ନୂଆବର୍ଷରେ ଚମକିବ ଧଉଳି

ଲୋକାର୍ପିତ ହେବ ଶୌଚାଳୟ ବ୍ଲକ୍‌, ଭୋଜିପିଣ୍ଡି

ଭୁବନେଶ୍ବର : ନୂଆବର୍ଷରେ ଚମକିବ ଧଉଳି। ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କୁ ନୂଆଭେଟି ଦେବାକୁ ଯାଉଛି। ଧଉଳି ପାଦଦେଶ ପାର୍ବତୀ ପୋଖରୀର ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ବଣଭୋଜି ପାଇଁ ପିଣ୍ଡିର ସୁବିଧା ସାଙ୍ଗକୁ ଶୌଚାଳୟ ବ୍ଲକ୍‌ ଲୋକାର୍ପିତ ​‌ହେବ। ଏଥିପାଇଁ ବିଭାଗ ପକ୍ଷରୁ ୧କୋଟି ୨୭ଲକ୍ଷ ୭୪ହଜାର ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଧଉଳିରେ ପ୍ରତିବର୍ଷ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସେଭଳି କିଛି ସୁବିଧା ନଥିବାରୁ ଏହି କାର୍ଯ୍ୟକୁ ନୂଆ ରୂପ ଦିଆଯିବ। ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ରାତିରେ ବସ୍‌ଷ୍ଟାଣ୍ଡରେ ଗାଡ଼ି ରଖି ପିଣ୍ଡିରେ ଭୋଜିଭାତ କରିବାର ସୁବିଧା ପାଇ ପାରିବେ। ଏହାବ୍ୟତୀତ ଶୌଚାଳୟର ସୁବିଧା ନେଇପାରିବେ।

ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ଶେଷ ହୋଇପାରିନଥିଲା। ପର୍ଯ୍ୟଟନ ବିଭାଗ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଧଉଳି ବସ୍‌ଷ୍ଟାଣ୍ଡ ସଜାଇବାରେ ଲାଗିଛି। ଅନ୍ୟପକ୍ଷରେ କରୋନା ପ୍ରକୋପରେ ଦୀର୍ଘ ୭ମାସ ହେବ ପର୍ଯ୍ୟଟନସ୍ଥଳ ବନ୍ଦ ଥିବାରୁ ସେଠାରେ କାହାର ପାଦ ପଡୁନଥିଲା। ଅକ୍ଟୋବର ୧୫ରେ ଧଉଳି ଖୋଲିଥିବାରୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ବଢୁଛି। ସାମୁଦ୍ରିକ ଝଡ଼ ‘ଫଣି’ର ପ୍ରକୋପ ଦିନରୁ ଧଉଳିର ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ବନ୍ଦ ରହିଥିବାରୁ ଆସନ୍ତା ନଭେମ୍ବର ମଧ୍ୟଭାଗରେ ଏହାକୁ ପୁନର୍ବାର ଚାଲୁ କରାଯିବ। ଏହାସହ ଧଉଳି ବସ୍‌ଷ୍ଟାଣ୍ଡରୁ ପାହାଡ଼ ଉପରକୁ ସଟଲ୍‌ ବସ୍‌ ଚଳାଚଳ କରିବ। ବସ୍‌ଷ୍ଟାଣ୍ଡକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅସଜଡ଼ା ପାର୍ବତୀ ପୋଖରୀକୁ ସଜଡ଼ା ଯାଉଛି। ଧଉଳିକୁ ଆବର୍ଜନା ମୁକ୍ତ କରିବା ଲକ୍ଷ୍ୟରେ ବସ୍‌ଷ୍ଟାଣ୍ଡରେ ଶୌଚାଳୟ ବ୍ଲକ୍‌ ନିର୍ମାଣ ହୋଇଛି। ବସ୍‌ଷ୍ଟାଣ୍ଡ ପ୍ରବେଶ ପଥରେ ୧୬୦୦ ବର୍ଗଫୁଟର ଏକ ସମ୍ମିଳନୀ କକ୍ଷ ନିର୍ମାଣ ସହ ପର୍ଯ୍ୟଟକ ବିଶ୍ରାମ କକ୍ଷ ନିର୍ମାଣ ହେବ।

ଏହାବ୍ୟତୀତ ଧଉଳିର ୪୦ଟି ଦୋକାନ ଘର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଖୋଲିବା ଲାଗି ବ୍ୟବସାୟୀଙ୍କୁ ଅନୁମତି ମିଳିଥିବା ବେଳେ ଅବଶିଷ୍ଟ ଦୋକାନ ଘରେ ଗୋଟିଏ ଏଟିଏମ୍‌ କାଉଣ୍ଟର ଖୋଲିବା ସହିତ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଫାଷ୍ଟଏଡ୍‌ ସୁବିଧା ଉପଲବ୍ଧ କରାଯିବ। ଧଉଳି ପାହାଡ଼ ରାସ୍ତାରେ ନିର୍ମାଣ ହୋଇଥିବା ହସ୍ତଶିଳ୍ପ ବଜାର ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ିଥିବାରୁ ସେ ଘରଗୁଡ଼ିକୁ କାର୍ଯ୍ୟକ୍ଷମ ଲାଗି ଯୋଜନା ଚାଲିଛି। ଏହାସହ ତା’ ନିକଟରେ ହାଲୁକା ତିନି ଓ ଚାରି ଚକିଆ ଯାନ ଏବଂ ଦୁଇଚକିଆ ଯାନ ଲାଗି ଗାଡ଼ି ପାର୍କିଂକୁ କାର୍ଯ୍ୟକ୍ଷମ କରାଯାଇଛି।

ନୂଆବର୍ଷ ବେଳକୁ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ପରେ ପର୍ଯ୍ୟଟକଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରି ବଣଭୋଜି ଓ ଭ୍ରମଣ ଲାଗି ଅନୁମତି ମିଳିବ। ସେହିପରି ଧଉଳି ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ବରେ ପଞ୍ଚାୟତ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ଉପରେ ଟିଣ ଚଦର ପକାଇବା ସହ ସେଠାରେ ପାଣି ଓ ଅଳିଆ ଆବର୍ଜନା ଆଦି ପକାଇବା ଲାଗି ଡଷ୍ଟବିନ୍‌ ସୁବିଧା କରାଯିବ। ଏବେ ସେଠାରେ ଥିବା ପିଣ୍ଡି ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବାରୁ ଏହାକୁ ସଫା କରି ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ କହିଛନ୍ତି। ସେହିପରି ଧଉଳି ବସ୍‌ଷ୍ଟାଣ୍ଡର ସୌନ୍ଦର୍ଯ୍ୟକୁ ନୂଆରୂପ ଦିଆଯିବ ବୋଲି ପର୍ଯ୍ୟଟନ ଅଧିକାରୀ ତଥା ଧଉଳି ଉନ୍ନୟନ କମିଟିର ସମ୍ପାଦକ ଅଜୟ ରାଉତ କହିଛନ୍ତି।

Comments are closed.