ଟ୍ରେନରୁ ଖସି ରାଉରକେଲାର ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଧଳ ମୃତ

ଢେଙ୍କାନାଳ : ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ଥିବା ନୟାଭାଗିରଥୀପୁର ଷ୍ଟେସନ ନିକଟରେ ରାଉରକେଲା ଅଭିମୁଖେ ଯାଉଥିବା ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟିରୁ ଖସିପଡ଼ି ଶନିବାର ଅପରାହ୍ଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ଯୁବକ ଜଣଙ୍କର ପରିଚୟ ପ୍ରଥମେ ମିଳିପାରି ନଥିଲା। ପରେ ସେ ରାଉରକେଲାର ପପୁ ଧଳ(୪୨) ବୋଲି ଜଣାପଡ଼ିଥିଲା। ପପୁ ଧଳ ରାଉରକେଲା ଅଞ୍ଚଳର ଏକ ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଜଣାଶୁଣା। ବିଭିନ୍ନ ସମୟରେ ଦାଦା ବଟି ଆଦାୟ କରିବା, ଗୁଳିକାଣ୍ଡ ଘଟଣା ସହ ୨୦୧୧ ମସିହାରେ ଅପହରଣ ପ୍ରଭୃତି ଅପରାଧିକ ଘଟଣାମାନ ଘଟାଇଥିବା ଜଣାପଡ଼ିଛି।

ତା’ନାମରେ ରାଉରକେଲାର ରଘୁନାଥପୁରପାଲି ଥାନା, ପ୍ଲାଣ୍ଟ ସାଇଟ୍‍ ଥାନା, ଉଦିତନଗର ଥାନା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅପରାଧିକ ମାମଲାମାନ ରହିଥିଲା। ଅତୀତରେ ପୁଲିସ ତାହାକୁ ଏନ୍‍କାଉଣ୍ଟରରେ ମାରିବାପାଇଁ ଉଦ୍ୟମ କରୁଥିବାବେଳେ ସେ ଖସି ପଳାଇଥିଲା। କିଛିବର୍ଷ ଆତ୍ମଗୋପନ କରିବାପରେ ପୁନର୍ବାର ରାଉରକେଲାକୁ ଆସି ରହୁଥିଲା। ଟ୍ରେନ୍‍ରେ ଯିବା ସମୟରେ ସେ ଖସିପଡ଼ିଥିବା କିମ୍ବା ହତ୍ୟା କରିବା ଉଦ୍ଦେଶ୍ୟରେ କେହି ତାକୁ ଠେଲି ଦେଇଥିବା ସନ୍ଦେହ କରାଯାଉଛି। ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରିରଖିଛି।

Comments are closed.