାସ ସେଠୀ, ମହିଳା ବିଜେଡି ସଂପାଦିକା ତିଳୋତମା ଚୌଧୁରୀ, ମହିଳା ଉପସଭାନେତ୍ରୀ ପ୍ରଣତୀ ପଣ୍ଡା, ଆନନ୍ଦିତା ମିଶ୍ର, ଗ୍ରାମର ମୁଖିଆ ମାଧବନନ୍ଦ କର, ସଭାପତି ସୋମନାଥ ବେହେରା, ସଂପାଦକ ଜତୁ ରଞ୍ଜନ ମିଶ୍ର ପ୍ରମୁଖ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିଲେ। ଏଥି ସହିତ ଗୋବିନ୍ଦପୁର ଗ୍ରାମପଂଚାୟତର କଣ୍ଟେଇକୋଳିଆସ୍ଥିତ ଗୋଶାଳା ପରିଦର୍ଶନରେ ଯାଇ ଢେଙ୍କାନାଳ ସାଂସଦ ମହେଶ ସାହୁ ସେଠାରେ ସୁବିଧା ଅସୁବିଧା ବୁଝିବା ସହିତ ଗୋ-ମୂତ୍ର ଓ ଗୋବର ଇତ୍ୟାଦିରୁ ବିଭିନ୍ନ ସାଂରଜମ ତିଆରି କରାଯାଇ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହିତ ଗୋ-ଶାଳା ରୁ ବିଭିନ୍ନ ସାମଗ୍ରୀ ତିଆରି କରିବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.