ତୈଳ କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିଶ୍ୱ ଶକ୍ତି କ୍ଷେତ୍ରର ଅନିଶ୍ଚିତତା ଯୋଗୁଁ ଉପୁଜୁଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଭାରତକୁ ଆଧୁନିକ ଜ୍ଞାନ କୌଶଳ ସହ ସ୍ୱଳ୍ପ ପ୍ରତିକ୍ରିୟାଶୀଳ ଓ ଅଧିକ ରୂପାନ୍ତରିତ ନୀତି ଆପଣାଇବାକୁ ପଡ଼ିବ ବୋଲି ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ଇରାନ୍‍ ଏବଂ ଭେନେଜୁଏଲା ଉପରେ ଆମେରିକାର ପ୍ରତିବନ୍ଧକ ତଥା ଚୀନ୍‍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଆଦି ଭାରତର ଶକ୍ତି ନିରାପତ୍ତା ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଉଛି। ସେ ରବିବାର ନୂଆଦିଲ୍ଲୀରେ ଇଣ୍ଟର୍‍ନ୍ୟାସନାଲ୍‍ ଥିଙ୍କ୍‍ ଟ୍ୟାଙ୍କ୍‍ର ତୃତୀୟ ବୈଠକରେ ଉଦବୋଧନ ଦେଇ କହିଛନ୍ତି, ତୈଳ ଆମଦାନୀ ଉପରେ ଭାରତର ମାତ୍ରାଧିକ ନିର୍ଭରଶୀଳତା ଯୋଗୁଁ ବୈଦେଶିକ ଘଟଣା ପ୍ରବାହଦ୍ୱାରା ଦେଶ ପୂର୍ବାପେକ୍ଷା ଅଧିକ ମାତ୍ରାରେ ପ୍ରଭାବିତ ହେଉଛି ଏବଂ ଆଗକୁ ଏହା ଅଧିକ ଜଟିଳ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଏହି ଆହ୍ୱାନର ସମ୍ମୁଖୀନ ହେବାପାଇଁ ଭାରତର ତୈଳକ୍ଷେତ୍ରକୁ ସ୍ୱଳ୍ପ ପ୍ରତିକ୍ରିୟାଶୀଳ ଓ ଅଧିକ ରୂପାନ୍ତରିତ ନୀତି ଆପଣେଇବାକୁ ପଡ଼ିବ। ତୈଳ ଶିଳ୍ପର ରୂପାନ୍ତରଣ ପାଇଁ ଏନ୍‍.ଡି.ଏ. ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଗ୍ୟାସ୍‍ ଅନୁସନ୍ଧାନ ଏବଂ ଆମଦାନୀ ଓ ବିତରଣ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଆସନ୍ତା ୨୦୨୪ ମସିହା ସୁଦ୍ଧା ଭାରତକୁ ୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପହଞ୍ଚାଇବା ସ୍ୱପ୍ନକୁ ସାକାର କରିବା ଦିଗରେ ତୈଳ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି ସେ କହିଛନ୍ତି।

Comments are closed.