କାଳର କଷଟିରେ ଉତ୍ତୀର୍ଣ୍ଣ ମଣିଷ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଏଇଠି କିଏ କେତେ କାଳ ବଞ୍ଚିଲା, ତାହା ବଡ଼ କଥା ନୁହେଁ। କିଏ କୋଉ ଢଙ୍ଗରେ ବଞ୍ଚିଲା? କାହା ପାଇଁ ବଞ୍ଚିଲା? କେମିତି ବଞ୍ଚିଲା? ତାହା ହିଁ ନିର୍ଦ୍ଧାରଣ କରେ ମଣିଷ ଜୀବନର ସାର୍ଥକତା। ଗୋଟିଏ ସାର୍ଥକ ଜୀବନ ହିଁ ନଶ୍ୱର ମଣିଷକୁ ଈଶ୍ୱରତ୍ୱ ପ୍ରଦାନ କରେ। ତତ୍‌‌ ସଙ୍ଗେ ସଙ୍ଗେ ଜନମାନସରେ ବଞ୍ଚେଇ ରଖେ ଅନନ୍ତ କାଳ ପର୍ଯ୍ୟନ୍ତ। ଏହା ଅବଶ୍ୟ ସତ ଯେ ଗୋଟିଏ ସୁଦୀର୍ଘ ଜୀବନ କେବେହେଲେ କାହାର ସଫଳତାର ମାପକାଠି ହୋଇନପାରେ। ଏମିତିରେ ଦେଖିବାକୁ ଗଲେ ଏଇ ସଂସାରରେ ମିଳିଯିବେ ଅସଂଖ୍ୟ ଶତାୟୁ ପୁରୁଷ, ଯାହାଙ୍କୁ ତାଙ୍କ ପରିବାର; ଅତି ବେଶୀରେ ସେ ରହୁଥିବା ଅଞ୍ଚଳର କିଛି ଅଧିବାସୀଙ୍କ ବ୍ୟତୀତ ଅନ୍ୟ କେହି ଚିହ୍ନନ୍ତି ନାହିଁ କି ଜାଣନ୍ତି ନାହିଁ। ଜନୈକ ପରିଚୟ ବିହୀନ ଇତର ଲୋକ ଭଳି ପଶୁବତ୍‌‌ ଗୋଟିଏ ଚିରାଚରିତ ଜୈବିକ ପ୍ରକ୍ରିୟାରେ ଅତିବାହିତ ହୋଇଯାଏ ତାଙ୍କର ସମ୍ପୂର୍ଣ୍ଣ ଜୀବନ। କିଛି ବୋଲି କିଛି ନଥାଏ ତାଙ୍କର ସୁନାମ ଅଥବା ଦୁର୍ନାମ। ଏମିତି ଅନେକ ଲୋକ ଏଇ ସଂସାରରେ ନିତିଦିନ ଜନ୍ମ ଲାଭ କରିଥାନ୍ତି। ଲୋକଲୋଚନର ଅନ୍ତରାଳରେ କିଛିକାଳ ଜୈବିକ ଜୀବନ ଅତିବାହିତ କରି ସଂସାରରୁ ବିଦାୟ ମଧ୍ୟ ନେଇ ଯାଆନ୍ତି ସେମାନେ। ପ୍ରତି ମୁହୂର୍ତ୍ତରେ ମଣିଷ ଜୀବନର ସଫଳତା ବା ବିଫଳତାର ସମୀକ୍ଷା କରୁଥାଏ କାଳ; କିନ୍ତୁ ଏଇ ଅନାମଧେୟ ମଣିଷମାନଙ୍କ ଜୀବନର ସମୀକ୍ଷା ସିଏ କରେ କି ନା, ତାହା ମଧ୍ୟ ସନ୍ଦେହ।

ଏକଥା ଅବଶ୍ୟ ସର୍ବଜନ ବିଦିତ ଯେ ଏଇ ସଂସାରରେ ବଞ୍ଚୁଥିବା ପ୍ରତିଟି ପ୍ରାଣୀ ନିଜ ପାଇଁ, ନିଜ ଘର କୁଟୁମ୍ବ ପାଇଁ ହିଁ ବଞ୍ଚିଥାନ୍ତି। ସେମାନେ ବଞ୍ଚୁଥିବା ସମାଜ କି ସଂସାର ପ୍ରତି ତାଙ୍କର କର୍ତ୍ତବ୍ୟ ଅଥବା ଦାୟବଦ୍ଧତା ବୋଲି କିଛି ହିଁ ନଥାଏ। ଇତର ପ୍ରାଣୀ ପରି କେବଳ ଖାଇବା, ପିଇବା, ଶୋଇବା ଓ ଜୈବିକ ବଂଶବୃଦ୍ଧି କରିବା ବ୍ୟତୀତ ସେମାନଙ୍କ ପାଖରେ ନଥାଏ ଆଉ ଅନ୍ୟ କିଛି କାମ। ଅତି ବେଶୀରେ କେହି କେହି ନୈତିକ ହେଉ କି ଅନୈତିକ ହେଉ, ଯେ କୌଣସି ଉପାୟରେ ଧନ ଉପାର୍ଜନ କରିବା ସହିତ ଧନ ସଞ୍ଚୟ ଏବଂ ତା’ର ଅଭିବୃଦ୍ଧିରେ ଅତିବାହିତ କରି ଦେଇଥାନ୍ତି ତାଙ୍କର ସମଗ୍ର ଆୟୁଷ। ହେଲେ ଏଇ ଦୁନିଆରେ ସେମାନଙ୍କ ପରିଚୟ କ’ଣ? କେବଳ ଜଣେ ଧନାଢ଼୍ୟ କୁବେର ମାତ୍ର। ଆଉ ଏମିତି ତଥାକଥିତ କୁବେର ବି ମାଳମାଳ ମିଳିଯିବେ ଏଇ ସଂସାରରେ, ଯାହାଙ୍କୁ ତାଙ୍କର ମୃତ୍ୟୁ ପରେପରେ ଭୁଲି ଯାଇଥାନ୍ତି ସମସ୍ତେ। ଏପରି କି ଆପଣାର ଜ୍ଞାତି କୁଟୁମ୍ବ, ବନ୍ଧୁ ପରିଜନ ମଧ୍ୟ ଭୁଲି ଯାଆନ୍ତି କିଛି ବର୍ଷ ମଧ୍ୟରେ।

ଆହୁରି ଏମିତି କିଛି ମହାମାନ୍ୟ ଯୁଗେଯୁଗେ ଏଇ ଧରାପୃଷ୍ଠରେ ଜନ୍ମିଥାନ୍ତି, ଯେଉଁମାନେ ଅଖଣ୍ଡ କ୍ଷମତା ଆଉ ପ୍ରତିପତ୍ତି ପଛରେ ପାଗଳ କୁକୁର ପରି ଗୋଡ଼ାଇ ଚାଲିଥାନ୍ତି ତାଙ୍କର ଜୀବନ ସାରା। ତାଙ୍କ ଇଚ୍ଛାର ପୃଥିବୀ ତାଙ୍କୁ ମିଳୁ କି ନମିଳୁ ସେଥିପ୍ରତି ତାଙ୍କର ନଜର ନଥାଏ। ବିଫଳତା ପାଇଁ କାହାର ଟାହିଟାପରା କି କଟୂକ୍ତିକୁ ବି ଖାତିରି କରନ୍ତି ନାହିଁ ସେମାନେ। ଏପରି କି ତାଙ୍କ ଜୀବନର ପ୍ରତିଟି ପଦକ୍ଷେପରେ ବାରମ୍ବାର ଆଘାତ ପ୍ରାପ୍ତି ସତ୍ତ୍ବେ ମୋହଭଙ୍ଗ ହୁଏ ନାହିଁ ତାଙ୍କର। ଠିକ୍‌‌ ଯେପରି ପଡ଼ିଉଠି ଲହୁ ଲୁହାଣ ହେଉ କି ଥାନ ଅଥାନରେ ଧୂଳି ଧୁସରିତ ଶଯ୍ୟାରେ ଅବିନ୍ୟସ୍ତ ଭାବେ ପଡ଼ିରହି ପ୍ରାଣହାନି କି ସମ୍ମାନହାନି ହେଉ, ତଥାପି ମଦ୍ୟପାନର ମୋହ ଛାଡ଼ି ପାରେନାହିଁ ଜଣେ ମଦ୍ୟପ। ଅବଶ୍ୟ କେବେ କେମିତି ସ୍ୱାସ୍ଥ୍ୟଗତ କାରଣରୁ ହେଉ କି ସାମାଜିକ ଅଥବା ପାରିବାରିକ ବାଧ୍ୟ ବାଧକତାରେ ହେଉ, ହୁଏତ କେବେ ଦିନେ ମଦ୍ୟପାନ ଛାଡ଼ି ଦେଇପାରେ ଜଣେ ମଦ୍ୟପ; କିନ୍ତୁ ଅର୍ଥ ଓ କ୍ଷମତା ମୋହରେ ଥରେ ପଡ଼ିଗଲା ପରେ ଯେତେ ଯାହା ହେଉ ପଛେ ସେଥିରୁ ମୁକୁଳି ପାରେନାହିଁ ଜଣେ ମଦମତ୍ତ ମଣିଷ। ଏହା ହିଁ ଆଜିକାର ସାମାଜିକ ଜୀବନରେ ସବୁଠୁ ବଡ଼ ବିସ୍ମୟ। ପ୍ରାଣୀଜଗତର ସର୍ବଶ୍ରେଷ୍ଠ ବିବେକବାନ ତଥା ଜ୍ଞାନୀ ମଣିଷ ପାଇଁ ବିଡ଼ମ୍ବନାର ବିଷୟ ମଧ୍ୟ।

କାଳ ପାଖରେ ନଥାଏ ଜାତି ଅଜାତି, ଉଚ୍ଚ ନୀଚ୍ଚ, ଧନୀ ଗରିବ, ଧାର୍ମିକ ବିଧର୍ମୀ କୌଣସିର ଭେଦଭାବ। ତା’ ଦୃଷ୍ଟିରେ ସମସ୍ତେ ସମାନ। ରାଜା ପ୍ରଜା ସମସ୍ତେ ତା’ର ଖାତକ। ଏମିତି କି ତା’ ନିକଟରେ ଉତ୍ତରଦାୟୀ ମଧ୍ୟ ସମସ୍ତେ। ନିରପେକ୍ଷ ବିଚାରକ ସେ। ସୃଷ୍ଟି, ସ୍ଥିତି, ବିଲୟର କର୍ତ୍ତା ଏବଂ କାରଣ ମଧ୍ୟ ସେ। ସମୟର କଷଟି ପଥରରେ ନିତିଦିନ ତଉଲି ଦେଖୁଥାଏ ସେ ପ୍ରତିଟି ମଣିଷକୁ, ଆହୁରି ମଧ୍ୟ ତାହାର ପ୍ରତିଟି କାର୍ଯ୍ୟଶୈଳୀକୁ।

ଏଇ ପୃଥିବୀ ଅଛି। ନିତ୍ୟ ନୂତନ ଭଙ୍ଗାଗଢ଼ାର ଜଟିଳ ଗାଣିତିକ ସମୀକରଣରୁ ଉତ୍ତୀର୍ଣ୍ଣ ହୋଇ ଏବେ ମଧ୍ୟ ବଞ୍ଚି ରହିଛି ଅନେକ ଦେଶ, ପ୍ରଦେଶ ଆଉ ରାଜ୍ୟ। ହେଲେ ତା’କୁ ଶାସନ କରି ଯାଇଥିବା ଅସଂଖ୍ୟ ରାଜା, ମହାରାଜା ଆଉ ସମ୍ରାଟ ହୁଅନ୍ତୁ କି ନିରୀହ ଛେଳି, ମେଣ୍ଢା, ଗଧ, ଘୋଡ଼ା ପରି ଏକ ସାଧାରଣ ଜୀବନ ଜିଇଥିବା ଅସୁମାରି ଶାସିତ ପ୍ରଜା; କାଳର କରାଳ ଗର୍ଭରେ ସମସ୍ତେ ବିଲୀନ ହୋଇ ଯାଇଛନ୍ତି ଆଜି। ସେମାନଙ୍କ ସହିତ ଏଇ ସଂସାର ପଥରୁ କେବେଠୁ ଲିଭି ଗଲାଣି ମଧ୍ୟ ତାଙ୍କର ଆୟୁଷ୍କାଳରେ ଛାଡ଼ି ଯାଇଥିବା ସମସ୍ତ ପାଦଚିହ୍ନ। ସେମାନଙ୍କ ଭିତରୁ ଲୋକସ୍ମୃତିରେ, ଆମ ଭିତରେ ଶ୍ରଦ୍ଧାର ହକ୍‌‌ଦାର୍‌‌ ହୋଇ ରହି ପାରିଛନ୍ତି କେତେ ଜଣ? ଏହା ମଧ୍ୟ ଆମ ପାଇଁ ଏକ ବିଚାର୍ଯ୍ୟ ବିଷୟ।

ଶ୍ରାବଣର ଉତ୍ତାଳ ସ୍ରୋତସ୍ୱିନୀ ପରି ଅବିରତ ଆଗକୁ ଆଗକୁ ମାଡ଼ି ଚାଲିଛି କାଳର କରାଳ ସ୍ରୋତ। ତା’ ସହିତ ଧୋଇ ନେଉଛି ନଈପଠାରେ ଛାଡ଼ି ଯାଇଥିବା ଜଣା ଅଜଣା ଅସଂଖ୍ୟ ପଥିକଙ୍କ ପଦଚିହ୍ନ। କେବେ କ’ଣ ଦୀର୍ଘସ୍ଥାୟୀ ହୋଇପାରେ ବାଲୁକା ଶଯ୍ୟାରେ ଅଙ୍କାଯାଇଥିବା ସବୁତକ ପଦଚିହ୍ନ? କେବେ ନୁହେଁ। ପ୍ରବଳ ବେଗରେ ଆକାଶରୁ କଚାଡ଼ି ହୋଇ ପଡୁଥିବା ବର୍ଷାଜଳ ଅଥବା ବାବନା ଭୂତ ପରି ଅତର୍କିତ ଭାବେ ମାଡ଼ି ଆସୁଥିବା ବତାସୀ ପବନ ନତୁବା ପ୍ରବହମାନ ଜଳସ୍ରୋତ କେବେ ନା କେବେ କୌଣସି ନା କୌଣସି ପ୍ରକାରେ ନିର୍ଦୟ ଭାବେ ଲିଭେଇ ସଫା କରିଦିଏ ମାନବକୃତ ସବୁତକ ଚିହ୍ନ, ସବୁତକ କୃତି ଓ କୃତିତ୍ୱ। ହୁଏତ କିଛି ଅଧିକ କାଳ ବଞ୍ଚି ରହିପାରେ ପଥର ଦେହରେ ସୃଷ୍ଟ ଚିହ୍ନରାଜି; କିନ୍ତୁ ତାହା ମଧ୍ୟ ଚିରସ୍ଥାୟୀ ନୁହେଁ କେବେହେଲେ। ଧୀରେ ଧୀରେ ତା’କୁ ମଧ୍ୟ ଲିଭେଇ ଦିଏ କାଳ। ଏଇ ସଂସାର ଅନିତ୍ୟ। ପାଣିଫୋଟକା ପରି କ୍ଷଣସ୍ଥାୟୀ ଏବଂ ଏହା ମଧ୍ୟ ଧ୍ରୁବସତ୍ୟ ଯେ ଏଇ ଅନିତ୍ୟ ସଂସାରରେ ଏକମାତ୍ର ସର୍ବଶକ୍ତିମାନ୍‌ ହେଉଛି କାଳ। ତାକୁ ଆମେ ଈଶ୍ୱର କି ମହାକାଳ ବୋଲି କହିପାରୁ, ଅଥବା କହିପାରୁ ପ୍ରାକୃତିକ ବିଧି ବିଧାନ।

ଏହା ସ୍ୱତଃସିଦ୍ଧ ଯେ ସଂସାରର ପରିବର୍ତ୍ତନ ଅବଶ୍ୟମ୍ଭାବୀ। ତା’କୁ ସ୍ୱୀକାର କରିବା ବ୍ୟତୀତ ଆମର ଗତ୍ୟନ୍ତର ନାସ୍ତି। ଏଇ ଅବାରିତ ପରିବର୍ତ୍ତନରେ ହିଁ ନିହିତ ରହିଛି ପ୍ରକୃତିର ଅଜ୍ଞାତ ମହତ ଉଦ୍ଦେଶ୍ୟ, ଯାହା ସାଧାରଣ ମଣିଷ ପାଇଁ ଏକ ଅଚିନ୍ତନୀୟ ଅଭେଦ୍ୟ ବିସ୍ମୟ। ବେଳାଭୂମିରେ କ୍ରୀଡ଼ାରତ ଚପଳ ଶିଶୁ ପରି ଭାଙ୍ଗିବା ଆଉ ଗଢ଼ିବା ହେଉଛି ପ୍ରକୃତିର ନିୟମ। ନୂତନ ଏକ ବାଲିଘର ତୋଳିବାର ଇଚ୍ଛା ଯେତେବେଳେ ପ୍ରବଳ ହୁଏ, ସେତେବେଳେ ସମ୍ପୂର୍ଣ୍ଣ ନିର୍ବିକାର ଭାବେ ନିଜ ହାତ ତିଆରି ଘରଟିକୁ ନିଜ ହାତରେ ହିଁ ହସିହସି ଭାଙ୍ଗିଦିଏ ଶିଶୁ। ପୁଣି ସମତୁଲ କରେ ସ୍ଥାନ। ନିଜର ସମସ୍ତ କଳା ଚାତୁରୀ ଓ ଶକ୍ତି ସାମର୍ଥ୍ୟ ଖଟାଇ ପୁଣି ଛିଡ଼ା କରାଏ ଏକ ନୂତନ ନିର୍ମାଣ। କାରଣ ଏକ ସସୀମ ପରିବେଶ ଓ ପରିସର ମଧ୍ୟରେ ଆପଣାର ଅସୀମ ଇଚ୍ଛାନୁସାରେ କେବେହେଲେ ସମ୍ଭବ ହୋଇ ପାରେନାହିଁ ଏକ ନୂତନ ସୃଷ୍ଟି। ଏହା ସତ୍ୟ। ଚିରନ୍ତନ ସତ୍ୟ। ବୋଧହୁଏ ଈଶ୍ୱରଦତ୍ତ ପୂର୍ବଜନ୍ମର ଅଭିଜ୍ଞତାରୁ ଏଇ ସତ୍ୟକୁ ଉପଲବ୍ଧି କରି ପାରିଥାଏ ସେଇ କ୍ରୀଡ଼ାରତ ଶିଶୁ, ଯେଉଁ ସତ୍ୟକୁ ପ୍ରତି ମୁହୁର୍ତ୍ତରେ ଅନୁଶୀଳନ କରି ଚାଲିଥାଏ ପ୍ରକୃତି ଅଥବା ସ୍ରଷ୍ଟାର ଭୂମିକା ନିର୍ବାହ କରୁଥିବା କେଉଁ ଏକ ଅଜଣା ଐଶୀଶକ୍ତି। କ୍ରୀଡ଼ାରତ ଶିଶୁ ପରି ଏଇ ସଂସାରରେ ସିଏ ମଧ୍ୟ ନିତିଦିନ ସୃଷ୍ଟିକରି ଚାଲିଥାଏ ଶୂନ୍ୟସ୍ଥାନ। ତା’ ସହିତ ଅବାରିତ ଭାବେ ଶୂନ୍ୟସ୍ଥାନ ପୂରଣ କରି ଚାଲିଥାଏ ମଧ୍ୟ। ଏହି କ୍ରିୟା ଏତିକି କ୍ଷିପ୍ର ବେଗରେ ଚାଲିଥାଏ ଯେ ତାହାର ବିନ୍ଦୁ ବିସର୍ଗ କିଛିର ଅବଧାରଣ କରି ପାରେନାହିଁ ସାଧାରଣ ମଣିଷ। ଏ ବିଷୟରେ ଭାବିଲେ ଜ୍ଞାନୀ ମଣିଷ ମଧ୍ୟ ହତଚକିତ ହୋଇ ରହିଯାଏ କ୍ଷଣେ।

ନବାଗତଙ୍କ ପାଇଁ ସ୍ଥାନ ସଂରକ୍ଷିତ ରଖିବା ହେଉଛି ପ୍ରକୃତି ବା କାଳର ଏକ ଚିରନ୍ତନ କର୍ମ। ଏହା ତା’ର ସର୍ବଶ୍ରେଷ୍ଠ ଧର୍ମ ମଧ୍ୟ। ପୁରାତନକୁ ବିଦାୟ ଦେବା ସହିତ ନବୀନକୁ ସ୍ୱାଗତ କରିବା ହେଉଛି ଅତ୍ୟନ୍ତ ନିଷ୍ଠୁର, ଅପ୍ରିୟ ଅଥଚ ଏକ ସାର୍ବଜନୀନ ସତ୍ୟ। ହେଲେ ଏହି ସତ୍ୟକୁ କ’ଣ ଜାଣି ପାରନ୍ତି ନାହିଁ ସେଇ କ୍ଷମତାଲିପ୍ସୁ, ଚାରଣ-ଚାଟୁକାର-ପାରିଷଦ ପରିବେଷ୍ଟିତ ତଥାକଥିତ ମହାମାନ୍ୟମାନେ? କାହିଁକି ମିଛମାୟାର ଏକ ଅନ୍ଧ ବଳୟ ଭିତରେ ରହି ନିଜକୁ ସର୍ବଶକ୍ତିମାନ୍‌ ମନେକରିବା ସହିତ ଗର୍ବରେ ଫାଟି ପଡ଼ୁଥାନ୍ତି ସେମାନେ? କ’ଣ ପାଇଁ ସେମାନଙ୍କ ମନରେ ବସାବାନ୍ଧି ରହିଥାଏ ଏତେ ଗର୍ବ, ଏତେ ଅହଂକାର, ଏତେ ଅସୂୟା ଭାବ? କାହିଁକି ସେମାନେ ନିଜକୁ ନିଜେ ମନେ କରୁଥାନ୍ତି ଏଇ ପୃଥିବୀର ଅପୂର୍ବ ଏବଂ ଶେଷତମ ସର୍ବଶ୍ରେଷ୍ଠ ସମ୍ରାଟ ବୋଲି? କେଜାଣି ତାଙ୍କ ଆଖିରେ ବନ୍ଧା ହୋଇଥାଏ ଏମିତି କେଉଁ ଏକ ଅଦୃଶ୍ୟ ଅନ୍ଧପୁଟୁଳି? ଯାହା ପ୍ରଭାବରେ ଅତିଶୟ ଅହମିକାରେ ଫାଟି ପଡ଼ୁଥାନ୍ତି ସେଇ ଅର୍ବାଚୀନ ମଣିଷମାନେ?

କେଉଁ ଏକ ଅନାଦି କାଳରୁ ତିଷ୍ଠି ରହିଛି ଏଇ ଧରା ଏବଂ ତିଷ୍ଠି ରହିଥିବ ମଧ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ। ଚିଲିକାକୁ ଆସୁଥିବା ଅତିଥି ପକ୍ଷୀ ପରି ମଣିଷ ଏଠାକୁ ଆସେ ଏବଂ କିଛିକାଳର ରହଣି ପରେ ବିଦାୟ ନେଇଯାଏ। ଏହା ଏକ ଚିରନ୍ତନ ସତ୍ୟ; କିନ୍ତୁ ଏଇ ସତ୍ୟକୁ ଉପଲବ୍‌‌ଧି କରି ପାରନ୍ତି ନାହିଁ ସେଇ ମହାମାନ୍ୟମାନେ। କେଜାଣି କେଉଁ ଅଜଣା ଚାଉଳର ଭାତ ଖାଉଥାନ୍ତି ସେମାନେ!! ଯାହା ପ୍ରଭାବରେ ତାଙ୍କ ନେତ୍ର ପଟଳରେ ପଡ଼ି ରହିଥାଏ ପରଳ। କେଜାଣି କାହିଁକି ଯେ କେବେହେଲେ ସତ୍ୟଦର୍ଶୀ ହୋଇ ପାରନ୍ତି ନାହିଁ ସେମାନେ।

ଏହା ସତ ଯେ ଏଇ ମାଟିରେ ଜନ୍ମିଥିଲେ ଅସଂଖ୍ୟ ମଣିଷ। ନିଜର ମହତ ଗୁଣକୁ ନେଇ କିଛି ମହାନ ବ୍ୟକ୍ତି ମଧ୍ୟ ଜନ୍ମିଥିଲେ ଏଇ ଧରାପୃଷ୍ଠରେ। ତଥାପି ସେମାନେ ଛାଡ଼ିଯାଇ ପାରିନାହାନ୍ତି ସେମାନଙ୍କ ସ୍ମୃତିର ଚିହ୍ନବର୍ଣ୍ଣ କିଛିହେଲେ। ଏଇ ତଥାକଥିତ ମହାମାନ୍ୟମାନଙ୍କଠୁ ଆହୁରି ମହାନ ମହାନ ବିଭୂତିମାନେ ଏଇଠୁ କୁଟାଖିଅ ପରି କିଏ କୁଆଡ଼େ ଉଡ଼ି ଯାଇଛନ୍ତି ତାହାର ଇୟତ୍ତା ନାହିଁ। ସସାଗରା ଧରାକୁ ନିଜ କରାୟତ୍ତ କରି ପାରିଥିବା ଅସୁମାରୀ ବୀର ପୁରୁଷ ମଧ୍ୟ ଧୂଳିଚାଟି ଯାଇଛନ୍ତି ଏଇଠି। ଶକ୍ତି ସାମର୍ଥ୍ୟ, ଜ୍ଞାନ ଗରିମା, ମାନ ଅଭିମାନ, ଧନ ସମ୍ପଦ, ଯଶ କ୍ଷମତା ସବୁକିଛି ଅଳିକ ଏବଂ ନିଷ୍ଫଳ ପ୍ରମାଣିତ ହୋଇ ଆସିଛି ଯୁଗେ ଯୁଗେ। ତଥାପି ଏଇ ସଂସାର ରଙ୍ଗମଞ୍ଚରେ ବାରମ୍ବାର ଆବିର୍ଭାବ ଘଟି ଚାଲିଛି ସାଧାରଣ ମଣିଷକୁ ପୋକମାଛି ତୁଲ୍ୟ ବିଚାର କରୁଥିବା ଏବଂ ଆତ୍ମାଭିମାନରେ ଫାଟି ପଡ଼ୁଥିବା ମହାମାନ୍ୟମାନଙ୍କର। ଏହା ହିଁ ପ୍ରକୃତିର ବିସ୍ମୟ। ନଶ୍ୱର ଶରୀରଧାରୀ ମଣିଷମାନଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ମଧ୍ୟ।

କାଳଚକ୍ର ଘୂରୁଛି। ଅନବରତ ଘୂରୁଛି ସେ। ତାହାର କରାଳ ଗତିକୁ ଅଟକେଇବା ଶକ୍ତି କାହାର ନଥିଲା, ଏବେ ନାହିଁ; ଭବିଷ୍ୟତରେ ମଧ୍ୟ କେହି ଅଟକେଇ ପାରିବେ ନାହିଁ। ଏହା ଶତ ପ୍ରତିଶତ ସତ। ସିଏ ମହାମାନ୍ୟ ହୁଅନ୍ତୁ କି ମାନ୍ୟହୀନ, ଚିର ପ୍ରବହମାନ କାଳର ବତାସୀ ପବନରେ ଶୁଖିଲା ପତ୍ର ପରି ସମସ୍ତେ ଉଡ଼ି ଯାଆନ୍ତି କିଏ କୁଆଡ଼େ; କିନ୍ତୁ ଗୋଟେ ମାଇଲ୍‌‌ ଖୁଣ୍ଟ ପରି କାଳର ଅନନ୍ତ ଗତିପଥର ପ୍ରତିକୂଳରେ ଛିଡ଼ା ହୋଇପାରେ କେବଳ ଜଣେ ସତ୍‌‌କର୍ମଲିପ୍ତ ମହତ ପୁରୁଷ। ଅନ୍ୟ ଅନେକ ପଥହୁଡ଼ା ପଥିକଙ୍କ ପାଇଁ ଯିଏ ପଥ ପ୍ରଦର୍ଶକର ଭୂମିକା ତୁଲାଉଥାଏ ଏବଂ ତୁଲାଇ ଚାଲୁଥାଏ ଅନନ୍ତ କାଳ ପର୍ଯ୍ୟନ୍ତ। ହେଲେ କାଳର ବିପରୀତରେ ଛିଡ଼ାହେବା କ’ଣ ଏତେ ସହଜ? ସାଧାରଣରୁ ଅସାଧାରଣକୁ ରୂପାନ୍ତରିତ ହେବା ଏକ କଠୋର ପ୍ରକ୍ରିୟା। ଏଇଥି ପାଇଁ ସଂସାର ନିଆଁରେ ବହୁବାର ପୋଡ଼ିହେବାକୁ ପଡ଼େ ଜଣେ ସାଧାରଣ ମଣିଷକୁ। ତା ସହିତ କାଳର କଷଟି ପଥରରେ ଘଷିମାଜି ନିଜ ଦେହ ଏବଂ ଆତ୍ମାକୁ ଶୁଦ୍ଧ ସୁବର୍ଣ୍ଣ ପରି ନିର୍ମଳ ଓ ବିଶୁଦ୍ଧ କରିବାକୁ ପଡ଼େ। ଉନ୍ନୀତ ହେବାକୁ ପଡ଼େ ନଶ୍ୱର ଶରୀରରୁ ଈଶ୍ୱରଙ୍କ ସ୍ତରକୁ। ଆଉ ଏକ ତ୍ୟାଗପୂତ ଜୀବନ ଜିଇବାକୁ ପଡ଼େ ଏଇ ମରଶରୀରରେ ଅମରତ୍ୱ ବା ଦେବତ୍ୱର ପ୍ରତିଷ୍ଠା ପାଇଁ। ସାଧିବାକୁ ପଡ଼େ କଠୋର ସାଧନା। ହେବାକୁ ପଡ଼େ ସିଦ୍ଧ, ସର୍ବୋତ୍କୃଷ୍ଟ।

ଯିଏ ପର ପାଇଁ ବଞ୍ଚେ, ଜୀବନ ତା’ର ଧନ୍ୟ। ସିଏ ହିଁ ହୋଇପାରେ ଦେବତ୍ୱର ଅଧିକାରୀ। ଏହା ସର୍ବଜନ ସ୍ୱୀକୃତ ଯେ ଏଇ ମାଟିରେ ଦିନେ ଦେହଧରି ଜନ୍ମ ଲଭିଥିବା ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ, ମହାବୀରଙ୍କ ପରି ମହତ୍‌‌ ପୁରୁଷମାନେ ନଶ୍ୱର ଶରୀରରେ ଲାଭକରି ପାରିଥିଲେ ଈଶ୍ୱରତ୍ୱ। ଗାନ୍ଧୀ, ଗୋପବନ୍ଧୁଙ୍କ ପରି ବିରଳ ବ୍ୟକ୍ତିତ୍ୱଧାରୀ ମହାପୁରୁଷମାନେ ମଧ୍ୟ ଏ ଦେଶରେ ଜନ୍ମିଥିଲେ। ନିଃସ୍ୱାର୍ଥପର ଜନସେବାରେ ନିଜକୁ ଉତ୍ସର୍ଗ କରି ଯାଇଛନ୍ତି ସେମାନେ, ଆପଣାର ଜୀବନକୁ ସାର୍ଥକ କରି ଯାଇଛନ୍ତି। ତାଙ୍କର ସେଇ ମହତ ଗୁଣ ଯୋଗୁଁ ଏବେ ମଧ୍ୟ ଆମର ପ୍ରାତଃ ସ୍ମରଣୀୟ ସେମାନେ। ସେମାନଙ୍କ ପରି ଦେବତା ସ୍ତରକୁ ଉନ୍ନୀତ ହେବାକୁ ହେଲେ ପରପାଇଁ ସୁଗନ୍ଧଯୁକ୍ତ ବିମଳ ପୁଷ୍ପ ପରି ପ୍ରସ୍ଫୁଟିତ ହେବାକୁ ପଡ଼ିବ ଆମକୁ, ଏକ ଉତ୍ସର୍ଗିକୃତ ଜୀବନ ଜିଇବାକୁ ହେବ। କାଳର କଷଟିରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଭୋଗରେ ନୁହେଁ ତ୍ୟାଗରେ ହିଁ ସାର୍ଥକ ହୁଏ ମଣିଷ ଜୀବନ। ହେଲେ ଏତେ ତ୍ୟାଗ ପାଇଁ ନିଜକୁ ନିଜେ ପ୍ରସ୍ତୁତ କରି ପାରିବା ତ ଆମେ? କଠୋର ସାଧନା ନୁହେଁ, ସହଜ ସୁଲଭ ସଫଳତା ପ୍ରାପ୍ତି ପଛରେ ଆମେ ସମସ୍ତେ ବାଇଆ। ଏମିତି ଲାଗି ରହିଲେ କାଳର ଦୁର୍ବାର ପରୀକ୍ଷାରେ ଆମେ ଉତ୍ତୀର୍ଣ୍ଣ ହେବା କେମିତି? ମାନବ ଜୀବନ ତଥା ଜନ୍ମକୁ ସାର୍ଥକ କରିବା କେମିତି?

Comments are closed.