ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଆତ୍ମନିର୍ଭର ଭାରତ ଅଭିଯାନ : ଧର୍ମେନ୍ଦ୍ର ପ୍ରଧାନ

କୁଏତର ଭାରତୀୟ ପ୍ରବାସୀ ପରିଷଦ, ଓଡିଶା ସଂଘର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀ

• ମହାମାରୀ ସମୟରେ ମାସ୍କ ଓ ପିପିଇ କିଟ୍‍ ଉତ୍ପାଦନରେ ଅଗ୍ରଣୀ ଦେଶ ହୋଇଛି ଭାରତ
• ଗରିବଙ୍କ ଜୀବନରେ ମଧ୍ୟ ମୂଳଭୁତ ପରବର୍ତନ ଆଣିବ ଆତ୍ମନିର୍ଭର ଭାରତ ପ୍ୟାକେଜ୍‍
• ସବକା ସାଥ୍‍, ସବକା ବିକାଶ ଓ ସବକା ବିଶ୍ୱାସ ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର
• ଏକବିଂଶ ଶତାବ୍ଦୀରେ ସାମାଜିକ-ଅର୍ଥନୀତି ମଡେଲ ତିଆରି କରିବା ଦରକାର
• କୁଏତର ଭାରତୀୟ ପ୍ରବାସୀ ପରିଷଦର ସଦସ୍ୟଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ
• ଆତ୍ମନିର୍ଭର ଭାରତ ଅଭିଯାନକୁ କୁଏତର ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜଙ୍କ ପ୍ରଶଂସା
ନୂଆଦିଲ୍ଲୀ/ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଦେଶକୁ ଆତ୍ମନିର୍ଭର କରିବ ନାହିଁ ବରଂ ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ମଧ୍ୟ ପୂରଣ କରିବ ବୋଲି ଶୁକ୍ରବାର କୁଏତର ଭାରତୀୟ ପ୍ରବାସୀ ପରିଷଦର ଓଡିଶା ସଂଘ ଦ୍ୱାରା ଆୟୋଜିତ ‘ଆତ୍ମନିର୍ଭର ଭାରତ’ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ବିଶ୍ୱ କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ ଦେଇ ଗତି କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ କରୋନାର ଦୃଢ ମୁକାବିଲା କରୁଛି। ବର୍ତମାନ କରୋନାର ପ୍ରତିଷେଧକ ଟୀକା ବାହାରି ନଥିବା ବେଳେ ମାସ୍କ ଏବଂ ପିପିଇ କିଟ୍‍ କରୋନାରୁ ରକ୍ଷା ପାଇବାର ମୁଖ୍ୟ ଆଧାର ହୋଇଛି। ପୂର୍ବରୁ ଦେଶରେ ମାସ୍କ ଏବଂ ପିପିଇ କିଟର ଉତ୍ପାଦନ ହେଉନଥିଲା ମାତ୍ର ସାଂପ୍ରତିକ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଦୈନିକ ୨ ଲକ୍ଷ ପିପିଇ କିଟ୍‍ ଉତ୍ପାଦନ କରିପାରୁଛି। କରୋନା ସମୟରେ ୧୫୦ଟି ଦେଶକୁ ଔଷଧ ପଠାଇପାରିଛି। ମହାମାରୀ ସମୟରେ ଭାରତର ଏହି ସଫଳ ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କେବଳ ସୀମିତ ସମୟ ପାଇଁ ଦେଶର ଅର୍ଥନୀତିର ପୁନଃରୁଦ୍ଧାର କରିବାରେ ସହାୟକ ହେବ ନାହିଁ ବରଂ ଭାରତକୁ ଆତ୍ମନିର୍ଭର କରିବାର ମୂଳଦୂଆ ପକାଇବ। ଆତ୍ମନିର୍ଭର ଭାରତ ଅଧୀନରେ ଅଣାଯାଇଥିବା  ନୀତି ସଂସ୍କାର କୃଷି ଭିତିଭୂମି, ଏମଏସଏମଇକୁ ସୁଦୃଢ କରିବ ଏବଂ ଗରିବଙ୍କ ଜୀବନରେ ମଧ୍ୟ ମୂଳଭୁତ ପରବର୍ତନ ଆଣିବ। ଆତ୍ମନିର୍ଭର ଭାରତର ଅନ୍ୟତମ ମୂଳ ଲକ୍ଷ୍ୟ ଆଧୁନିକ ଭିତିଭୂମିର ନିର୍ମାଣ ବୋଲି ସେ କହିଛନ୍ତିା ଆଜି ସବକା ସାଥ୍‍, ସବକା ବିକାଶ ଓ ସବକା ବିଶ୍ୱାସ ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର ହୋଇଛି। ଏହାକୁ ଆଧାର କରି ଦେଶରେ ଏକବିଂଶ ଶତାବ୍ଦୀରେ ସାମାଜିକ-ଅର୍ଥନୀତି ମଡେଲ ତିଆରି କରିବାର ଆବଶ୍ୟକତା ରହିଛି। ଅପରପକ୍ଷରେ ମହାମାରୀ ସମୟରେ ଗରିବ କଲ୍ୟାଣ ପ୍ୟାକେଜ୍‍ ଘୋଷଣା କରାଯାଇ ଦେଶର ୮୦ କୋଟିରୁ ଊର୍ଦ୍ଧ୍ବ ଗରିବ ଲୋକଙ୍କୁ ମାଗଣା ଖାଦ୍ୟାନ୍ନ ଦିଆଯାଇଛି। ଜନଧନ ଆକାଉଂଟରେ ଆର୍ଥିକ ସହାୟତା ଦିଆଯାଇ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଛି। ଏଭଳି ପଦକ୍ଷେପ ଅନ୍ୟ କେଉଁ ଦେଶରେ ହୋଇନାହିଁ ବୋଲି ସେ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କୁଏତର ଭାରତୀୟ ପ୍ରବାସୀ ପରିଷଦର ସଦସ୍ୟ ମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କୁଏତର ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସାମିଲ୍‍ ହୋଇଥିଲେ। ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜଙ୍କ ସମେତ ୱେବିନାରରେ ସାମିଲ ଭାରତୀୟ ପ୍ରବାସୀ ପରିଷଦର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରଶଂସା କରିଥିଲେ।

Comments are closed.