ଭୁବନେଶ୍ୱରରେ ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱରରେ ଗୋଟିଏ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ସ୍ଥାପନ କରିବାପାଇଁ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃର ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି। ଏହି ମର୍ମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଚଳିତ ସାଧାରଣ ବଜେଟରେ ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ସ୍ଥାପନ ପାଇଁ ଘୋଷଣା କରାଯାଇଥିବା ବେଳେ ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ସହର ଭାବେ ଉଭା ହୋଇଥିବା ଭୁବନେଶ୍ୱରରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସେ ଦର୍ଶାଇଛନ୍ତି, କରୋନା ମହାମାରୀ ସହ ଲଢ଼ିବାରେ ଦେଶର ଆୟୁର୍ବିଜ୍ଞାନ ଏବଂ ବିକାଶ ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭୁବନେଶ୍ୱରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଜୀବ ବିଜ୍ଞାନ ସଂସ୍ଥାନ, ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଭଳି ବିଶ୍ୱସ୍ତରୀୟ କେନ୍ଦ୍ରଗୁଡ଼ିକ ରହିଥିବାବେଳେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ହେଲେ ଗବେଷଣା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କରୋନା ଭୂତାଣୁର ଦକ୍ଷତାପୂର୍ଣ୍ଣ ମୁକାବିଲା ନିମନ୍ତେ କୃତଜ୍ଞତା ଜଣାଇଛନ୍ତି।

Comments are closed.