ଆମେରିକୀୟ ନିବେଶକମାନେ ଭାରତରେ ଥିବା ବ୍ୟାପକ ସୁଯୋଗର ଲାଭ ଉଠାନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲୀ : ଭାରତର ବିକାଶ ଯାତ୍ରାରେ ବ୍ୟାପକ ସୁଯୋଗର ଲାଭ ଉଠାଇବା ପାଇଁ ଆମେରିକୀୟ ନିବେଶକମାନଙ୍କୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ଵାନ ଦେଇଛନ୍ତି। ଆମେରିକୀୟ ଶକ୍ତି ସଚିବଙ୍କ ସହ କାର୍ଯ୍ୟ  ନିର୍ବାହୀ ଶିଳ୍ପ ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି।
ଶୁକ୍ରବାର  ଭାରତ ଓ  ଆମେରିକା ମଧ୍ୟରେ ଶକ୍ତି ପରିଚାଳନା ସମ୍ପର୍କିତ ଦ୍ଵିତୀୟ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକୀୟ ଶକ୍ତି ସଚିବ ଡାନ ବ୍ରାଉଲ୍ଲିଟିଙ୍କ ମଧ୍ୟରେ ଶିଳ୍ପସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ଆମେରିକା ବ୍ୟବସାୟିକ ପରିଷଦ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ପ୍ରଧାନ ଶିଳ୍ପସ୍ତରୀୟ କାର୍ଯ୍ୟକ୍ରମରେ ମଧ୍ୟ ଅଧ୍ୟକ୍ଷତା କରିଥିଲେ।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବ ତରୁଣ କପୁର, ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ରଣଜିତ ସାନ୍ଧୁ ଏବଂ ଭାରତ ଓ ଆମେରିକା ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରତିନିଧିମାନେ ଏହି ଭର୍ଚୁଆଲ ବୈଠକରେ ଯୋଗଦେଇଥିଲେ ।

ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତରେ ସୃଷ୍ଟି ହୋଇଥିବା ନୂତନ ସୁଯୋଗର ଉପଯୋଗ କରି ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ପାଇଁ ଆମେରିକୀୟ କମ୍ପାନୀ ଗୁଡ଼ିକୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ ଯେ, ଉଭୟ ଭାରତ ଓ ଆମେରିକୀୟ କମ୍ପାନୀଗୁଡ଼ିକ ଦ୍ଵାରା ପୂର୍ବରୁ ଏସମ୍ପର୍କରେ ପଦକ୍ଷେପ ମାନ ନିଆଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ। ଭାରତ ଓ ଆମେରିକା ମଧ୍ୟରେ ଶକ୍ତି ସମ୍ପର୍କୀୟ ବୁଝାମଣା ଖୁବ ସୁଦୃଢ ଏବଂ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ଦୃଢ ସ୍ତମ୍ଭ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ଆହ୍ଵାନ ପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଭାରତ ଓ ଆମେରିକା ବୈଶ୍ଵିକ ଶକ୍ତି ବଜାରର ଦୃଢତା ଓ କୋଭିଡ-୧୯ ସମସ୍ୟା, ଉଭୟର ସମାଧାନ ଦିଗରେ ମିଳିତ ପ୍ରୟାସ କରୁଛନ୍ତି ।

ଶକ୍ତି ସମ୍ପର୍କିତ ଭାଗିଦାରୀ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଦୁଇ ଦେଶର ସହଯୋଗ ଉପରେ ଅଗ୍ରାଧିକାର ଦିଆଯାଇଛି । ଭବିଷ୍ୟତରେ ଏଲଏନଜି ବଙ୍କରିଂ, ଏଲଏନଜି ଆଇଏସଓ କଣ୍ଟେନର ବିକାଶ, ପେଟ୍ରୋ ରାସାୟନ, ଜୈବିକ ଇନ୍ଧନ ଏବଂ କମ୍ପ୍ରେସଡ ବାୟୋ ଗ୍ୟାସ ଇତ୍ୟାଦି ଭାରତର ଶକ୍ତି କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି କରିବ। ଉତ୍ପାଦନ ଓ ଉତ୍ତୋଳନ କ୍ଷେତ୍ରରେ ଭାରତର ଅନେକ ସଂସ୍କାର ମୂଳକ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତୈଳ ଏବଂ ବାଷ୍ପ ଉତ୍ତୋଳନ କ୍ଷେତ୍ରରେ ଭାରତରେ ଆଗାମୀ ଦିନରେ ୧୧୮ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଏହା ଦେଶକୁ ଦ୍ରୁତ ଆର୍ଥିକ ଅଗ୍ରଗତି ପଥରେ ସାହାଯ୍ୟ କରିବ। ସେ ଦୃଷ୍ଟିରୁ ଶ୍ରୀ ପ୍ରଧାନ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ରହିଥିବା ସୁବିଧା ସୁଯୋଗ ନେବା ପାଇଁ ଆମେରିକୀୟ କମ୍ପାନୀଗୁଡ଼ିକୁ ଆହ୍ଵାନ କରିଛନ୍ତି ।

Comments are closed.