ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଠାରୁ ୪୦ ହଜାର ଠକେଇ

0

ପିପିଲି:ବିଭିନ୍ନ ଲୋଭନୀୟ ଅଫର, ବ୍ୟାଙ୍କ ଋଣ, ଜୀବନ ବୀମାର ମାଚ୍ୟୁରିଟି ଅର୍ଥ ମିଳିବା ଭଳି ମିଥ୍ୟା ପ୍ରତିଶୃତି ସାଙ୍ଗକୁ ମିଠା ମିଠା କଥା କହି ଲୋକଙ୍କୁ ଠକିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଜୀବନବୀମାର ମାଚ୍ୟୁରିଟି ଅର୍ଥ ଆକାଉଣ୍ଟକୁ ଆସିବା କଥା କହି ଅତି ଚତୁରତାର ସହ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ନିଆଯିବା ଭଳି ଠକାମିର ଶିକାର ହୋଇଛନ୍ତି ଅବସରପ୍ରାପ୍ତ ପୁଲିସ ଏସ୍‍ଆଇ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା। ଏନେଇ ସେ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଥିବା ବେଳେ ଟଙ୍କା ଫେରସ୍ତ ଆଶାରେ ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଅଞ୍ଚଳକୁ ବାରମ୍ବାର ଦଉଡୁଛନ୍ତି।
ସୂଚନା ଅନୁଯାଇ, ଭୁବନେଶ୍ୱର ଲିଙ୍ଗରାଜ ଥାନାର ଅବସରପ୍ରାପ୍ତ ପୁଲିସ ସବ୍‍ ଇନିସପେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ନିଜ ଗ୍ରାମ ଢେଙ୍କାନାଳ ନିକଟ ଖମାରସାହିରେ ପରିବାର ସହ ରହୁଛନ୍ତି। ବ୍ୟାଙ୍କ ମ୍ୟାନେଜର ପଣ୍ଡା ବାବୁ ବୋଲି ପରିଚୟ ଦେଇ ଗତମାସରେ ଜଣେ ତାଙ୍କ ମୋବାଇଲ୍‍କୁ ଫୋନ କରିଥିଲେ। ଆପଣଙ୍କ ଜୀବନ ବୀମାର ମାଚ୍ୟୁରିଟି ଅର୍ଥଏକ ଲକ୍ଷ ୮୦ ହଜାର ଟଙ୍କା ୧୦ ଦିନ ହେବ ଆସିଯାଇଛି ବୋଲି ସେ କହିଥିଲେ। ଆପଣ ଏଟିଏମ୍‍କୁ ଯାଆନ୍ତୁ ଓ ବାଲାନ୍ସ ଚେକ୍‍ କରନ୍ତୁ ସେ ଫୋନରେ କହିଥିଲେ। ଶ୍ରୀମହାରଣା ନିଜ ଘର ପାଖରେ ଥିବା ଏକ ଏଟିଏମ୍‍କୁ ଯିବା ପରେ ପୁନର୍ବାର ଉକ୍ତ ବ୍ୟକ୍ତି ଜଣକ ଫୋନ୍‍ କରି ଏଟିଏମ୍‍ରେ କାର୍ଡ ଭର୍ତ୍ତି କରିବାକୁ କହିଥିଲେ। ଉକ୍ତ ବ୍ୟକ୍ତିଙ୍କ ମିଠା କଥାରେ ଭରସା କରି ଶ୍ରୀମହାରଣା ଏଟିଏମ୍‍ ମେସିନ୍‍ରେ କାର୍ଡକୁ ପୁରାଇ ତାଙ୍କ କହିବା ଅନୁଯାଇ ମେସିନ୍‍କୁ ଅପରେଟ କରିଥିଲେ। ପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥିଲା। ଏ ସଂପର୍କରେ ପରଦିନ ଶ୍ରୀମହାରଣା ନିଜ ଆକାଉଣ୍ଟ ଥିବା ଢେଙ୍କାନାଳ ବଜାର ଇଭିନିଙ୍ଗ ଏସ୍‍ବିଆଇ ଶାଖାକୁ ଯାଇ ଅନୁସନ୍ଧାନ କରିବାରେ ପଣ୍ଡା ବାବୁ ନାମକ କୌଣସି କର୍ମଚାରୀ ସେଠାରେ କାର୍ଯ୍ୟ କରୁନଥିବା ଜଣାପଡିଥିଲା। ସେ ଏ ସଂପର୍କରେ ଗତ ୨୩ ତାରିଖ ଦିନ ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ତାଙ୍କ ଆକାଉଣ୍ଟରୁ ଯେଉଁ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୪୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି, ସେହି ବ୍ୟକ୍ତିଙ୍କ ଘର ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ସୁବଳପୁର ଅଞ୍ଚଳର ବୋଲି ସୂଚନା ପାଇବା ପରେ ଶ୍ରୀମହାରଣା ବ୍ୟାଙ୍କରୁ ଉକ୍ତ ବ୍ୟକ୍ତିଙ୍କ ଠିକଣା ଓ ମୋବାଇଲନଂ ସଂଗ୍ରହ କରି ତାଙ୍କ ସହ ଫୋନରେ ଯୋଗାଯୋଗ କରିଥିଲେ। ସାତଶଙ୍ଖ ଅଞ୍ଚଳର ଉକ୍ତ ବ୍ୟକ୍ତି ଶ୍ରୀମହାରଣାଙ୍କୁ ଟଙ୍କା ଫେରାଇ ଦେବାର ପ୍ରତିଶୃତି ଦେଇ ଗତ ରବିବାର ଦିନ ସାତଶଙ୍ଖ ବଜାରକୁ ଡକାଇଥିଲା। ଶ୍ରୀମହାରଣା ଟଙ୍କା ଫେରସ୍ତ ପାଇବା ଆଶାରେ ନିଜ ପୁଅକୁ ସାଙ୍ଗରେ ଧରି ଢେଙ୍କାନାଳରୁ ସାତଶଙ୍ଖ ବଜାରକୁ ଆସିଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣକ ଟଙ୍କା ଫେରସ୍ତ କରିବା ବଦଳରେ ନିଜର ଅନ୍ୟ କେତେକ ସାଙ୍ଗଙ୍କ ଦ୍ୱାରା ଶ୍ରୀମହାରଣାଙ୍କ ପୁଅଙ୍କୁ ବିଭିନ୍ନ ଧମକଚମକ ଦେଇଥିଲେ। ନିରାଶ ହୋଇ ଶ୍ରୀମହାରଣା ଢେଙ୍କାନାଳକୁ ଫେରିଯିବା ପରେ ଉକ୍ତ ବ୍ୟକ୍ତି ଜଣକ ଟଙ୍କା ଫେରସ୍ତ କରିବାର ପୂର୍ଣ୍ଣ ପ୍ରତିଶୃତି ଦେଇ ପୁନର୍ବାର ତାଙ୍କୁ ଆଜି ସାତଶଙ୍ଖକୁ ଡକାଇଥିଲା। ତେବେ ଶ୍ରୀମହାରଣା ନିଜ ପୁଅଙ୍କ ସହ ଆଜି ସାତଶଙ୍ଖକୁ ଆସି ଫାଣ୍ଡିରେ ଦୀର୍ଘ ସମୟ ଧରି ବସିଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଧରାଛୁଆଁ ଦେଇନଥିଲା। ମୋବାଇଲ୍‍ ଯୋଗେ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାରେ ସେ ବିଭିନ୍ନ ମିଥ୍ୟା କଥା ଓ ପ୍ରତିଶୃତି ଦେଇ ଶ୍ରୀମହାରଣାଙ୍କୁ ନିରାଶ କରିଥିବା ସୂଚନା ମିଳିଛି। ଏନେଇ ଶ୍ରୀମହାରଣା ସଂନ୍ଧ୍ୟାରେ ପିପିଲି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

Leave A Reply