ଓଡିଶା ବଜେଟ ୨୦୨୦-୨୧, ବିକାଶର ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଅମାପ ଖଣିଜ ସମ୍ପଦ, ବିସ୍ତୃତ ବେଳାଭୂମୀ, ବିଶାଳ ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓଡ଼ିଆ ରାଜ୍ୟର ମୂଳ ସମ୍ବଳ। ଓଡ଼ିଶାକୁ କେବଳ ଦେଶର ଦୁହେଁ; ସମଗ୍ର ବିଶ୍ବର ଆର୍ଥିକ ଦୃଷ୍ଟିରୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢ଼ି ତୋଳିବା ପାଇଁ ନୂଆ ଯୋଜନା, ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି। ୨୦୨୦-୨୧ ଆର୍ଥିକ ବର୍ଷ ରାଜ୍ୟ ବଜେଟ ସେପରି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁ ନାହିଁ ବୋଲି ଟ୍ବିଟ୍‌ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଗ୍ରାମୀଣ ଭିତ୍ତିଭୂମିକୁ ମଜଭୁତ୍‌ କରି କୃଷି, କୃଷି ପ୍ରକ୍ରିୟାକରଣ, ହସ୍ତ ଓ କୁଟୀର ଶିଳ୍ପ, ବୟନ ଶିଳ୍ପ ତଥା ଗ୍ରାମୀଣ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଓଡ଼ିଶାର ଅର୍ଥନୀତିକୁ ମଜଭୁତ୍‌ କରିବା ଜରୁରୀ। ମାତ୍ର ସାଧାରଣ ଲୋକଙ୍କ ପକେଟକୁ ରୋଜଗାରର ସୁବିଧା ପହଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ଓ ଆଭିମୁଖ୍ୟର ଆବଶ୍ୟକତା ରହିଛି ରାଜ୍ୟ ସରକାରଙ୍କ ଦ୍ବାରା ଆଗତ ୨୦୨୦-୨୧ ମସିହାର ବଜେଟ ଆକଳନରେ ତାହା ଦେଖାଯାଉ ନାହିଁ। ମୋଦୀ ସରକାରଙ୍କର ପୂର୍ବୋଦୟର ବିକାଶ ପାଇଁ ପ୍ରାଥମିକତା, ଖଣି ନିଲାମ ମାମଲାରେ କେନ୍ଦ୍ର ସରକାରଙ୍କର ନୀତି ସୁଧାର କାରଣରୁ ରାଜ୍ୟକୁ ଲାଭ ଓ ଓଡ଼ିଶା ପାଇଁ ଅଧିକ ବ୍ୟୟବରାଦ ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇଛି। ଏହି ବଜେଟ ରାଜ୍ୟର ଗ୍ରାମାଞ୍ଚଳରେ ପୋଖରୀ ପୁନରୁଦ୍ଧାର ଓ ମାଛ ଚାଷ ପାଇଁ ବ୍ୟୟବରାଦ କରିବା ଦ୍ବାରା ଗ୍ରାମାଞ୍ଚଳରେ ଚାଷୀମାନଙ୍କର ବିକଳ୍ପ ରୋଜଗାର ବୃଦ୍ଧି ପାଇଁ ସହାୟକ ହୋଇପାରେ ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି।

Comments are closed.