ଇଞ୍ଜିନିୟରଙ୍କ ପକ୍ଷୀବିହାର,ଚାକିରି ଛାଡ଼ି ପକ୍ଷୀ ବିଶାରଦ

ଭୁବନ (କୃଷ୍ଣଚନ୍ଦ୍ର ସାହୁ): ଉଚ୍ଚ ଦରମା ଦେଇପାରିଲାନି ଶାନ୍ତି। ପକ୍ଷୀଙ୍କ ପ୍ରତି ଅଦ୍ଭୁତ ଆକର୍ଷଣରେ ବିମୋହିତ ହେଲେ ଯୁବ ଇଂଜିନିୟର। ଏବେ ତାଙ୍କ ଘରସାରା ପକ୍ଷୀଙ୍କ କାକଳି। ସବୁବେଳେ କିଚିରିମିଚିରି ଶବ୍ଦର ସମ୍ଭାର। ସେଥିରେ ହିଁ ନିଦ ଭାଙ୍ଗେ ତାଙ୍କର ଓ ପରିବାର ସଦସ୍ୟଙ୍କର। ଥରେ ଦେଖିଲେ ମନ ବୁଝେନି, ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ଏବେ ସେ ଏକ ନିଆରା ପକ୍ଷୀବିହାରର ସ୍ରଷ୍ଟା।

ପକ୍ଷୀଙ୍କ ପାଖରେ ଦିନକୁ ୧୮ ଘଣ୍ଟା ସମୟ ବିତାଉଥିବା ଏହି ମଣିଷଟି ହେଉଛନ୍ତି ଇଂ ଗିରିଜା ପ୍ରସାଦ ମିଶ୍ର। ମୁମ୍ବଇର ଏକ ନାମୀ କମ୍ପାନିରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବାବେଳେ ପକ୍ଷୀପ୍ରେମ ତାଙ୍କୁ ବ୍ୟତିବ୍ୟସ୍ତ କଲା ଓ ସେ ସେଥିପାଇଁ ଚାକିରି ଛାଡ଼ିବାର ଅସାଧାରଣ ନିଷ୍ପତ୍ତି ନେଲେ। ସେ ସତକୁ ସତ ସହରର ଚାକଚକ୍ୟ ପରିବେଶ ତ୍ୟାଗ କରି ଫେରିଆସିଲେ ନିଜ ଗଁା ଭୁବନ ବ୍ଳକ ଅନ୍ତର୍ଗତ ମାର୍ଥାପୁରକୁ। ଆରମ୍ଭ କଲେ ଏକ ପକ୍ଷୀବିହାର। ବର୍ତ୍ତମାନ ସେ ବହୁତ ଖୁସି। ନିଜର ଜୀବନକୁ ବି ମନ ଭରି ଉପଭୋଗ କରୁଛନ୍ତି। ତା’ ସାଂଗକୁ ବେଶ୍‌ ଦି’ ପଇସା ରୋଜଗାର ବି କରିପାରୁଛନ୍ତି।

ଗିରିଜା ପିଲାଦିନରୁ ହିଁ ବିଭିନ୍ନ ପଶୁପକ୍ଷୀଙ୍କ ଗହଣରେ ସମୟ କଟାଇବାକୁ ଭଲ ପାଉଥିଲେ। ବଡ଼ ହେବାପରେ ତାହା ତାଙ୍କୁ ପକ୍ଷୀମନସ୍କ କରିଦେଇଥିଲା। ସେ ନିଜ ଜନ୍ମମାଟିକୁ ଫେରି ପ୍ରଥମେ ମାତ୍ର ୬୦ ହଜାର ଟଙ୍କାରେ କିଛି ବିଦେଶୀ ପକ୍ଷୀ କିଣିଆଣିଲେ। ସେମାନଙ୍କ ସହ ଜୀବନ କଟାଇବା ସେତେବେଳେ ଅନେକଙ୍କୁ ବିସ୍ମିତ କରିଥିଲା। ପିଲାଟାର ପାଗଳାମି ବାହାରିଛି ବୋଲି ବି ଅନେକ କହିଥିଲେ; କିନ୍ତୁ ସେସବୁକୁ ଖାତିର କରି ନଥିଲେ ଯୁବ ଇଂଜିନିୟର। ଚାକିରି ପଛରେ ନଗୋଡ଼ାଇ ମନ ଦୃଢ଼ କଲେ ସଫଳତା ଆପେଆପେ ଆସିପାରିବ, ତାହା ପ୍ରମାଣିତ କଲେ ଗିରିଜା।

ଧୀରେଧୀରେ ନିଜ ଘରେ ଏକ ପକ୍ଷୀବିହାର କରିବାର ନିଷ୍ପତ୍ତି ନେଲେ। ସେଥିପାଇଁ ପକ୍ଷୀ ସମ୍ପର୍କୀୟ ବିଭିନ୍ନ ପୁସ୍ତକ ପଢ଼ିଲେ। ସେମାନଙ୍କର ରହିବା, ଖାଇବା, ଆଚରଣ, ଉଚ୍ଚାରଣ ନେଇ ଗବେଷଣା କଲେ। ପୁସ୍ତକ ଜ୍ଞାନକୁ ବାସ୍ତବରେ ପରିଣତ କରିବା ନିମନ୍ତେ ମନ ଦୃଢ଼ କଲେ। ଫଳ ସ୍ୱରୂପ ମାତ୍ର ଦୁଇ ବର୍ଷ ମଧ୍ୟରେ ୬୦ ହଜାର ଟଙ୍କାରୁ ଆରମ୍ଭ କରିଥିବା ଏହି ପକ୍ଷୀ ବିହାରର ମୂଲ୍ୟ ଏବେ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗିରିଜା ଏହି ପକ୍ଷୀ ବିହାରରେ ଖାଲି ପକ୍ଷୀ କିଣି ରଖନ୍ତି ନାହିଁ, ବରଂ ବ୍ରିଡିଙ୍ଗ୍ ବା ପ୍ରଜନନ କରି ନୂଆନୂଆ ରଙ୍ଗର ପକ୍ଷୀ ସୃଷ୍ଟି କରିଥାଆନ୍ତି। ବିସ୍ମୟର କଥା ହେଲା,ମାତ୍ର ଏକ ବର୍ଷ ମଧ୍ୟରେ ନିଜର ଅଧ୍ୟବସାୟ ଓ ସୃଜନଶୀଳତା ବଳରେ ‘ମାକାଓ’ ଭଳି ବିରଳ ଓ ଦୁର୍ମୂଲ୍ୟ ପକ୍ଷୀଠାରୁ ଅଣ୍ଡା ଏବଂ ପରେ ଛୁଆ ଫୁଟାଇବାରେ ସେ ସକ୍ଷମ ହୋଇଛନ୍ତି, ଯାହା ଏକ ବିରଳ ଘଟଣା।

ନନ୍ଦନକାନନରେ ବହୁ ବିଶେଷଜ୍ଞ ଥିଲେ ମଧ୍ୟ ୧୯୮୫ ମସିହାରୁ ‘ମାକାଓ’ ନାମକ ପକ୍ଷୀ ଏ ପର୍ଯ୍ୟନ୍ତ ଅଣ୍ଡା ଦେଇ ନଥିବା କୁହାଯାଉଛି। ବ୍ଲୁ ଆଣ୍ଡ୍‌ ଗୋଲ୍ଡ ମାକାଓ, ୟେଲୋ କଲାର୍ଡ ମାକାଓ, ହାନ୍ସ ମାକାଓ,
ଭାଓଲେଟ ନେକେଡ ଲରୀ, ଅର୍ଣ୍ଣେଟ ଲରୀ, ରେନବୋ ଲରି, ସନ କନ୍ୟୁର (ଶୁଆ), ଜେଣ୍ଡିଆ କନ୍ୟୁର, ପାଟାଗୋନିଆନ କନ୍ୟୁର, ପାଇନାପୁଲ କନ୍ୟୁର, ୟୋଲୋ ସାଇଡେଡ କନ୍ୟୁର, ବ୍ଲୁ ଗ୍ରୀନ ଚିକ୍‌ କନ୍ୟୁର, ସିନାମନ କନ୍ୟୁର ଭଳି ଅନେକ ନାମୀଦାମୀ ପକ୍ଷୀ ରଖି ସେମାନଙ୍କର ପ୍ରଜନନ କରାଇ ଚିତ୍ରବିଚିତ୍ର ପକ୍ଷୀ ସୃଷ୍ଟି କରିପାରିଛନ୍ତି।

ଅନେକ ଦୂରଦୂରାନ୍ତରୁ ବହୁ ପକ୍ଷୀ ବିଶାରଦ, ପକ୍ଷୀପ୍ରେମୀ ଓ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କ ନିକଟକୁ ଆସି ତାଙ୍କ ପକ୍ଷୀବିହାର ଦେଖି ବିହ୍ୱଳିତ ହୋଇଛନ୍ତି। ପକ୍ଷୀଙ୍କ ପ୍ରତି ଗିରିଜାଙ୍କ ଭଲପାଇବା ଉଦାହରଣ ପାଲଟିଛି। ଅବଶ୍ୟ ତାଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡିଛି। ନିଜର ସୁଖସୁବିଧା ପରିତ୍ୟାଗ କରି, ଏପରିକି ନିଜ ପରିବାରକୁ ଏଥିପାଇଁ ସମୟ ଦେଇପାରିନାହାନ୍ତି। ପକ୍ଷୀମାନେ ହିଁ ପାଲଟିଛନ୍ତି ତାଙ୍କ ପରିବାର, ଆଉ ତାଙ୍କ ପାଇଁ ସେମାନେ ସବୁକିଛି।
ଗିରିଜା କହନ୍ତି, ‘‘ବର୍ତ୍ତମାନ ପ୍ରାଚୁର୍ଯ୍ୟ ଭିତରେ ବୁଡି ରହିଥିବା ବ୍ୟସ୍ତବହୁଳ ମଣିଷ ପାଖରେ ସମୟ ନଥିବାବେଳେ ଦିନକୁ ଦିନ ଅନେକ ପକ୍ଷୀଙ୍କର ବଂଶ ଲୋପ ପାଇବାକୁ ବସିଛି। ଆଗାମୀ ଦିନରେ ବିଲୁପ୍ତପ୍ରାୟ ପକ୍ଷୀଙ୍କ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଆଶା ରଖିଛି।’’

Comments are closed.